ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ୍ ଫଟୋ
  • ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
  • ସୋସିଆଲ ମିଡିଆ ଅପବ୍ୟବହାର ଉପରେ ଲାଗିଲା କଟକଣା
  • ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ପଦକ୍ଷେପ

ପବିତ୍ର ରାମନବମୀ ପାଳନ ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି। ଭଦ୍ରକର ଗାନ୍ଧି ପଡ଼ିଆରେ ମଧ୍ୟ ରାମନବମୀ ପାଇଁ ଆୟୋଜନ ହୋଇଛି ବ୍ୟାପକ ପ୍ରସ୍ତୁତି। ହେଲେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଭଦ୍ରକ ସହରରେ ୧୪୪ ଧାରା ଲଗାଇବା ପାଇଁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ରାମନବମୀ ପୂର୍ବରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହାସହ ସୋସିଆଲ ମିଡିଆର ଅପବ୍ୟବାହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଭଦ୍ରକ ଏସ୍‌ପି ଅନୁପ କୁମାର ସାହୁ କହିଛନ୍ତି, “ରାମନବମୀ ପାଇଁ ପ୍ରଶାସନ ସଜାଗ ହୋଇ ରହିଛି। ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥପ୍ରତି ଧ୍ୟାନ ରଖାଯାଇଛି। ସହରରେ ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ୪୮ ଘଣ୍ଟା ପାଇଁ ଇଣ୍ଟରନେବା ସେବା ବନ୍ଦ କରାଯାଇଛି।”

୨୦୧୭ରେ ରାମନବମୀ ପାଳନ ବେଳେ ଅଘଟଣ ଘଟିଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ନେଇ ବିବାଦ ଦେଖାଦେଇଥିଲା। ଏହି ବିବାଦ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ଫଳରେ ଭଦ୍ରକ ସହର ସମେତ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଥିଲା। ଦଙ୍ଗା ବିଭିନ୍ନ ଜାଗାକୁ ବ୍ୟାପିବାରୁ ପୂରା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲା।

ଗତବର୍ଷ ଘଟିଥିବା ଘଟଣାର ଯେପରି ପୁନରାବୃତ୍ତ ଚଳିତ ବର୍ଷ ନଘଟେ ସେଥିପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। କିଛିଦିନ ତଳେ ଭଦ୍ରକ ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା। ଶନିବାର ଇଣ୍ଟରନେଟ୍ ସେବା ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here