ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ। ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ।
ଫେମିନା ମିସ୍ ଇଣ୍ଡିଆ ଓଡିଶା ହୋଇଛନ୍ତି ଓଡିଆ ଝିଅ ଶ୍ରୁତିକ୍ଷା ନାୟକ । ଭୁବନେଶ୍ୱରର ଝିଅ ଶ୍ରୁତିକ୍ଷା ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ।
କୋଲକାତାରେ ଅନୁଷ୍ଠିତ ବର୍ଣାଢ୍ୟ ଉତ୍ସବରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଟାଇଟଲ ଜିତିଛନ୍ତି ଶ୍ରୁତିକ୍ଷା । ଏହି ପ୍ରତିଯୋଗିତାରେ ୧୩ଟି ରାଜ୍ୟ ଛତିଶଗଡ଼, ବିହାର, ଝାଡଖଣ୍ଡ, ସିକିମ, ଆସାମ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶର ୩୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ବାଜି ମାରି ନେଇଛନ୍ତି ୨୦ ବର୍ଷୀୟା ଶ୍ରୁତିକ୍ଷା ।
ଏହି ସୁନ୍ଦରୀ ମୁକୁଟ ଜିତିବା ପାଇଁ ସେ ଆଉ ଏକ ସୋପାନ ଆଗକୁ ଚଢ଼ିଛନ୍ତି। ‘ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ’ରେ ଯୋଗ ଦେବେ ଶ୍ରୁତିକ୍ଷା । କୋଲ୍କାତାର ସ୍ୱିସୋଟେଲ୍ ହୋଟେଲ୍ରେ ଆୟୋଜିତ ‘ପୂର୍ବାଞ୍ଚଳ କ୍ରାଉନିଂ ସେରିମୋନି’ରେ ଆଉ ଦୁଇ ଜଣ ଓଡ଼ିଆ ଝିଅ ପ୍ରିୟା କୌସାଗାରା, ଐଶ୍ୱର୍ଯ୍ୟା ଜେନାଙ୍କୁ ପଛରେ ପକାଇ ଶ୍ରୁତିକ୍ଷା ଆସନ୍ତା ଜୁନ୍ରେ ମୁମ୍ବାଇରେ ଆୟୋଜିତ ଗ୍ରାଣ୍ଡ୍ ଫିନାଲେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୁତିକ୍ଷାଙ୍କ ସହ ପୂର୍ବଞ୍ଚାଳର ୧୪ ଜଣ ପ୍ରତିଯୋଗୀ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଅଂଶଗ୍ରହଣ କରିବେ।
ଶ୍ରୁତିକ୍ଷା କିଟ୍ ବିଶ୍ୱବିଦ୍ୟାଳୟର ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ଛାତ୍ରୀ। ପିତା କରୁଣାକର ନାୟକ ଓ ମା’ ପୁନମ୍ ନାୟକଙ୍କ ସହ ସେ ଆଇଆର୍ସି ଭିଲେଜରେ ରହନ୍ତି। ପିଲା ଦିନରୁ ନୃତ୍ୟରେ ବେଶ୍ ପ୍ରବୀଣା ଶ୍ରୁତିକ୍ଷା ଜି ଟିଭିରେ ପ୍ରସାରିତ ଡ୍ୟାନ୍ସ ସୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
“ମୁମ୍ବାଇରେ ଗ୍ରାଣ୍ଡ୍ ଫିନାଲେରେ ଯୋଗ ଦେବାକୁ ଯାଉଥିବାରୁ ଅତ୍ୟନ୍ତ ଖୁସି। ସେଠାରେ ଆୟୋଜିତ ୭ ଦିନର ବିଭିନ୍ନ ରାଉଣ୍ଡ୍ରେ ବହୁତ କିଛି ଶିଖିବାକୁ ମିଳିଥିବା ବେଳେ ଫେମିନା ମିସ୍ ଇଣ୍ଡିଆ-୨୦୦୯ ପୂଜା ଚୋପ୍ରାଙ୍କ ତତ୍ତ୍ୱାବଧାନରେ ନିଜକୁ ଅଧିକ ମାର୍ଜିତ କରିବାର ସୁଯୋଗ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ”, କହିଛନ୍ତି ଶ୍ରୁତିକ୍ଷା।








ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ। ଫେମିନା ମିସ୍ ଇଣ୍ଡିଆ ଓଡିଶା-୨୦୧୮ର ମୁକୁଟ ବିଜୟିନୀ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ସେ।
