ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତାନ୍ତ୍ରିକ ଦଳ ଏବଂ ଗଣମାଧ୍ୟମ କିପରି ମୁହାଁମୁହିଁ ହୁଅନ୍ତି ତାର ଏକ ସ୍ପଷ୍ଟ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ଓଡ଼ିଶାର ଏକ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ ଆଗଧାଡ଼ିର ଗଣମାଧ୍ୟମ ଓଟିଭି ମୁହାଁମୁହିଁ ହୋଇଛନ୍ତି। କିଛିଦିନ ତଳେ ଓଟିଭି ପେଡ଼୍ ନ୍ୟୁଜ୍ ପ୍ରସାରଣ କରୁଥିବା ବିଜେଡି ଅଭିଯୋଗ କରିବା ପରେ ଆଜି ଓଟିଭିର ଖବର ପ୍ରସାରଣର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି।
ଓଟିଭି ନିରପେକ୍ଷତା ଅବଲମ୍ବନ କରୁ ନଥିବାରୁ ବିଜେଡି ଏହି ଟିଭି ଚ୍ୟାନେଲକୁ ସମ୍ପୂର୍ଣ୍ଣ ବୟକଟ୍ କରିଥିବା ବିଜେଡି ମୁଖପାତ୍ର ପ୍ରତାପ ଦେବ ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି।
ପ୍ରତାପ ଦେବ କହିଛନ୍ତି, “ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ। ଏହି ଚ୍ୟାନେଲ ରାଜ୍ୟ ସରକାର ଏବଂ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି। ବିତର୍କ ବେଳେ ବିଜେଡିକୁ ପକ୍ଷ ରଖିବାକୁ ଦିଆଯାଉ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବନ ହେବା ଦିନରୁ ଓଟିଭି ଏଭଳି ଉଦ୍ୟମ କରି ଆସୁଛି। ଓଟିଭିର ଖବର ପରିବେଷଣ ଶୈଳୀ ଏବଂ ବିତର୍କ ଏକତରଫା ହୋଇଯାଇଛି।”
ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ। ଅଭିଯୋଗକୁ ଖଣ୍ଡନ କରି ସ୍ପଷ୍ଟୀକରଣ ଦେଇଛି ଓଟିଭି। ଓଟିଭି ପକ୍ଷରୁ କୁହାଯାଇଛି ଯେ ଓଟିଭି ସବୁବେଳେ ନିରପେକ୍ଷ ଖବର ପରିବେଷଣ କରି ଆସିଛି। ଖବରର ସବୁ ଦିଗକୁ ତର୍ଜମା କରି ଆମେ ସବୁ ପକ୍ଷକୁ ଗୁରୁତ୍ବ ଦେଇଥାଉ। ଯେଉଁ ଖବର ପରିବେଷଣ ହୋଇଥାଏ କାହାର ସ୍ୱାର୍ଥ ଯେପରି ହାନି ନହୁଏ ସେଥିପ୍ରତି ଧ୍ୟାନ ଦେଇଥାଉ। ଦର୍ଶକମାନଙ୍କୁ ଆମେ ସବୁବେଳେ ନିରପେକ୍ଷ ଖବର ଦେଇଥାଉ।
ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟରରେ ବିଜେଡିର ଏଭଳି ଆଭିମୁଖ୍ୟର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଓଟିଭି ପରିଚାଳନା ବୋର୍ଡ ସହ ମୋର ସଂପୃକ୍ତି ନାହିଁ। କିନ୍ତୁ ଓଟିଭି ସବୁବେଳେ ନିରପେକ୍ଷ ଖବର ପରିବେଷଣ କରି ଆସୁଛି। କିଛିଦିନ ତଳେ ପାଣ୍ଡିଆନ୍ଙ୍କ ବିରୋଧରେ ଖବର ପରିବେଷଣ କରାଯାଇଥିଲା। ଏଣୁ ଏହାର ପ୍ରତିକ୍ରିୟା ନିଜେ ପାଣ୍ଡିଆନ୍ ରଖିବା ଉଚିତ୍।
ବିଜେପୁର ଉପ-ନିର୍ବାଚନ ବେଳେ ମଧ୍ୟ ବିଜେଡି ଓଟିଭିକୁ ଟାର୍ଗେଟ୍ କରିଥିଲା। ଓଟିଭି ଖବର ନିରପେକ୍ଷ ନୁହେଁ, ଗୋଟି ନିର୍ଦ୍ଦିଷ୍ଟ ଦଳକୁ ସୁହାଇବା ଭଳି ଖବର ପରିବେଷଣ କରାଯାଉଥିବା ଅଭିଯୋଗ ଆଣି ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ସେତେବେଳେ ମଧ୍ୟ ଓଟିଭି ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ ହେବା ପରେ ବିଜେଡି ଓଟିଭି ଉପରେ ଆଙ୍ଗୁଠି ଉଠାଇଥିଲା। ଏତେସବୁ ଘଟଣାକୁ ନେଇ ବିଜେଡି-ଓଟିଭି ମୁହାଁମୁହିଁ ହେବା ପରେ ଆଜି ବିଜେଡି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଓଟିଭି ବିତର୍କକୁ ବିଜେଡି କୌଣସି ପ୍ୟାନେଲିଷ୍ଟ ଯିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।


















