ଭାସ୍କର ପରିଛା  

ପାଣି ଏବେ କେବଳ ସରକାରୀ ସ୍ତରରେ ବା କୋର୍ଟ କଚେରୀରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିନାହିଁ, ସାଧାରଣ ଲୋକମାନେ ମଧ୍ୟ ଏହାର ଗୁରୁତ୍ୱକୁ ବୁଝିବା ଆରମ୍ଭ କଲେଣି।

ଆଜି (ମାର୍ଚ୍ଚ ୨୨)ତାରିଖ ହେଉଛି ବିଶ୍ୱ ପାଣି ଦିବସ। ବିଗତ କିଛି ବର୍ଷ ଧରି ବିଶ୍ୱ ତମାମ ପାଣିକୁ ନେଇ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଆସିଛି।

ସକଳ ଜୀବଜନ୍ତୁ, ବୃକ୍ଷଲତା ପାଇଁ ପାଣିର ଆବଶ୍ୟକତା ସମ୍ପର୍କରେ କୌଣସି ପ୍ରାକ୍-ଉଲ୍ଳେଖ ନିଷ୍ପ୍ରୟୋଜନ।ବିଶ୍ୱ କଥା ଛାଡନ୍ତୁ ଭାରତରେ ପାଣି ଏକ ଗମ୍ଭୀର ସମସ୍ୟା ଭାବରେ ମୁଣ୍ଡ ଟେକିଲାଣି।

ପାଣିର ଉପଲବ୍ଧି ଯେତିକି ବଡ଼ ସମସ୍ୟା ନୁହେଁ ଏହାର ସମବଂଟନ ତା’ଠାରୁ ଆହୁରି ବଡ଼ ସମସ୍ୟା।

ପାଣି ଏବେ କେବଳ ସରକାରୀ ସ୍ତରରେ ବା କୋର୍ଟ କଚେରୀରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିନାହିଁ, ସାଧାରଣ ଲୋକମାନେ ମଧ୍ୟ ଏହାର ଗୁରୁତ୍ୱକୁ ବୁଝିବା ଆରମ୍ଭ କଲେଣି। କେହି କେହି କହନ୍ତି ଯଦି ଭବିଷ୍ୟତରେ କେବେ ବି ବିଶ୍ୱଯୁଦ୍ଧ ହୁଏ ତା ପଛରେ ଏକମାତ୍ର କାରଣ ହେବ ପାଣି।

ବିଗତ କିଛି ବର୍ଷ ଧରି ଓଡ଼ିଶାରେ ପାଣିକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ଅବତାରଣା ଅନାବଶ୍ୟକ। ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ କେତେ ଯେ ପାଣି ବୋହି ଗଲାଣି ତାର ହିସାବ ନାହିଁ।ରାଜନୈତିକ ଦୃଷ୍ଟିକୋଣରୁ ପାଣିକୁ ନ ଦେଖି ଯଦି ଆମେ ଏହାକୁ ବ୍ୟାବହାରିକ ଦିଗରୁ ବି ଦେଖିବା, ଏହି ସିଦ୍ଧାନ୍ତରେ ଆମେ ପହଂଚିବା ଯେ ଆଗାମୀ ଦିନରେ ଜଳ ସମସ୍ତଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ସୃଷ୍ଟି କରିବ।

ଗୋଟିଏ ପଟେ ଜଳର ପାରମ୍ପରିକ ଉତ୍ସ ଓ ସ୍ରୋତ ଶୁଖି ଯାଉଥିବା ବେଳେ ଏହାର ପୁନଃଭରଣ ପାଇଁ କୌଣସି ସ୍ତରରେ କେହି ଚିନ୍ତା କରୁ ନାହାନ୍ତି। ହୋଇପାରେ ଓଡିଶା ଯେହେତୁ ଏକ ନଦୀବହୁଳ ରାଜ୍ୟ ଅଣଜଳ ରାଜ୍ୟ ଭଳି ଆମ ପାଇଁ ସମସ୍ୟା ଟି ଏତେ ସଙ୍ଗୀନ ନୁହେଁ। କିନ୍ତୁ ତା’ର ଅର୍ଥ ନୁହେଁ ଆମେ ନିର୍ବିକାର ଭାବରେ ଏହି ସମସ୍ୟା ପ୍ରତି ଆଖି ବୁଜିଦେବା।

