ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ
  • ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣାରେ ବସିଲେ
  • ଧାରଣାରେ ସାମିଲ ହେଲେ ବିରୋଧୀ ଦଳ ନେତା
  • ପରିସ୍ଥିତି ଅଣାୟତ୍ତ ହେବାରୁ ଗୃହ ବୁଧବାର ଯାଏଁ ଗୃହ ମୁଲତବି

ସୋମବାର ପରି ମଙ୍ଗଳବାର ମଧ୍ୟ ଗୃହରେ ଲୋକାୟୁକ୍ତ ଝଡ଼ ଦେଖିବାକୁ ମିଳିଛି। ଓଡ଼ିଶାରେ କାହିଁକି ଲୋକାୟୁକ୍ତ ନିଯୁକ୍ତି କରାଯାଉ ନାହିଁ ପ୍ରଶ୍ନ କରି ବିରୋଧୀ ବିଜେପି ଏବଂ କଂଗ୍ରେସ ଗୃହ ଅଚଳ କରିଛନ୍ତି। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ବୁଧବାର ଯାଏଁ ଗୃହ ମୁଲତବି କରିଛନ୍ତି।

ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲା। କାହିଁକି ସରକାର ଲୋକାୟୁକ୍ତ ନିଯୁକ୍ତି କରୁ ନାହାନ୍ତି ସେନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ। ହେଲେ ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ କଂଗ୍ରେସ ସଭ୍ୟ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ଧାରଣା ଦେଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ବି ନିଜ ଆସନ ଛାଡ଼ି ପୋଡ଼ିୟମ ତଳେ ଧାରଣା ଦେଇଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ବାଚସ୍ପତି ପ୍ରଥମେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖିଥିଲେ। ହେଲେ ବିରୋଧୀ ସଭ୍ୟ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଗୃହ ଚାଲି ନପାରିବାରୁ ବାଚସ୍ପତି ପୁଣି ଅପରାହ୍ଣ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଅପରାହ୍ଣ ଅଧିବେଶନରେ ବି ପରିସ୍ଥିତି ସୁଧୁରି ନଥିଲା। ବିଜେପି ଏବଂ କଂଗ୍ରେସ ସଭ୍ୟ ଗୃହ ମଧ୍ୟଭାଗରେ ହୋ-ହଲ୍ଲା କରିବାରୁ ବାଚସ୍ପତି ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି।

“ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଲୋକାୟୁକ୍ତ ଗଠନ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳି ସାରିଛି। ବିରୋଧୀ ଦଳ ଏବେ ଆନ୍ନା ହାଜାରେଙ୍କ ଆନ୍ଦୋଳନକୁ ଦେଖି ଏହି ପ୍ରସଙ୍ଗ ଉଠାଉଛନ୍ତି। ଆଗରୁ ସେମାନେ କୁଆଡ଼େ ଯାଇଥିଲେ”, କହିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର।

“ବାଚସ୍ପତି ବିରୋଧୀ ଦଳ ସଭ୍ୟଙ୍କୁ ଅଣଦେଖା କରୁଛନ୍ତି। ଆମେ ଯେଉଁ ପ୍ରସଙ୍ଗ ଉଠାଉଛୁ ସେଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଜଣାପଡ଼ୁଛି ଗୃହରେ ବିରୋଧୀ ଦଳଙ୍କର ଆବଶ୍ୟକତା ନାହିଁ। ଲୋକାୟୁକ୍ତ ନିଯୁକ୍ତିରେ କାହିଁକି ବିଳମ୍ବ ହେଉଛି ସେନେଇ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦିଅନ୍ତୁ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ସୋମବାର ଏହି ପ୍ରସଙ୍ଗକୁ ଧରି ବିରୋଧୀ ଗୃହରେ ହୋ-ହଲ୍ଲା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ମାତ୍ର ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ବିରୋଧୀ ସଭ୍ୟ କକ୍ଷତ୍ୟାଗ କରିଥିଲେ।

Comment