ଓଡ଼ିଶାଲାଇଭ୍ ବ୍ୟୁରୋ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଏହି ପଖାଳ ସମ୍ପର୍କରେ ଆଲୋଚନା କରିବାର କାରଣ ହେଉଛି ଆଜି ହେଉଛି ବିଶ୍ୱ ପଖାଳ ଦିବସ। ପଖାଳ ଖାଇ ଏହି ଦିବସକୁ ପାଳନ କରିଛନ୍ତି ଓଡ଼ିଆ। ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳ ଦିବସ ପାଇଁ କରାଯାଇଥିଲା ସ୍ୱତନ୍ତ୍ର ଆୟୋଜନ।

ବଢ଼ୁଛି ତାତି। ଗାଁଠାରୁ ସହର ସବୁଠୁ ଅନୁଭବ ହେଲାଣି ଗ୍ରୀଷ୍ମର ପ୍ରକୋପ। ତାତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ଆପଣେଇଲେଣି ଥଣ୍ଡାର ଉପଚାର। ବିଶେଷକରି ଖରାଦିନେ ପଖାଳ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି। ଗାଁରୁ ସହର ସବୁଠି ପଖାଳ କଂସାରେ ଭରି ରହିଥାଏ ଓଡ଼ିଆର ଆତ୍ମୀୟତା।

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ଗତ କିଛି ବର୍ଷ ହେଲା ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ପଖାଳ ଦିବସ ଅବସରରେ ଗାଁରୁ ସହର ଯାଏଁ ପ୍ରତି ପରିବାରରେ ଲୋକମାନେ ପଖାଳ ଖାଇଛନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ପଖାଳ ଖିଆର ଫଟୋ ଦେଖିବାକୁ ମିଳୁଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ବି ପଖାଳର ଚାହିଦା ରହିଛି। ଲୋକେ ବିଭିନ୍ନ ହୋଟେଲକୁ ଯାଇ ପଖାଳ ଖାଇଛନ୍ତି।

ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ମାଲିକମାନେ ପଖାଳ ସାଙ୍ଗକୁ ବିଭିନ୍ନ ଭେରାଇଟିର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ସାଧା ପଖାଳ, ଦହି ପଖାଳ, ଜିରା ପଖାଳ, ଛୁଙ୍କ ପଖାଳ ସହ ଶାଗଭଜା, ବଢ଼ିଶାଗ, ବାଇଗଣ ଭଜା, ବଢ଼ି ଚୁରା, ଆଚାର, ଆମ୍ବ ଛେଚା, ଛତୁ ପୋଡ଼ା, କଖାରୁ ଫୁଲ ଭଜା ରହିଥିଲା। ଏହାସହ ବିଭିନ୍ନ ପରିବାର ଗୋଟା ଭଜା ସାଙ୍ଗକୁ ଚିକେନ୍ ଫ୍ରାଏ, ଚିଙ୍ଗୁଡ଼ି ଭଜା, ମାଛ ଭଜା, ଚୁନା ମାଛ, ପୋହଳା, ଅଣ୍ଡା ଅମଲେଟ୍, ମଟନ କଷା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ଛୋଟ ଛୋଟ ହୋଟେଲଠାରୁ ନେଇ ବଡ଼ ବଡ଼ ଷ୍ଟାର ହୋଟେଲରେ ଗ୍ରାହକମାନେ ପଖାଳ ଖାଇବା ଭିଡ଼ ଲଗାଇଥିଲେ। ଛୋଟ ହୋଟେଲରେ ୫୦ରୁ ୧୦୦ ଟଙ୍କା ମଧ୍ୟରେ ପଖାଳ ମିଳୁଥିବା ବେଳେ ବଡ଼ ହୋଟେଲରେ ୩୫୦ରୁ ୧୦୦୦ ଟଙ୍କା ମଧ୍ୟରେ ପଖାଳ ମିଳୁଛି। ଓଡ଼ିଆଙ୍କ ସହ ବାହାର ରାଜ୍ୟର ଲୋକେ ବି ଆଜି ପଖାଳର ମଜା ନେଇଛନ୍ତି।

Comment