ଅଗ୍ରଗାମୀର ନିର୍ଦେଶକ ଓ ଆଦିବାସୀଙ୍କ ପାଇଁ ଦଶନ୍ଧି ଦଶନ୍ଧି ଧରି କାମ କରି ଆସିଥିବା ଅଚ୍ୟୁତ ଦାସ ବିକାଶର ବିଭିନ୍ନ ଦିଗ ଉପରେ ବେଶ୍ କିଛି ଅଧ୍ୟୟନ କରିଛନ୍ତି। ଅଧ୍ୟୟନ ସହିତ ବିକାଶର ପ୍ରୟୋଗାତ୍ମକ ଦିଗ ଉପରେ ମଧ୍ୟ ତାଙ୍କର ଦଖଲ ରହିଛି।ଏହାର କାରଣ ସେ ନିଜେ କାଶୀପୁର ଭଳି ଏକ ଅଗମ୍ୟ ଇଲାକାରେ ରହି ସେଠାକାର ଆଦିବାସୀମାନଙ୍କ ସମସ୍ୟା ସହିତ ନିଜକୁ ସାମିଲ କରି ଆସିଛନ୍ତି।

ଅଚ୍ୟୁତ ଦାସ ଓ ତାଙ୍କ ପତ୍ନୀ ବିଦ୍ୟା ଦାସ ବିକାଶ ଓ ପରିବର୍ତ୍ତନକୁ ନେଇ ଯେଉଁ ସବୁ ପୁସ୍ତକ ରଚନା କରିଛନ୍ତି ସେଗୁଡିକ ବେଶ୍ ଉପାଦେୟ ଏବଂ ଯେଉଁମାନେ ଏ ଦିଗରେ ଅଧିକ ଗବେଷଣା କରିବେ ସେମାନଙ୍କ ପାଇଁ ଏ ଗୁଡିକ ବହୁଳ ଭାବରେ କାମରେ ଲାଗିବ।

‘ପାଣି ସମସ୍ତଙ୍କ ପାଇଁ’ ଅଚ୍ୟୁତ ଦାସଙ୍କ ଅନ୍ୟ ଏକ ମହତ ଉଦ୍ୟମ। ଭୁବନେଶ୍ୱରର ଶିକ୍ଷା ସନ୍ଧାନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ଶ୍ରୀ ଦାସ ଜଳ ସମସ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି। ପୁସ୍ତକଟି ପଚାଶଟି ପ୍ରବନ୍ଧର ସଂକଳନ। ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଲେଖା ଗୁଡିକୁ ଏକତ୍ରିତ କରି ଏକ ପୁସ୍ତକ ଆକାରରେ ସର୍ବସାଧାରଣଙ୍କ ସାମ୍ନାରେ ଥୋଇବା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ ଉଦ୍ୟମ।

ତାଙ୍କରି ପ୍ରଚେଷ୍ଟାରେ ଓଡିଶା ୱାଟର ଫୋରମ ଗଠିତ ହୋଇଥିଲା ଏବଂ ପାଣିକୁ ନେଇ ଏକ ମିଳିତ ମଞ୍ଚ ଗଢି ତୋଳିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ରମେଶ ଗୁମାନସିଂହଙ୍କ ପ୍ରଛଦ,ଡକ୍ଟର ଶିଶିରକାନ୍ତ ବେହେରାଙ୍କ ପୃଷ୍ଠବନ୍ଧ ଓ ପ୍ରୋଫେସର ରାଧା ମୋହନ ମଲ୍ଲିକଙ୍କ ମୁଖବନ୍ଧ ସହ ୨୦୦ ପୃଷ୍ଠାର ଏହି ପୁସ୍ତକର ଦାମ ୨୦୦ ଟଙ୍କା ରଖାଯାଇଛି।

