ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଲୋକପରମ୍ପରାର ଅଦ୍ୱିତୀୟ ଲୋକପର୍ବ ବାଲେଶ୍ୱରର ଜଉକଣ୍ଢେଇ ବାହାଘର। କେବଳ ଓଡିଶାରେ ନୁହଁ, ସାରା ଭାରତରେ ଏହିଭଳି ଏକ ଲୋକପର୍ବ ବିରଳ। ୨୦୧୧ରୁ ଏହି ପର୍ବ ଆଗେଇ ଚାଲିଛି। ଏହି ପର୍ବ ପାଳନର ଆରମ୍ଭରୁ ଏକ ନିର୍ଦ୍ଧାରିତ ପଞ୍ଜିକାରେ ପାଳନ କରାଯାଇ ଆସୁଛି।
ପଞ୍ଜିକାନୁଯାୟୀ ଅଢେଇ ମାସ ଧରି ପାଳିତ ହେଉଥିବା ଏହି ପର୍ବଟି ଦୋଳ ପୂର୍ଣ୍ଣିମାରୁ ବର-କନିଆ ଜଉକଣ୍ଢେଇର ନାମକରଣ ହୋଇଥାଏ। ରାମନବମୀରେ ବର-କନିଆ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ, ଚନ୍ଦନ ପୂର୍ଣ୍ଣୀମାରେ ଲଗ୍ନଧରା ଓ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ବାହାଘର ହୋଇ ସାବିତ୍ରୀ ଅମାବସ୍ୟାର ପୂର୍ବ ଦିନ ଭୋଜି ପରେ ଏହି ପର୍ବ ସମାପ୍ତ ହୁଏ। ଏକ ବିଲୁପ୍ତ ଲୋକକଳାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଜଉକଣ୍ଢେଇ ବାହାଘର ଉତ୍ସବଟି ଦିନକୁ ଦିନ ଲୋକାଦୃତ ହୋଇ ଲୋକପର୍ବରେ ପରିଣତ ହେଲାଣି।
ଚଳିତବର୍ଷ ମଧ୍ୟ ପଞ୍ଜିକାନୁଯାୟୀ ପବିତ୍ର ହୋଲି ପୂର୍ଣ୍ଣିମା ଅବସରରେ ବର-କନିଆ ଜଉକଣ୍ଢେଇର ନାମ କାଳିଜାଇ ଓ ଶିବ ଘୋଷଣା କରାଯାଇ ରାମନବମୀରେ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ବାଲେଶ୍ୱର ସହର ଉପକଣ୍ଠ ବାମପଦାସ୍ଥ ନୋସି ଉତ୍କଳାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ଆୟୋଜିତ କାଳିଜାଇ ଓ ଶିବ ଜଉକଣ୍ଢେଇର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏହାକୁ ତ୍ରିବେଣୀଶ୍ୱର ଭାଗବତ ପୀଠର ମଠାଧୀଶ ଦୟାନନ୍ଦ ଦାସ ମହାରାଜ ଉଦଘାଟନ କରିଛନ୍ତି। ଜଉକଣ୍ଢେଇ ବାଲେଶ୍ୱରର ବହୁ ପୁରାତନ କଳା ସଂସ୍କୃତି ବୋଲି ମତ ପ୍ରଦାନ କରିଥିବା ବେଳେ ତ୍ରିବେଣୀ ଘାଟର ମହାତ୍ମ୍ୟ ବର୍ଣ୍ଣନା କରିଥିଲେ।
ବୁଢାବଳଙ୍ଗ, ଗଙ୍ଗାହାର ଓ ସୋଣ ନଦୀର ସଂଗମସ୍ଥଳ ତ୍ରିବେଣୀ ଘାଟରୁ ନିରଞ୍ଜନ ଗିରିଙ୍କ ତତ୍ୱାବଧାନରେ କାଠ ସଂଗଡାର ସଂକୀର୍ତନ ଦଳ ହରିଧ୍ୱନି ଦେଇ କାଳିଜାଇ ଓ ଶିବ ଜଉକଣ୍ଢେଇ ନିର୍ମାଣ ପାଇଁ ମାଟି ଓ ଜଳ ନେଇ ନୋସି ଉତ୍କଳାରେ ପହଞ୍ଚିଥିଲେ। ଜଉକଣ୍ଢେଇ ବାହାଘରର ଆବାହକ ଶିଳ୍ପୀ କେଶୁଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ ବେଳେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସମ୍ପାଦକ ଡାକ୍ତର କୁମାର ଗୋପାଳ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଶିଳ୍ପୀ ରମେଶ ମୁଦୁଲି ଜଉକଣ୍ଢେଇ ଗଢିବା ଆରମ୍ଭ କରିଥିବା ବେଳେ ଅରଡବଜାର ଜଉଘର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ସହଯୋଗ କରିଥିଲେ। ଏଥିରେ ଶାନ୍ତନୁ ପଟ୍ଟନାୟକ, ପ୍ରବୀର କମିଳା, ଗଗନ ସେଠୀ, ପ୍ରଣତୀ ମହାପାତ୍ର, ସୁବ୍ରତା ମହାନ୍ତି, ସୁଧାକର ସେଠୀ, ପଦ୍ମଲୋଚନ ପ୍ରଧାନ, ଉଷାରାଣୀ ଦାସ, ବିମଳା ରଥ ପ୍ରମୁଖ ଯୋଗ ଦେଇଥିଲେ।


















