ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଓଡ଼ିଶାର ସଫଳତା ଗୁଣଗାନ କରି ଚାଲିଥିବା ବେଳେ ସିଏଜି ରିପୋର୍ଟରେ କିନ୍ତୁ ଆଜି ସତ ଧରାପଡ଼ି ଯାଇଛି। ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି।

୨୦୧୬-୧୭ ଆର୍ଥିକ ବର୍ଷର ରିପୋର୍ଟ ଦେଇଛନ୍ତି ସିଏଜି। ସରକାରଙ୍କ ଆର୍ଥିକ ପରିଚାଳନାରେ ତ୍ରୁଟି ବାହାର କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ। ରାଜସ୍ୱ ଆଦାୟ କ୍ଷେତ୍ରରେ ସରକାର ଫେଲ୍ ମାରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସିଏଜି।

ଭାଟ୍ ପ୍ରବେଶ କର, ଖଣିଜ କର ବାବଦକୁ ମାର୍ଚ୍ଚ ୨୦୧୭ ସୁଦ୍ଧା ରାଜ୍ୟ ସରକାର ୧୧ ହଜାର ୯୭୩ କୋଟି ୫୯ ଲକ୍ଷ ଟଙ୍କା ଆଦାୟ କରିପାରି ନଥିବା ସିଏଜି ଦର୍ଶାଇଛନ୍ତି। ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ କରାଯାଇ ନଥିବାରୁ ୨ କୋଟି ୫୯ ଲକ୍ଷ ଟଙ୍କାର ଟ୍ୟାକ୍ସ ଓ ଜରିମାନା ଆଦାୟ ହୋଇପାରି ନଥିଲା।

ସେହିପରି ଅବକାରୀ ସମ୍ପର୍କିତ ଅପରାଧ ମାମଲା ଗୁଡ଼ିକର ଲମ୍ବା ବିଚାରକାଳ ଦୂର କରିବାକୁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇ ନଥିବା ସିଏଜି କହିଛନ୍ତି। ୪୨ ଲକ୍ଷ ୬୧ ହଜାର ଟଙ୍କାର ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଫି ଆଦାୟ କରାଯାଇ ନଥିଲା।

୭୭.୫୩ କୋଟି ଖର୍ଚ୍ଚ କରିବା ପରେ ବି ୨୦୧୨ରୁ ୨୦୧୬ ମଧ୍ୟରେ ଖଣିଜ ଭଣ୍ଡାରର ଅଭିବୃଦ୍ଧି ଘଟି ନଥିଲା। ୨୦୧୬-୧୭ରେ ରାଜ୍ୟ ସରକାର ୩୦ ହଜାର ୮୯୫ କୋଟି ୪୯ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କଠାରୁ ୪୩ ହଜାର ୪୦୩ କୋଟି ୯୦ ଲକ୍ଷ ଟଙ୍କା ପାଇଥିବା ସିଏଜି ଦର୍ଶାଇଛନ୍ତି।

ଇନ୍ଦିରା ଆବାସ ଭଳି ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ଅନିୟମିତତାକୁ ଧରିଛନ୍ତି ସିଏଜି। ଗୋଟିଏ ଘରର ଫଟୋକୁ କିପରି ଦୁଇଟି ହିତାଧିକାରୀଙ୍କ ନାଁରେ ଦେଖାଯାଇଛି ତାର ଉଦାହରଣ ଦେଇଛନ୍ତି ସିଏଜି।

ବିଭିନ୍ନ ବିଭାଗ ଟଙ୍କା ଖର୍ଚ୍ଚ କରିପାରି ନଥିବା ଦର୍ଶାଇଛନ୍ତି ସିଏଜି। ୨୦୧୬-୧୭ ବଜେଟରେ ପଞ୍ଚାୟତିରାଜ ବିଭାଗକୁ ୧୨,୯୦୩ କୋଟି ଟଙ୍କା ଦିଆଯାଇଥିଲା। ହେଲେ ବର୍ଷ ଶେଷ ସୁଦ୍ଧା ସେଥିରୁ ୫୬୭୭ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନଥିଲା। ବଲାଙ୍ଗିର, ଗଜପତି, ବରଗଡ, ଦେବଗଡ, କେନ୍ଦୁଝର ଏବହ ମୟୂରଭଞ୍ଜ ଜିଲ୍ଲାରେ ଦିଆଯାଇଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇପାରି ନଥିଲା।

Comment