ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିଲେ। ତାଙ୍କର ଏହି ପହିଲି ଆଗମନ କିନ୍ତୁ ଅନେକ ଅସୁନ୍ଦର ବିବାଦକୁ ଜନ୍ମ ଦେଇଥିଲା । ଏହି ସବୁ ବିବାଦକୁ ସହଜେ ଏଡେଇ ଦିଆଯାଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି।

ପୂର୍ବରୁ ଯେତେ ସବୁ ରାଷ୍ଟ୍ରପତି ଓଡିଶା ଆସିଛନ୍ତି ସେହି ସବୁ ଗସ୍ତ ପ୍ରାୟ ବିବାଦହୀନ ହୋଇଥିବା ବେଳେ ରାମନାଥ କୋବିନ୍ଦ କିନ୍ତୁ ଅଯଥା ବିବାଦରେ ଫସିଥିଲେ। ତାଙ୍କ ପୁରୀ ଶ୍ରୀମଦିର ଦର୍ଶନ ନେଇ ସବୁଠୁ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ତିନି ଠାକୁରଙ୍କୁ ଦର୍ଶନ ସାରି ଫେରିବା ପରେ ମହାମହିମ ପଣ୍ଡାଙ୍କୁ କିଛି ଦକ୍ଷିଣା ଦେଲେ ନାହିଁ ବୋଲି କିଛି ସେବାୟତଙ୍କ ଟିଭି ବିବୃତି ଯେତିକି ଆମୋଦଦାୟକ ଥିଲା ସେତିକି ରୋଚକ ମଧ୍ୟ ଥିଲା।

‘ବଡ଼ବଡ଼ିଆ ଯଦି ଏମିତି ଖାଲି ହାତରେ ଦର୍ଶନ କରି ଫେରନ୍ତି ପଣ୍ଡାଏ କେମିତି ବଞ୍ଚିବେ’ ବୋଲି ଜଣେ କେହି ସେବାୟତ କ୍ୟାମେରା ଆଗରେ କହିବା ଶୁଣାଯାଉଥିଲା।ପ୍ରକୃତ ଖବର ହେଉଛି ଯେ ରାଷ୍ଟ୍ରପତିଙ୍କ ଶ୍ରୀ ଜୀଉଙ୍କ ଦର୍ଶନ ପରେ ହୁଣ୍ଡିରେ କିଛି ଟଙ୍କା ପଡିଥିଲା ଯଦିଓ କେହି ଜାଣନ୍ତିନି ଏହାର ପରିମାଣ କେତେ ଥିଲା। ପୁରୀ ସେବାୟତଙ୍କ ବୁନିଆଦି ଅଭିଯୋଗକୁ ଛାଡ଼ିଦେଲେ, ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଆହୁରି କିଛି ଘଟଣା ଘଟିଥିଲା ଯାହାକୁ ନେଇ ଢ଼େର ବିବାଦ ସୃଷ୍ଟି ହୋଇଛି।

ତଥ୍ୟାଭିଜ୍ଞଙ୍କ ମତରେ ଏଥିରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଭାବେ କିଛି କରିବାର ନ ଥିଲା,ଯାହା କିଛି ଗଫଲତି ହୋଇଛି ସେଥି ପାଇଁ ତାଙ୍କ ଅଫିସ ହିଁ ଦାୟୀ।

ପ୍ରଥମ ବିବାଦ ଥିଲା କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିଅମରେ – ଆନନ୍ଦ ଭବନ ଲୋକାର୍ପଣର ଠିକ୍ ପରେ ପରେ ଏଠି ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ‘ବେଟି ବଚାଓ ବେଟି ପଢ଼ାଓ ,ଉଜ୍ଜ୍ଵଳା’ ଆଦି ଯୋଜନାକୁ କୁଆଡେ ପ୍ରଶଂସା କରିଥିଲେ।ଏହି ସବୁ ଉଲ୍ଲେଖ ପଛରେ ରାଜନୈତିକ ହସ୍ତକ୍ଷେପ ଥିଲା ବୋଲି ସେଠାରେ ଉପସ୍ଥିତ କିଛି ଦେଖଣାହାରୀ ମନ୍ତବ୍ୟ ଦେଇଥିଲେ।

ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ଲୋକପ୍ରିୟ ନେତାଙ୍କ ବାସଭବନକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କେନ୍ଦ୍ର ସରକାରଙ୍କ ଯୋଜନାର ଉଲ୍ଲେଖ ଆଦୌ ଆବଶ୍ୟକ ନଥିଲା।କେନ୍ଦ୍ର ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ବେଶ୍ କିଛି ଅବସର ରହିଛି ଯେପରିକି ଅଗଷ୍ଟ ୧୫ କିମ୍ବା ଜାନୁଆରୀ ୨୬ ତାରିଖର ଅବ୍ୟବହିତ ପୂର୍ବରୁ ଯେଉଁ ପାରମ୍ପରିକ ଅଭିଭାଷଣ ପ୍ରଦାନ କରାଯାଇଥାଏ। ପାର୍ଲାମେଣ୍ଟର ବିଭିନ୍ନ ଅଧିବେଶନ ଆରମ୍ଭରେ ମଧ୍ୟ ଉଭୟ ଗୃହରେ ଉଦବୋଧନ ଦେବା ସମୟରେ ‘ବେଟି ଫେଟି’ କଥା କୁହାଯାଇପାରିଥାନ୍ତା।

