ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇରାଲ ଭିଡିଓର ଖଳନାୟକ ଥିଲେ ଉନ୍ମୟ ପାଢ଼ି। ଉନ୍ମୟ ନିଜ ସେକ୍ସ ଭିଡିଓକୁ ନିଜେ ଭାଇରାଲ କରିଥିବା ତଥ୍ୟ ପୋଲିସ ହାତରେ ଲାଗିଛି। ତେବେ ହତ୍ୟାକାରୀ କିଏ ତା ପାଖରେ ଏଯାଏଁ ପହଞ୍ଚି ପାରିନି ପୋଲିସ।

ଉନ୍ମୟ ପାଢ଼ି ହତ୍ୟାକାଣ୍ଡର ଏକ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ହତ୍ୟାକାଣ୍ଡର ତଦନ୍ତ କରୁ କରୁ କମିଶନରେଟ ପୋଲିସ ହାତରେ ଏକ ନୂଆ ସୁରାଗ୍ ଲାଗିଛି। ନିଜ ସେକ୍ସ ଭିଡିଓ ନିଜେ ଭାଇରାଲ କରିଥିବାରୁ ଉନ୍ମୟ ପାଢ଼ିଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାକାରୀ କିଏ ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଫୋରେନସିକ୍‌ ଟିମ୍ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟ ଏବଂ ଘଟଣାସ୍ଥଳରୁ ମିଳିଥିବା ଲାପଟପ୍‌ ଏବଂ ପୋଡ଼ା ପେନ୍‌ଡ୍ରାଇଭକୁ ଧରି ପୋଲିସ ହତ୍ୟାକାରୀଙ୍କୁ ଖୋଜିଛି।

“ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ଉନ୍ମୟ ପାଢ଼ି ନିଜେ ତାଙ୍କ ଭିଡିଓ ଭାଇରାଲ କରିଥିବା ତତନ୍ତ ବେଳେ କିଛି ସୁରାଗ୍ ମିଳିଛି। ଏହି ହତ୍ୟାକାଣ୍ଡର ଚେର କୁଆଡେ ଲମ୍ବିଛି ତାହା ସ୍ପଷ୍ଟ ହୋଇନି। ସବୁକିଛି ସ୍ପଷ୍ଟ ହେବା ପାଇଁ ସମୟ ଲାଗିବ”, କହିଛନ୍ତି ପୋଲିସ କମିଶନର ୱାଇ ବି ଖୁରାନିଆ।

କ’ଣ ଥିଲା ଘଟଣା?

୨୦୧୭ ମାର୍ଚ୍ଚ ମାସ ୧୦ ତାରିଖରେ ଉନ୍ମୟଙ୍କୁ ଖାରବେଳ ନଗର ଥାନା ପୋଲିସ ଗିରଫ କରିଥିଲା। ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଉନ୍ମୟଙ୍କୁ ଗିରଫ କରିଥିଲା ପୋଲିସ। ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ ଉନ୍ମୟ ତାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କଟାଇଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତାଙ୍କ ମାନ ସମ୍ମାନରେ ଆଞ୍ଚ ଆସିଛି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହାକୁ ଆଧାର କରି ପୋଲି ଉନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଉନ୍ମୟ ଜାମିନରେ ଆସିଥଲେ।

କିଏ ଏହି ଉନ୍ମୟ ପାଢ଼ି?

ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ବିଜେବି ନଗରରେ ରହୁଥିଲେ ଉନ୍ମୟ। ନୂଆପଲ୍ଲୀ ଅଞ୍ଚଳରେ ଥିବା ଆଇସିଏ ନାମକ ଏକ ଶିକ୍ଷାନୁଷ୍ଠାନର ସେ ଓଡ଼ିଶା ମୁଖ୍ୟ ଥିଲେ। ଭାଇରାଲ ଭିଡ଼ିଓର ଅଭିଯୋଗ ଆଣିଥିବା ଯୁବତୀ ଜଣକ ତାଙ୍କ ପାଖରେ ଆକାଉଣ୍ଟାଣ୍ଟ ଚାକିରି କରୁଥିଲେ। ଚାକିରି ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଉନ୍ମୟ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଏକାଧିକ ଭିଡିଓକୁ ଉନ୍ମୟ ତାଙ୍କ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ପରେ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିବାରୁ ଉନ୍ମୟ ଯୁବତୀଙ୍କୁ ଧମକ ଦେଉଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଯୁବତୀଙ୍କୁ ଧମକ ଦେଇଥିଲେ।

କେମିତି ଭାଇରାଲ ହୋଇଥିଲା ଭିଡିଓ?

ଜେଲରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଉନ୍ମୟ। ମାର୍ଚ୍ଚ ୧୮ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ। ଯୁବତୀଙ୍କ ବୟଫ୍ରେଣ୍ଡ ଏବଂ ତାଙ୍କର କିଛି ସାଙ୍ଗଙ୍କ ନମ୍ବର ପାଇ ଏକାଧିକ ହ୍ୱାଟସ୍‌ ଆପ୍‌ ଗ୍ରୁପ୍ ତିଆରି କରିଥିଲେ ଉନ୍ମୟ। ଏହି ଗ୍ରୁପ୍ ଜରିଆରେ ଉନ୍ମୟ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସେୟାର କରିଥିଲେ। ଏହାସହ କିଛି ପର୍ନ ସାଇଡରେ ମଧ୍ୟ ଏହି ଭିଡିଓ ପୋଷ୍ଟ ହୋଇଥିବା ଜଣାପଡ଼ିଛି। ଏହା ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏ ସମ୍ପର୍କରେ ୨୦ ତାରିଖରେ ଯୁବତୀ ଜଣକ ଭୁବନେଶ୍ବର ଡିସିପିଙ୍କୁ ଅବଗତ କରିଥିଲେ। ହେଲେ ଏହାପରେ ଉନ୍ମୟ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଏନେଇ ଉନ୍ମୟଙ୍କ ବଡ଼ଭାଇ ଚିନ୍ମୟ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୋଲିସ ଏକ ମିସିଂ ରିପୋର୍ଟ ଦାୟର କରିଥିଲା।

୨୨ରେ ମିଳିଲା ମୃତଦେହ

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା କୁଆଖାଇ ନଦୀପଠାରୁ ଜଣେ ଯୁବକଙ୍କ ଦରେୋଡ଼ା ମୃତଦେହ ପଡ଼ିଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଏବଂ ପାଖରେ ଥିବା ବାଇକ୍‌, ଲାପ୍‌ଟପ୍‌ ଓ ପୋଡ଼ା ପେନଡ୍ରାଇଭକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଶରୀରଟି ପୋଡ଼ି ଯାଇଥିବାରୁ ଯୁବକଙ୍କୁ ଚିହ୍ନଟ କରିପାରି ନଥିଲା ପୋଲିସ। ପରେ ବାଇକ ନମ୍ବରକୁ ଆଧାର କରି ପୋଲିସ ଉନ୍ମୟଙ୍କ ଘରେ ପହଞ୍ଚିଥିଲା।

ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ପଚରାଉଚରା

ସେକ୍ସ ଭିଡିଓ ସହ ସଂପୃକ୍ତ ଥବା ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଛି। ବୟଫଣ୍ଡଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଘଟଣା ସମ୍ପର୍କରେ ପଚାରିଛି। ଦରକାର ପଡ଼ିଲେ ପୁଣି ସେମାନଙ୍କୁ ଡାକି ପଚରା ଉଚରା କରିପାରେ ପୋଲିସ। ହେଲେ ଏପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀ କିଏ ତାହା ଠଉରାଇ ପାରୁନି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ବିକ ସ୍ଥିତି ଏବଂ ପଚରା ଉଚରାକୁ ଆଧାର କରି ହତ୍ୟାକାରୀଙ୍କ ପାଖରେ ପହଞ୍ଚିବ ବୋଲି ପୋଲିସ ଆଶା ରଖିଛି।

Comment