ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଆଇଟି। ଶୁକ୍ରବାର ରିମାରାଣୀଙ୍କୁ ପଚରା ଉଚରା କରିବା ପରେ ତଦନ୍ତକାରୀ ଟିମ୍ ଶନିବାର ପାଟଣାଗଡ଼ ଯାଇଛି।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖିଅ ଖୋଜିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ଏଥିପାଇଁ ଏହି ଟିମ୍ ଶନିବାର ଯାଇଛି ପାଟଣାଗଡ଼। ମୃତ ସୌମ୍ୟଶେଖରଙ୍କ ପରିବାର ଏବଂ ମାଆଙ୍କୁ ଭେଟି ବିସ୍ଫୋରଣ ସମ୍ପର୍କରେ ପଚାରିବ। ଏହାସହ ପାଟଣାଗଡ଼ ଥାନା ଏବଂ ବଲାଙ୍ଗିର ପୋଲିସକୁ ଘଟଣା ସମ୍ପର୍କରେ ପଚାରିବେ କ୍ରାଇମବ୍ରାଞ୍ଚ ଅଧିକାରୀ।

ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ଚାରି ଜଣିଆ ଏସ୍‌ଆଇଟି ଟିମ୍‌ ଶୁକ୍ରବାର କଟକ ବଡ଼ ମେଡିକାଲରେ ରିମାରାଣୀ ସାହୁଙ୍କୁ ଭେଟି ପଚରା ଉଚରା କରିଥିଲେ। ଏହାପରେ ଏହି ଟିମ୍ ଆଜି ପଟଣାଗଡ଼ ଯାଇଛନ୍ତି।

ବିସ୍ଫୋରଣ ଘଟଣା ଉପରୁ ପରଦା ହଟାଇବା ପାଇଁ ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ରିମାରାଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ। ବିସ୍ଫୋରଣ ପଛର ରହସ୍ୟ ଏବଂ ଆସାମୀ ଧରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ।

ପାର୍ସଲ ବୋମା ବିସ୍ଫୋରଣକୁ ମାସେ ପୂରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ।

ଫେବ୍ରୁଆରି ୨୩ ତାରିଖର ଘଟଣା। ୧୮ ତାରିଖରେ ପାଟଣାଗଡ଼ର ରବିନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା ଧୁମ୍‌ଧାମରେ। ବେଙ୍ଗାଳୁରରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ୨୦ ତାରିଖରେ ବଡ଼ ଜାକଜମକରେ ହୋଇଥିଲା ରିସେପ୍‌ସନ୍। ବାହାଘରର ସବୁ କାମରୁ ଫୁରସତ୍ ପାଇ ଶୁକ୍ରବାର ଦିନବେଳେ ଖୋଲା ଯାଇଥିଲା ଗିଫ୍ଟ ପ୍ୟାକେଟ୍। ଏହି ସମୟରେ ରାୟପୁରରୁ ଶୁକ୍ରବାର ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଖୁସି ମନାଉଥିଲେ। ଆଉ ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ସୌମ୍ୟଶେଖର ଆଗ ପଛ ହୋଇ ଚାଲି ଯାଇଥିଲେ। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏବେ ରିମା କଟକ ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି।

Comment