ସେହିଭଳି ଆଉ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ରାଷ୍ଟ୍ରପତି କଟକ ଆନନ୍ଦ ଭବନକୁ ଆଲାହାବାଦର ଆନନ୍ଦ ଭବନ ସହିତ ତୁଳନା କଲେ।ପଣ୍ଡିତ ନେହରୁଙ୍କ ବାସଭବନ ସ୍ୱାଧୀନତା ସଂଗ୍ରାମର କେନ୍ଦ୍ର ଥିଲା ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ଯାହାକି କୌଣସି ଐତିହାସିକ ଉପାଦାନ ଉପରେ ପର୍ଯ୍ୟବେସିତ ନୁହେଁ।

ପ୍ରଶ୍ନ ହେଉଛି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏହି ସବୁ ବିବାଦୀୟ କଥା ଭର୍ତ୍ତି କରିବା ପଛରେ କାହାର ହାତ ଥିଲା?ରାଷ୍ଟ୍ରପତି ଭବନରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ କଦାପି ଏହିଭଳି ଅନାବଶ୍ୟକ ଶବ୍ଦ ଭର୍ତ୍ତି କରିନଥିବେ।ତେବେ କିଏ ରାଷ୍ଟ୍ରପତିଙ୍କ ପାଇଁ କଟକ ଭାଷଣଟି ଲେଖିଥିଲେ ଯାହା ଫଳରେ ଅଯଥା ସମାଲୋଚନା ପାଇଁ ଏହା ଖୋରାକ ଯୋଗାଇଲା।

ସହସ୍ର ବର୍ଷର ସହରକୁ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ନିଶ୍ଚିତ ଭାବରେ ଏକ ଉଲ୍ଲେଖଯୋଗ୍ୟ ଘଟଣା ଥିଲା।ହେଲେ ଏହି ଗସ୍ତ ପୂର୍ବରୁ କୁଆଡେ ରାଷ୍ଟ୍ରପତି ଭବନରୁ ରାଜ୍ୟ ସରକାରଙ୍କ ପାଖକୁ ଏକ ଚିଠି ଆସିଥିଲା ଯେଉଁଥିରେ କୁହାଯାଇଥିଲା କି ନେତାଜୀ ସୁଭାଷ ବୋଷ ସଂଗ୍ରହାଳୟ ପରିଦର୍ଶନରେ ଯିବା ବେଳେ ରାଷ୍ଟ୍ରପତିଙ୍କୁ ତିନି ଜଣ ବିଜେପି ନେତା ସ୍ୱାଗତ କରିବେ।ଏ ତିନି ଜଣ ହେଲେ ସମୀର ଦେ, ନୟନ ମହାନ୍ତି ଓ ପିତାମ୍ବର ଆଚାର୍ଯ୍ୟ।ଏହା କେତେ ଦୂର ସତ ଜଣା ନାହିଁ।କିନ୍ତୁ ସତ ହୋଇଥିଲେ ସାଙ୍ଘାତିକ।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ବହୁ ଲୋକ ଇଚ୍ଛା କରିଥାନ୍ତି ଓ ରାଷ୍ଟ୍ରପତି କୋବିନ୍ଦ ବିଭିନ୍ନ ଦଳର ନେତାଙ୍କୁ ଓଡିଶା ଗସ୍ତ ବେଳେ ରାଜଭବନରେ ଭେଟିଥିଲେ ମଧ୍ୟ।ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ କେଉଁ ବିଜେପି ନେତା ତାଙ୍କୁ ସ୍ଵାଗତ କରିବା ପାଇଁ ରହିବେ ଏହି କଥାକୁ ସହଜରେ ଏଡେଇ ଦିଆଯାଇ ପାରିଥାନ୍ତା।

ଆହୁରି ଶୁଣିବାକୁ ମିଳୁଛି ଯେ ଗସ୍ତର ଠିକ୍ ପୂର୍ବରୁ ରାଜ୍ୟ ସରକାରଙ୍କ ପାଖକୁ ୪୪ ଜଣ ବିଜେପି ନେତାଙ୍କ ନାମ ଆସିଥିଲା ଯେଉଁମାନେ ରାଷ୍ଟ୍ରପତିଙ୍କ ସହ ଇଣ୍ଡୋର ଷ୍ଟାଡିଅମରେ ରହିବେ ବୋଲି କୁହାଯାଇଥିଲା। ଶୁଣାଯାଏ ରାଷ୍ଟ୍ରପତି ଭବନର ଏହି ଅନୁରୋଧକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ଗସ୍ତର ଆଉ ଏକ ବିବାଦୀୟ ଦିଗ ଥିଲା ପୁରୀ ସଦାଶିବ ସଂସ୍କୃତ ବିଶେବିଦ୍ୟାଳୟର ଶତବର୍ଷ ପୂର୍ତ୍ତି ଉତ୍ସବରେ ସେ ଦେଇଥିବା ଉଦବୋଧନ।ଏଥିରେ ସେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ପୂର୍ବ ଭାରତର ‘କାଶୀ’ ବୋଲି ଅଭିହିତ କରିଥିଲେ।ଏହାଦ୍ୱାରା ସେ ସଦାଶିବ ବିଶ୍ୱବିଦ୍ୟାଳୟ ତୁଳନାରେ କାଶୀ ବିଦ୍ୟାପୀଠକୁ ଉଚ୍ଚ ସ୍ଥାନରେ ରଖିଥିଲେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା।

ଏହିଭଳି ଦେଖିଲେ ରାଷ୍ଟ୍ରପତି କୋବିନ୍ଦଙ୍କ ପ୍ରଥମ ଓଡିଶା ଗସ୍ତ ସମୟରେ ଅନେକ ଅକାରଣ ବିବାଦ ଛିଡା ହୋଇଥିଲା।ଆଶା କରାଯାଏ ତାଙ୍କର ପରବର୍ତ୍ତୀ ଗସ୍ତ କାଳରେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଆଯିବ।

LEAVE A REPLY

Please enter your comment!
Please enter your name here