ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁଶୁଡୁଛି କଂଗ୍ରେସ ଘର। ଜଣକ ପରେ ଜଣେ ନେତା କଂଗ୍ରେସରୁ ଫେରାଇ ନେଉଛନ୍ତି ମୁହଁ। ଏହି ରେସ୍ରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ଏପ୍ରିଲ ୪ରେ ବିଜେଡି ସଭାପତିଙ୍କ ଉପସ୍ଥିତିରେ ଶଙ୍ଖ ଧରିବେ ବୋଲି ଜୋର୍ ଧରିଛି ଚର୍ଚ୍ଚା।
ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ବିଜେପି ଏବଂ ବିଜେଡି ଘର ସଜାଡ଼ୁଥିବା ବେଳେ କଂଗ୍ରେସ ଘର ଭୁଶୁଡ଼ି ଯାଉଛି। ଅତୀତରେ ବହୁ କଂଗ୍ରେସ ନେତା ବିଜେପି ଏବଂ ବିଜେଡିରେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ଆଉ ଜଣେ ଟାଣୁଆ କଂଗ୍ରେସ ନେତା ଶଙ୍ଖ ଧରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି ଟାଣୁଆ ନେତା ଜଣକ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ।
ଚନ୍ଦ୍ରଶେଖର ବିଜେଡିରେ ମିଶିବା ନେଇ କୌଣସି ସଙ୍କେତ ଦେଇ ନାହାନ୍ତି। ହେଲେ ବ୍ରହ୍ମପୁରରେ ଏକ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଏବଂ ଚନ୍ଦ୍ରଶେଖର ସାହୁ ଏକାଠି ହେବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପ୍ରିଲ ୪ରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏହି ସମୟରେ ବ୍ରହ୍ମପୁରରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ହାତ ଛାଡ଼ି ଶଙ୍ଖ ଧରିବେ।
ବିଗତ ଦିନରେ ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ବହୁ ତୁଙ୍ଗ କଂଗ୍ରେସ ନେତା ଦଳ ଛାଡ଼ିଥିବା ନଜିର ରହିଛି। ଏବେ ଚନ୍ଦ୍ରଶେଖର ବିଜେଡିରେ ମିଶିବା ପରେ ଏହି ଜାତୀୟ ଦଳ ଦକ୍ଷିଣ ଓଡ଼ିଶାରେ ନିଜର ଅସ୍ଥିତ୍ୱ ହରାଇବ ବୋଲି ଚର୍ଚ୍ଚା ହେଉଛି।
ଚନ୍ଦ୍ରଶେଖର ସାହୁ ଉପା-୧ ସରକାରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରହିଥିଲେ। କେବଳ ଚନ୍ଦ୍ରଶେଖର ନୁହନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଏବଂ ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏପ୍ରିଲ ୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଭବାନିପାଟଣାରେ ସେ ଏକ ସମାବେଶରେ ଉଦ୍ବୋଧନ ଦେବେ। ୫ ତାରିଖରେ ଶାହା ବଲାଙ୍ଗିରରେ ଏକ ଯୁବ ସମାବେଶରେ ବି ଉଦବୋଧନ ଦେବେ। ଶାହାଙ୍କ ଗସ୍ତକୁ କାଉଣ୍ଟର କରିବା ପାଇଁ ବିଜେଡି ବ୍ରହ୍ମପୁରରେ ଏହି ମିଶ୍ରଣ ପର୍ବ ଆୟୋଜନ କରୁଥିବା ରାଜନୀତି କରିଡରରେ ଆଲୋଚନା ହେଉଛି।








ଭୁଶୁଡୁଛି କଂଗ୍ରେସ ଘର। ଜଣକ ପରେ ଜଣେ ନେତା କଂଗ୍ରେସରୁ ଫେରାଇ ନେଉଛନ୍ତି ମୁହଁ। ଏହି ରେସ୍ରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ଏପ୍ରିଲ ୪ରେ ବିଜେଡି ସଭାପତିଙ୍କ ଉପସ୍ଥିତିରେ ଶଙ୍ଖ ଧରିବେ ବୋଲି ଜୋର୍ ଧରିଛି ଚର୍ଚ୍ଚା।









