ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ଯକ୍ଷ୍ମା ରୋଗକୁ ମୂଳପୋଛ କରିବାକୁ ହେଲେ ପ୍ରଥମେ ସଚେତନତା, ରୋଗୀ ଚିହ୍ନଟ ଏବଂ ପରେ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ହେବ ବୋଲି କହିଥିଲେ। ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସବୁସ୍ତରରେ ଉଦ୍ୟମ ପାଇଁ କହିଥିଲେ।

ଏହି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ ଏହି ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ। ଡାକ୍ତର ଗିରିଶ ଚନ୍ଦ୍ର ପତି ଯକ୍ଷ୍ମା ରୋଗର ଲକ୍ଷଣ ଏବଂ ଜିଲ୍ଲାରେ ପ୍ରଚଳିତ ଚିକିତ୍ସା ସୁବିଧା ବିଷୟରେ ଅବଗତ କରିଥିଲେ। ଏଣିକି ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ପରେ ଅନଲାଇନ ପଞ୍ଜୀକରଣ କରାଯିବ ବୋଲି କହିଥିଲେ। ଏହା ବ୍ୟତୀତ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ତଥା କ୍ଷେତ୍ର କର୍ମଚାରୀମାନଙ୍କ ଦ୍ୱାରା ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସେ ଗୃହରେ ପ୍ରକାଶ କରିଥିଲେ।

୨୦୧୫ ମସିହାରେ ବାଲେଶ୍ବର ଜିଲ୍ଲାରେ ୧୨,୧୩୦ଜଣଙ୍କ କଫ ପରୀକ୍ଷା କରାଯାଇ ୧୮୭୭ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ୨୦୧୬ ମସିହାରେ ୧୧,୧୪୭ ଜଣଙ୍କ କଫ ପରୀକ୍ଷାରୁ ୨୦୨୨ଜଣଙ୍କୁ ଓ ୨୦୧୭ ମସିହାରେ ୧୪,୫୨୩ ସାମ୍ପୁଲ ମଧ୍ୟରୁ ୧୮୫୧ଜଣ ଯକ୍ଷ୍ମାରେ ସଂକ୍ରମିତ ଥିବା ଜଣାପଡିଛି। ଏହି ରୋଗୀମାନଙ୍କ ଡଟ୍ସ ମାଧ୍ୟମରେ ମାଗଣା ଔଷଧ ଯୋଗାଇ ଦିଆଯାଉଥିବା ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱ ରଂଜନ ନାୟକ ପ୍ରକାଶ କରିଥିଲେ।

ବାଲେଶ୍ୱର ଜିଲ୍ଲାରେ ୩୯ଜଣ ଏମ.ଡି.ଆର., ୪ଜଣ ଏକ୍ସ.ଡି.ଆର. ଓ ୭ଜଣ ଯକ୍ଷ୍ମା-ଏଡ୍ସ୍ ଉଭୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଯକ୍ଷ୍ମା ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ବେହେରା, ସହକାରୀ ପ୍ରଫେସର ଡାକ୍ତର ଅରବିନ୍ଦ ବେହେରା, ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ବ୍ରଜ କିଶୋର ପାତ୍ର, ଡି.ପି.ଏମ. ପ୍ରଭୁ, ପ୍ରତ୍ୟନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ।

Comment