ଜଙ୍ଗଲ, ଆଦିବାସୀ, ବିକାଶ ଓ ଜଗତିକରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଧାରାବାହିକ ଭାବେ ଲେଖି ଆସୁଥିବା ଅଚ୍ୟୁତ ଦାସଙ୍କ ପାଣି ପୁସ୍ତକଟି ନିଶ୍ଚିତ ଭାବରେ ନିଆରା। ସରକାରଙ୍କ ବିଭିନ୍ନ ଯୋଜନା,ବୃହତ ଡ୍ୟାମ ଓ ବିସ୍ଥାପନ,ଜଳକଷ୍ଟ ଭୋଗୁଥିବା ପିପଳପଦର, ନଦୀ ସଂଯୋଗିକରଣ,ଜଳ ସମ୍ପଦ ପରିଚାଳନା,କୃଷି ବନାମ ଶିଳ୍ପ ପାଇଁ ଜଳ,ସହରାଞ୍ଚଳ ଜଳ ଯୋଗାଣ ସମସ୍ୟା,ବଲିଭିଆରେ ଜଳଯୁଦ୍ଧ, ପୋଲାବରମ, ମହାନଦୀ,ପାରମ୍ପରିକ ଜଳ ଅମଳ ପଦ୍ଧତି, ଜଳସମ୍ପଦର ଘରୋଇକରଣ, ପଶ୍ଚିମ ଓଡିଶାର ଜଳ ସମସ୍ୟା ଆଦି ଏକାଧିକ ଉପପ୍ରସଙ୍ଗରେ ସଜ୍ଜିତ ଏହି ପୁସ୍ତକ ରଚନାକୁ ଏକ ସମୟ ଉପଯୋଗୀ ପଦକ୍ଷେପ କହିଲେ ଭୁଲ ହେବ ନାହିଁ।

ମାଟି -ପାଣି- ସମ୍ପଦର ବିକାଶ କ୍ଷେତ୍ରରେ କିଛି କରି ଦେଖାଇଥିବା ଦୁଇ ଜଣ ବ୍ୟକ୍ତିଙ୍କ କଥା ପୁସ୍ତକରେ ଉଲ୍ଲେଖ ରହିଛି। ଜଣେ ହେଉଛନ୍ତି ଇଂଜିନିୟର ବିଜୟରମ ଦାସ ଓ ଅନ୍ୟ ଜଣେ ବନମାଳୀ ନାୟକ। ଶ୍ରୀ ଦାସ ତାଙ୍କ ଲେଖକୀୟ ମନ୍ତବ୍ୟରେ ଗୋଟିଏ ଉପାଦେୟ କଥା ଲେଖିଛନ୍ତି।ସେଇଟି ହେଲା ଯେ ପାଣି ସମ୍ପର୍କିତ ବିତର୍କରେ ସାଧାରଣ ଲୋକଙ୍କ ଯୋଗଦାନ ମଧ୍ୟ ଅତି ଜରୁରୀ।

ଗୋଟିଏ ପଟେ ଓଡ଼ିଶାରରେ ସିଭିଲ ସୋସାଇଟିର ଦୁର୍ବଳ ସ୍ଥିତି,ତେଣେ ସମ୍ବେଦନହୀନ ରାଜନୀତି ଓ ପ୍ରଶାସନ ଏବଂ ପାଣିର ବ୍ୟବସାୟିକରଣର ଚାପ ଏ ସବୁକୁ ଦେଖିଲେ ଲେଖକ ଯାହା କହିଛନ୍ତି ତାହା ଠିକ୍।

ପାଣିକୁ ନେଇ ବର୍ତମାନଠାରୁ ଆମେ ସଜାଗ ନ ହେଲେ ଆମ ଭବିଷ୍ୟତ ବଂଶଧରଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ହେବ। ଯେଉଁମାନେ ଜଳ ସମର୍କରେ ସାମାନ୍ୟତମ ଆଗ୍ରହ ବି ରଖୁଛନ୍ତି ସେମାନେ ଅବଶ୍ୟ ଏହି ପୁସ୍ତକଟି ପଢିବା ଦରକାର।

ବିଶେଷକରି ନୀତି ନିର୍ଦ୍ଧାରକମାନେ ଏହି ପାଣି ପୁସ୍ତକରୁ କିଛି ତଥ୍ୟ ଓ ଅନ୍ତର୍ଦୃଷ୍ଟି ସଂଗ୍ରହ କରି ସରକାରୀ ନୀତିକୁ ସେଇ ଆଡେ ଯଦି ପରିଚାଳିତ କରିପାରନ୍ତେ ତାହା ଏକ ଯୁଗୋପଯୋଗୀ ପଦକ୍ଷେପ ହୋଇପାରନ୍ତା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment