ଓଡ଼ିଶାଲାଇଭ୍ ବ୍ୟୁରୋ
“ସରକାର ଶିକ୍ଷକମାନଙ୍କର ବିକଳ୍ପ ଖୋଜୁଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଚାହୁଁଥିବା ସରକାରଙ୍କର ଏଣିକି ବିକଳ୍ପ ଖୋଜାଯିବ। ବିକଳ୍ପ ନୀତିକୁ ନେଇ ବିକଳ୍ପ ସରକାର ଗଠନ କରାଯିବ”, କହିଛନ୍ତି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା।
ଶିକ୍ଷକ ଓ ଅଧ୍ୟାପକଙ୍କୁ ସରକାର ଉଚିତ୍ ନ୍ୟାୟ ପ୍ରଦାନ କରୁ ନାହାନ୍ତି। ଜାଣିଶୁଣି ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ପ୍ରତିବାଦ କରିବାରୁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସରକାରଙ୍କ ଏହି ନୀତିକୁ ନାପସନ୍ଦ କରି ସୋମବାର ଭୁବନେଶ୍ୱର ଲୋୟର ପିଏମ୍ଜିରେ ଶିକ୍ଷକମାନେ ରଣହୁଙ୍କାର ଦେଇଛନ୍ତି। ଶତାଧିକ ଶିକ୍ଷକ ସରକାର ବିରୋଧୀ ନାରା ଦେଇ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ। ହେଲେ ପୋଲିସ ଅଟକାଇବାରୁ ଶିକ୍ଷକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶିକ୍ଷକମାନେ ଉତକ୍ଷିପ୍ତ ହୋଇ ପୋଲିସ ଉପରକୁ ଚେୟାର ଫିଙ୍ଗିଥିଲେ।
ସରକାର ଶିକ୍ଷକମାନଙ୍କ ଦାବି ପୂରଣ କରି ନଥିବାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରି ନଥିଲେ ଶିକ୍ଷକ। ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା ଦେଇଥିଲେ ଶିକ୍ଷକ। ଖାତାଦେଖା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଥିଲେ।
+୨ ଖାତା ମୂଲ୍ୟାୟନରେ ବି ସହଯୋଗ କରି ନଥିଲେ ଅଧ୍ୟାପକ। ଅଧ୍ୟାପକମାନେ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି। +୨ ଖାତା ଦେଖାରେ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଥିବାରୁ ଆଜି ଶିକ୍ଷକ ଆନ୍ଦୋଳନ ତୀବ୍ର ହୋଇଥିଲା।
ଶିକ୍ଷକ ଅଧ୍ୟାପକମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।


















