ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ବସୁଛି ଛତିଶା ନିଯୋଗ ବୈଠକ। ଏହି ବୈଠକରେ ହିଁ ସ୍ଥିର ହେବ କେବେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର।

ରହସ୍ୟମୟ ହୋଇ ରହିଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବ। ଏନେଇ ରାଜ୍ୟ ସରକାର ଅନୁମତି ଦେବା ପରେ ଭକ୍ତଙ୍କ ମହଲରେ ଉତ୍କଣ୍ଠା ଦେଖାଦେଇଛି। ହେଲେ କେବେ ଖୋଲିବ ସେନେଇ ତାରିଖ ନିର୍ଦ୍ଧାରଣ କରାଯାଇ ନାହିଁ। ତାରିଖ ସ୍ଥିର କରିବା ପାଇଁ ଗୁରୁବାର ବସୁଛି ଛତିଶା ନିଯୋଗର ବୈଠକ। ଏହି ବୈଠକ ପରେ ହିଁ ସ୍ପଷ୍ଟ ହେବ କେବେ ଖୋଲିବ ରତ୍ନଭଣ୍ଡାରର ଦୁଆର।

ରତ୍ନଭଣ୍ଡାର ଖୋଲିବା ନେଇ ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ରତ୍ନଭଣ୍ଡାର ଯାଞ୍ଚ ପାଇଁ କିଏ ଯିବେ ଏବଂ କ’ଣ ପିନ୍ଧିବେ ତାକୁ ନେଇ ମଧ୍ୟ ଆଲୋଚନା ହୋଇଛି। ହାଇକୋର୍ଟ ନିର୍ଦ୍ଦେଶ ପାଳନ ପାଇଁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ତେବେ ରତ୍ନଭଣ୍ତାର ଯାଞ୍ଚ୍ ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର ପାଳନ କରାଯିବା ନେଇ ଆଜିର ବୈଠକରେ ଆଲୋଚନା ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, “ଯେଉଁମାନେ ରତ୍ନଭଣ୍ଡାର ଯାଞ୍ଚରେ ଯିବେ ସେମାନଙ୍କ ନାଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରଣ କରିବ। ସେମାନଙ୍କୁ ପ୍ରଶାସନ ତରଫରୁ ବସ୍ତ୍ର ପ୍ରଦାନ କରାଯିବ। ଏହାସହ ଯିବା ଆସିବା ବେଳେ ସେମାନଙ୍କ ସ୍କାନିଂ କରାଯିବ। ଛତିଶା ନିଯୋଗ ବୈଠକ ପରେ ତାରିଖ ଘୋଷଣା କରାଯିବ।”

ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଚାହିଁଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍‌ଆଇ କର୍ତ୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ଆଧାରରେ ମାର୍ଚ୍ଚ ୨୬ ଏବଂ ୨୭ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ।ହେଲେ ଏହାକୁ କିଛି ସେବାୟତ ବିରୋଧ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ।

ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗର ଅନୁମତି ଲୋଡ଼ିଥିଲେ। ଆଇନ ବିଭାଗ ସବୁ ଦିଗକୁ ବିଚାର କରି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲିବା ପାଇଁ ଚିଠି ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍‌ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାର ପଟ ଯାଞ୍ଚ କରିଛନ୍ତି। ବାହାର ପଟ କାନ୍ଥ ଏବଂ ଛାତ ଠିକ୍ ଥିବା ଏଏସ୍‌ଆଇ ଅଧିକାରୀ କହିଛନ୍ତି। ତେବେ ୨୬ ତାରିଖରେ ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହେବ। କିନ୍ତୁ କେତେ ପରିମାଣର ଗହଣା ଅଛି ତାହା ଆକଳନ କରାଯିବ ନାହିଁ।

ରତ୍ନଭଣ୍ଡାରରେ କ’ଣ ଅଛି?

କୁହାଯାଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ। ସେଥିମଧ୍ୟରୁ ଅଳ୍ପ କିଛି ଶ୍ରୀଜିଉଙ୍କ ସୁନାବେଶ ବେଳେ ଦେଖିବାକୁ ମିଳିଥାଏ। ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାସ୍ତ କରି ୧୬ଟି ହାତୀରେ ବିଭିନ୍ନ ଅଳଙ୍କାର ଶ୍ରୀକ୍ଷେତ୍ରକୁ ଆଣିଥିଲେ। ଏହି ଅଳଙ୍କାର ସବୁ ସେତେବେଳେ ସେ ଭଣ୍ଡାର ଘରେ ରଖିଥିଲେ।

ରତ୍ନଭଣ୍ଡାରରେ ବହୁ କୋଠରୀ ରହିଛି। ବର୍ତ୍ତମାନସୁଦ୍ଧା ମାତ୍ର ୩ଟି କୋଠରୀ ଖୋଲାଯାଇଛି। ପ୍ରଥମ କୋଠରୀରେ ଠାକୁରଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଅଳଙ୍କାର ରହିଛି। ଦ୍ୱିତୀୟ କୋଠରୀରେ କିଛି ଅବ୍ୟବହୃତ ଅଳଙ୍କାର ରହିଥିବା ବେଳେ ତୃତୀୟ କୋଠରୀରେ ରହିଛି ଶ୍ରୀଜିଉଙ୍କ ରଘୁନାଥ ବେଶ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର। ୧୯୭୮ରେ ଭଣ୍ଡାରର ୩ଟି କୋଠରୀ ଖୋଲାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭୟଙ୍କର ଗର୍ଜନ ହେବାରୁ ଆଉ ଅଧିକ କୋଠରୀ ଖୋଲାଯାଇ ପାରି ନଥିଲା। ଏବେ ପୁଣିଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ।

୨୦୧୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାରର ଗଣତି ଏବଂ ଚିହ୍ନଟ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ସେବାୟତ ସେତେବେଳେ ବିରୋଧ କରିଥିଲେ।

Comment