ଓଡ଼ିଶାଲାଇଭ୍ ବ୍ୟୁରୋ

- କଟକ ଜିଲ୍ଲା ଓ ଦୌରା ଜଜ୍ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
- ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ
- ୨୦୧୩ ମାର୍ଚ୍ଚ ୧୫ର ଘଟଣା
- ମାର୍ଚ୍ଚ ୧୮ରେ ଗିରଫ ହୋଇଥିଲେ ଦୁଇ ଭାଇ
- ମହିଳା ଜଜ୍ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଜ୍ୟୋତିରଞ୍ଜନ
- ପରିବାରର ଭଲ ପାଇଁ ଜ୍ୟୋତିଙ୍କ ସାନଭାଇ ପ୍ରିୟରଞ୍ଜନ ମହିଳା ଜଜ୍ଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ
ବହୁ ଚର୍ଚ୍ଚିତ ବାଲେଶ୍ୱର ଜିଲ୍ଲା ମହିଳା ବିଚାରପତି ଅନୁପମା ବେହେରାଙ୍କ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ଦୁଇ ଭାଇ ଜ୍ୟୋତିରଞ୍ଜନ ଏବଂ ପ୍ରିୟରଞ୍ଜନ ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ଜିଲ୍ଲା ଓ ଦୌରା ଜଜ୍। ୨୦୧୩ ମାର୍ଚ୍ଚ ୧୫ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଗିରଫ ଜ୍ୟୋତିରଞ୍ଜନଙ୍କ ସହ ଅନୁପମାଙ୍କର ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି। ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେତେବେଳେ ପୋଲିସ କହିଥିଲା।
କାହିଁକି ମହିଳା ଜଜ୍ଙ୍କ ଜୀବନ ଗଲା?
ଅନୁପମା ବେହେରା ନୟାଗଡ଼ ଜିଲ୍ଲା ରଣପୁର ସବଡିଭିଜିନାଲ କୋର୍ଟରେ ବିଚାରପତି ଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଭାବେ ତାଙ୍କ ସ୍ୱାମୀ ପୁରୀରେ ଚାକିରି କରିଥିଲେ। ଏତିକି ବେଳେ ରଣପୁର କୋର୍ଟର କ୍ଲର୍କ ଜ୍ୟୋତିରଞ୍ଜନଙ୍କ ସହ ଅନୁପମାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ପରେ ଅନୁପମାଙ୍କର ବାଲେଶ୍ୱର ବଦଳି ହୋଇଯାଇଥିଲା। ହେଲେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ନଥିଲା।
ଏହି ଖବର ଜାଣିପାରିଥିଲେ ଜ୍ୟୋତିରଞ୍ଜନଙ୍କ ଭାଇ ପ୍ରିୟରଞ୍ଜନ। ଜ୍ୟୋତିରଞ୍ଜନ ବିବାହ କରିଥିବାରୁ ଏବଂ ତାଙ୍କର ଦୁଇଟି ଛୁଆ ଥିବାରୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରିୟରଞ୍ଜନ ଏକ ଯୋଜନା କରିଥିଲେ। ଜ୍ୟୋତିରଞ୍ଜନ ଏବଂ ଅନୁପମାଙ୍କ ଭିତରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ମଝିରେ ପାଚେରୀ ପକାଇବା ପାଇଁ ଉଦ୍ୟମ କରିଥିଲେ।
ବଡ଼ ଭାଇ କରୁଥିଲେ ପ୍ରେମ, ସାନ ଭାଇ ନେଲା ଜୀବନ
ପ୍ରିୟରଞ୍ଜନ ପ୍ରଥମେ ବାଲେଶ୍ୱର ଯାଇଥିଲେ। ଅନୁପମାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଭାଇ ଜ୍ୟୋତିରଞ୍ଜନଙ୍କଠାରୁ ଦୂରେଇ ରହିବା ପାଇଁ ବୁଝାଇଥିଲେ। ହେଲେ ଅନୁପମା ଏଥିରେ ରାଜି ହୋଇ ନଥିଲେ। ନିରାଶ ହୋଇ ବାଲେ୍ଶ୍ୱରରୁ ଫେରି ଆସିଥିଲେ ପ୍ରିୟରଞ୍ଜନ।
ମହିଳା ବିଚାରପତିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଜ୍ୟୋତିରଞ୍ଜନଙ୍କ ପରିବାରରେ ଝଡ଼ ଉଠିଥିଲା। ଜ୍ୟୋତି ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ହଠାତ୍ ରାତିରେ ଏହି କଳହ ଉଗ୍ରରୂପ ଧାରଣ କରିଥିଲା। ଜ୍ୟୋତିଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଜ୍ୟୋତିଙ୍କ ଭାଇ ପ୍ରିୟରଞ୍ଜନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଫଳରେ ମହିଳା ବିଚାରପତି ଅନୁପମା ବେହେରାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରିୟରଞ୍ଜନ।
ଅନୁଗୁଳର ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ ପ୍ରିୟରଞ୍ଜନ। ହଠାତ୍ ଦିନେ ପ୍ରିୟରଞ୍ଜନ ବଲେଶ୍ୱର ଯାଇଥିଲେ। ବନ୍ଧୁ ହିସାବରେ ଅନୁପମାଙ୍କ ଘରେ ରହିଥିଲେ ପ୍ରିୟରଞ୍ଜନ। ଅନୁପମା ନିଦରେ ଶୋଇଥିବା ବେଳେ ଭୋର୍ ୪ଟାରୁ ୪ଟା ୩୦ ଭିତରେ ପ୍ରିୟରଞ୍ଜନ ରୋଷେଇ ଘରୁ ଛୁରୀ ଆଣି ଅନୁପମାଙ୍କୁ ଆକ୍ରମଣ କରିଥିଲେ। ପରେ ମୁହଁରେ ତକିଆ ପକାଇ ମାରିଦେଇଥିଲେ। ପରେ ପ୍ରିୟରଞ୍ଜନ ଅନୁଗୁଳ ଚାଲି ଆସିଥିବା ପୋଲିସ ସେତେବେଳେ କହିଥିଲା।
ଘରେ ପଶି ହତ୍ୟା
ଘରେ ପଶି ଜଣେ ମହିଳା ଜଜ୍ଙ୍କୁ ହତ୍ୟା କରିବା ଘଟଣା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚହଳ ପଡ଼ି ଯାଇଥିଲା। କିଏ ଏବଂ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଥିଲା ତାର କୌଣସି ସୁରାକ୍ ପାଇନଥିଲା ପୋଲିସ। ହେଲେ ତଦନ୍ତ ବେଳେ ପୋଲିସ ମହିଳା ଜଜ୍ଙ୍କ ଘରେ କାମ କରୁଥିବା କୋର୍ଟ ପିଅନକୁ ଜେରା କରିଥିଲା। ଜେରା ପରେ ପୋଲିସ ପ୍ରିୟରଞ୍ଜନ ଏବଂ ତାଙ୍କ ଭାଇ ଜ୍ୟୋତିରଞ୍ଜନଙ୍କ ପାଖରେ ପହଞ୍ଚିଥିଲା। ୨୦୧୩ ମାର୍ଚ୍ଚ ୧୮ରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।
ବାଲେଶ୍ୱର କୋର୍ଟରେ ମାମଲା ଚାଲିଥିଲା। ହେଲେ ପ୍ରିୟରଞ୍ଜନ ଏବଂ ଜ୍ୟୋତିରଞ୍ଜନଙ୍କ ପରିବାର ବାଲେଶ୍ୱରରେ କେସ୍ ଲଢ଼ିବା ସୁରକ୍ଷିତ ମନେ ନକରି କଟକ ଜିଲ୍ଲା ଓ ଦୌରା ଜଜ୍କୁ ମାମଲା ସ୍ଥାନାନ୍ତର ପାଇଁ ନିବେଦନ କରିଥିଲେ। ପରେ କଟକକୁ ଏହି ବହୁ ଚର୍ଚ୍ଚିତ ମାମଲା ସ୍ଥାନାନ୍ତର ହୋଇଥିଲା।


















