ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଙ୍କଟରେ ପଡ଼ିଛି ଦେଶର ନ୍ୟାୟପାଳିକା। ଚାରି ଜଣ ବରିଷ୍ଠ ବିଚାରପତି ସୁପ୍ରିମକୋର୍ଟରେ କିଛି ଠିକ୍‌ ଚାଲିନାହିଁ ଅଭିଯୋଗ ଆଣି ଦେଶକୁ ହଲଚଲ୍ କରିବା ପରେ ଏବେ ଏକ ନୂଆ ଚର୍ଚ୍ଚା ମୁଣ୍ଡ ଟେକିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଦଳ ଏକାଠି ହେଉଥିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ମେଳି ବାନ୍ଧୁଛନ୍ତି ବିରୋଧୀ। ସବୁ ବିରୋଧୀ ଦଳ ଏକାଠି ହୋଇ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ମସୁଧା ଚଳାଇଛନ୍ତି। କଂଗ୍ରେସ ନେତୃତ୍ୱରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପାଇଁ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ କଂଗ୍ରେସ ଦଳର ନେତା ଅନ୍ୟ ବିରୋଧୀ ଦଳମାନଙ୍କଠାରୁ ଦସ୍ତଖତ ଆଣିବା କାମରେ ଲାଗି ପଡ଼ିଥିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

କଂଗ୍ରେସ ତରଫରୁ ଏହି ଚର୍ଚ୍ଚାକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ଏନ୍‌ସିପି କିନ୍ତୁ ଏହାର ଗୁମର ଖୋଲିଛି। କଂଗ୍ରେସ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ଏନସିପି କହିଛି।

ଏନ୍‌ସିପି ନେତା ମଜିଦ ମେମନ କହିଛନ୍ତି, “ଦେଶର ସବୁଠୁ ବଡ଼ ଦଳ କଂଗ୍ରେସ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।”

କେତେ ନେତା ଏହି ପ୍ରସ୍ତାବରେ ଦସ୍ତଖତ କରିଛନ୍ତି ବୋଲି ପ୍ରଶ୍ନ ହେବାରୁ ଶ୍ରୀ ମେମନ ଏହାକୁ ଏଡ଼ାଇ ଯାଇଛନ୍ତି। ହେଲେ ଏନସିପିର ଅନ୍ୟତମ ସାଂସଦ ଡି ପି ତ୍ରିପାଠୀ ଏନେଇ ମୁହଁ ଖୋଲିଛନ୍ତି। ସେ ନିଜେ ମହାଭିଯୋଗ ପ୍ରସ୍ତାବ ସମ୍ପର୍କିତ ନୋଟିସରେ ଦସ୍ତଖତ କରିଥିବା ସ୍ବୀକାର କରିଥିବା ବେଳେ ଅନ୍ୟ ଦଳର ନେତା ମଧ୍ୟ ଦସ୍ତଖତ କରୁଥିବା କହିଛନ୍ତି।  ବର୍ତ୍ତମାନ ସୁଦ୍ଧା ବାମପନ୍ଥୀ, ଏନ୍‌ସିପି ଭଳି କିଛି ଦଳର ସଦସ୍ୟ ଦସ୍ତଖତ କରିଛନ୍ତି।

କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ଦାବି କରୁଛନ୍ତି ଯେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ଅଭିଯାନ ଆରମ୍ଭ କରିଛି। ଏନେଇ ବିଭିନ୍ନ ବିରୋଧୀ ଦଳର ସଦସ୍ୟଙ୍କଠାରୁ ଦସ୍ତଖତ ସଂଗ୍ରହ କରୁଛି।

ମହାଭିଯୋଗ ପ୍ରସ୍ତାବକୁ ନେଇ କାହିଁକି ଚର୍ଚ୍ଚା?

ଭାରତର ନ୍ୟାୟପାଳିକା ଇତିହାସରେ କିଛି ମାସ ତଳେ ଏକ ଅଭୁତଘଟଣା ଘଟଣା ଘଟିଥିଲା। ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଜେ ଚେଲାମଶ୍ବର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ମଦନ ଲୋକୁର ଏବଂ ଜଷ୍ଟିସ କୁରିଏନ୍ ଯୋଶେଫ୍ ଗଣମାଧ୍ୟମ ସମ୍ମୁଖରେ ସୁପ୍ରିମକୋର୍ଟରେ କିଛି ଠିକ୍ ଚାଲିନାହିଁ ବୋଲି କହିଥିଲେ।

ଏହାପରେ କଂଗ୍ରେସ ବାରମ୍ବାର ସୁପ୍ରିମକୋର୍ଟ ପ୍ରଶାସନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ଉଠାଇ ଆସୁଛି। ଚାରି ବରିଷ୍ଠ ବିଚାରପତି ଆଣିଥିବା ଅଭିଯୋଗକୁ ଠିକ୍ ବୋଲି ଦର୍ଶାଇ ଆସୁଛି କଂଗ୍ରେସ। ସେହିଦିନରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ କଂଗ୍ରେସ ଚାହୁଁଛି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ସମ୍ବିଧାନରେ ନିୟମ କିଛି ଭିନ୍ନ ରହିଛି। ଏହି ପ୍ରସ୍ତାବ ଆଗତ କରିବା ପାଇଁ ଲୋକସଭାରେ ୧୦୦ ସାଂସଦ ଏବଂ ରାଜ୍ୟସଭାରେ ୫୦ ସାଂସଦଙ୍କ ଦସ୍ତଖତ ରହିବା ନିହାତି ଜରୁରୀ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କୁ ମଙ୍ଗଳବାର କିଛି ବିରୋଧୀ ଦଳର ସଦସ୍ୟ ଭେଟିଥିଲେ। ଏହି ଭେଟ୍‌ଘାଟକୁ ଗୋପନୀୟ ରଖାଯାଇଥିଲେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment