ଓଡ଼ିଶାଲାଇଭ୍ ବ୍ୟୁରୋ

- ଓଡ଼ିଶାପୋଷ୍ଟ ମେଟଲ୍ ମିଟ୍ ତୃତୀୟ ସଂସ୍କରଣ
- ପ୍ରିଲିମ୍ସ ରାଉଣ୍ଡରେ ଭାଗନେଲେ ୭୨ଟି ଟିମ୍
- ଫାଇନାଲକୁ ଗଲେ ଜୁନିୟର୍ ବିଭାଗରୁ ୮ ଏବଂ ସିନିୟର ବିଭାଗରୁ ୮ଟି ଟିମ୍
- ରବିବାର ଗ୍ରାଣ୍ଡଫିନାଲେରେ ହେବ ଦମ୍ଦାର ଲଢ଼େଇ
- ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଓଡ଼ିଶାପୋଷ୍ଟ ଫେସ୍ବୁକ୍ ପେଜ୍ରେ ହେବ ଲାଇଭ ଷ୍ଟ୍ରିମିଂ
ଓଡ଼ିଶାପୋଷ୍ଟ ମେଟଲ୍ ମିଟ୍ ତୃତୀୟ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡ ଶେଷ ହୋଇଛି। ଏହି ରାଉଣ୍ଡରେ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ୮ଟି ଲେଖାଏଁ ଦଳ ଫାଇନାଲକୁ ଯାଇଛନ୍ତି। ରବିବାର ହେବ ଗ୍ରାଣ୍ଡଫିନାଲେ।
ସିନିୟର ଏବଂ ଜୁନିୟର ବିଭାଗରେ ଶ୍ରେଷ୍ଠ ୩ଟି ସ୍ଥାନ ପାଇବା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ଏବେ ଗ୍ରାଣ୍ଡଫିନାଲେରେ କେଉଁ ଦଳ ବାଜି ମାରୁଛନ୍ତି ତା’ଉପରେ ରହିଛି ସମସ୍ତଙ୍କ ନଜର।
ପ୍ରିଲିମ୍ସ ରାଉଣ୍ଡର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଜୁନିୟର ବିଭାଗକୁ ନେଇ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ସିନିୟର ବିଭାଗକୁ ନେଇ ହୋଇଥିଲା ତୃତୀୟ ସଂସ୍କରଣରେ ଟିମ୍ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ମୋଟ ୭୨ଟି ଟିମ୍ ଭାଗ ନେଇଥିଲେ। ଜୁନିୟର ବିଭାଗରେ ୩୪ଟି ଟିମ୍ ଭାଗ ନେଇଥିବା ବେଳେ ସିନିୟର ବିଭାଗରେ ୩୮ଟି ଟିମ୍ ଭାଗ ନେଇଥିଲେ।
ସିନିୟର ବିଭାଗର ୮ ଟିମ୍
ସିନିୟର ବିଭାଗରୁ ସିଇଟି-ଭୁବନେଶ୍ୱର, ଏନ୍ଆଇଟି-ରାଉରକେଲା, ଆଇଆଇଟି-ଭୁବନେଶ୍ୱର, ଏମ୍ସ-ଭୁବନେଶ୍ୱର, ଭିଏସ୍ଏସ୍ୟୁଟି-ବୁର୍ଲା, କିଟ୍ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର, ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି-ଭୁବନେଶ୍ୱର, ଏସ୍ସିବି ମେଡିକାଲ କଲେଜ-କଟକ ଟିମ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ଜୁନିୟର ବିଭାଗର ୮ ଟିମ୍
ପ୍ରଥମ ପର୍ଯ୍ୟାୟରେ ଜୁନିୟର ବିଭାଗର ପ୍ରତିଯୋଗିତା ହୋଇଥିଲା। ମଦର୍ସ ପବ୍ଲିକ୍ ସ୍କୁଲ-ଭୁବନେଶ୍ଵର, ଡିଏଭି ପବ୍ଲିକ୍ ସ୍କୁଲ- ସିଡିଏ କଟକ, ର ଡିଏଭି ପବ୍ଲିକ୍ ସ୍କୁଲ-ପୋଖରିପୁଟ ଭୁବନେଶ୍ଵର, ଡିଏଭି ପବ୍ଲିକ୍ ସ୍କୁଲ- ରାଉରକେଲା, ବ୍ଲେସିଙ୍ଗ୍ ସାକ୍ରାମେଣ୍ଟ୍ ହାଇସ୍କୁଲ- ପୁରୀ, ଓଡିଏମ୍ ପବ୍ଲିକ୍ ସ୍କୁଲ- ଭୁବନେଶ୍ଵର, ସେଣ୍ଟ୍ ଭିନସେଣ୍ଟ୍ କନଭେଣ୍ଟ୍ ସ୍କୁଲ- ବାଲେଶ୍ଵର, ରେଭେନ୍ସା ଜୁନିୟର କଲେଜ୍- କଟକ ଫାଇନାଲକୁ ଯାଇଛନ୍ତି।
ଟିମ୍କୁ ଶୁଭେଚ୍ଛା
ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ଗ୍ରାଣ୍ଡଫିନାଲେକୁ ଯାଇଥିବା ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ। ଗ୍ରାଣ୍ଡଫିନାଲେ ପାଇଁ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରବିବାର ଗ୍ରାଣ୍ଡଫିନାଲେ
ମେଟଲ ମିଟ୍ ତୃତୀୟ ସଂସ୍କରଣର ପ୍ରିଲିମ୍ସ ରାଉଣ୍ଡରେ ୭୨ଟି ଦଳ ଭାଗ ନେଇଥିଲେ। ପ୍ରତି ଦଳରେ ୪ ଜଣ ଲେଖାଏଁ ପ୍ରତିଯୋଗୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଜୁନିୟର ବିଭାଗରୁ ୮ ଏବଂ ସିନିୟର ବିଭାଗରୁ ୮ଟି ଦଳ ଫାଇନାଲକୁ ଯାଇଛନ୍ତି। ରବିବାର ଉଭୟ ଜୁନିୟର ଏବଂ ସିନିୟର ବିଭାଗର ଗ୍ରାଣ୍ଡଫିନାଲେ ଅନୁଷ୍ଠିତ ହେବ। ପ୍ରତିଯୋଗୀଙ୍କ ମଧ୍ୟରେ ଦମ୍ଦାର ଲଢ଼େଇ ହେବ। ଅପରାହ୍ଣ ୨ଟାରୁ ଜୁନିୟର ବିଭାଗର ପ୍ରତିଯୋଗିତା ହେବାକୁ ଥିବା ବେଳେ ସନ୍ଧ୍ୟା ୬ଟାରେ ସିନିୟର ବିଭାଗର ପ୍ରତିଯୋଗିତା ହେବ।
ଏହି ମୁକାବିଲାରେ ସିନିୟର ଦଳର ପ୍ରଥମ ତିନୋଟି ସ୍ଥାନ ପାଇଁ ବିଜେତାମାନଙ୍କୁ ବଛାଯିବ। ସେହିପରି ଜୁନିୟର ବର୍ଗରେ ମଧ୍ୟ ଶ୍ରେଷ୍ଠ ତିନୋଟି ଟିମ୍ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ମିଳିବ। ଏହି ବିଜୟୀ ଟିମ୍ଗୁଡ଼ିକୁ ସେହିଦିନ ସନ୍ଧ୍ୟାରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୧ ଲକ୍ଷ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।
ମେଟଲ୍ ମିଟ୍ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ବେଙ୍ଗଳୁରୁର ଜଣାଶୁଣା କୁଇଜ୍ ମାଷ୍ଟର ଭେଙ୍କେଟସ୍ ଶ୍ରୀନିବାସନ୍(ଭେଙ୍କି)। ଗ୍ରାଣ୍ଡଫିନାଲେରେ ଭେଙ୍କି ପ୍ରତିଯୋଗୀଙ୍କୁ ନୂଆ ଢଙ୍ଗରେ ଦେବେ ଚାଲେଞ୍ଜ।
ମେଟଲ୍ ମିଟ୍କୁ ନେଇ ଉତ୍ସାହ
ଓଡ଼ିଶାରେ କୁଇଜ୍ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍। ପ୍ରଥମ ବର୍ଷ ୧୮ଟି ଟିମ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ରେଭେନ୍ସା ଜୁନିୟର କଲେଜ ତୃତୀୟ ସ୍ଥାନ ଅଧିକାର କରିଥିଲା।
ପ୍ରଥମ ବର୍ଷର ସଫଳତା ପରେ ୨୦୧୭ରେ ଆରମ୍ଭ ହୋଇଥିଲା ମେଟଲ ମିଟ୍ର ଦ୍ୱିତୀୟ ସଂସ୍କରଣ। ଏହି ବର୍ଷ ଜୁନିଅର ବିଭାଗରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେଭେନ୍ସା ଜୁନିୟର କଲେଜ ଦ୍ୱିତୀୟ ଏବଂ ସେଣ୍ଟ ଯୋଶେଫ୍ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ସିନିୟର ବିଭାଗରେ ଏନ୍ଆଇଟି-ରାଉରକେଲା ପ୍ରଥମ, ଏମ୍ସ-ଭୁବନେଶ୍ୱର ଦ୍ୱିତୀୟ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଥିଲା।
ଲଗାତାର ଦୁଇବର୍ଷର ବିଶେଷ ସଫଳତା ପରେ ୨୦୧୮ ମେଟଲ ମିଟ୍ ପାଇଁ ଆୟୋଜକ ଏବଂ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ତୃତୀୟ ସଂସ୍କରଣରେ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ଓଡ଼ିଶାପୋଷ୍ଟର ମେଟଲ ମିଟ୍ କାର୍ଯ୍ୟକ୍ରମ ଏକ ଜାତୀୟ ସ୍ତରର ପ୍ରତିଯୋଗିତା ରୂପେ ପରିଚିତ ହେବାକୁ ଯାଉଛି।
ମେଟଲ ମିଟ୍ର ଲାଇଭ ଷ୍ଟ୍ରିମିଂ
ଓଡ଼ିଶାପୋଷ୍ଟ ମେଟଲ ମିଟ୍ ଦ୍ୱିତୀୟ ସଂସ୍କରଣରୁ ‘ଓଡ଼ିଶାଲାଇଭ୍’ ଏହାର ଡିଜିଟାଲ ମିଡିଆ ପାର୍ଟନର୍ ରହି ଆସିଛି। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱବ୍ୟାପି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ୱେବ୍ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାଲାଇଭ୍ ପ୍ରୟାସ କରି ଆସୁଛି। ଡିଜିଟାଲ ମିଡିଆର ଦର୍ଶକମାନଙ୍କୁ ମେଟଲ ମିଟ୍ର ସିଧା ପ୍ରସାରଣ ଦେଖାଇବା ପାଇଁ ଚଳିତ ବର୍ଷ ଓଡ଼ିଶାଲାଇଭ୍ ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ କରାଯାଉଛି।
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଓଡ଼ିଶାପୋଷ୍ଟ ଫେସ୍ବୁକ୍ ପେଜ୍ (www.facebook.com/orissapostbhubaneswar)ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଏହାସହ ଓଡ଼ିଶାଲାଇଭ୍ (www.odisha.live), ଓଡ଼ିଶାପୋଷ୍ଟ (www.orissapost.com) ଏବଂ ଧରିତ୍ରୀ (www.dharitri.com) ୱେବ୍ ସାଇଟ୍ ଗୁଡ଼ିକରେ ମେଟଲ ମିଟ୍ର ଲାଇଭ୍ ଷ୍ଟ୍ରିମିଂ କରାଯିବ।
ଚଳିତବର୍ଷ ନବରତ୍ନ କମ୍ପାନି ‘ନାଲ୍କୋ’, କମ୍ପ୍ୟୁଟର କମ୍ପାନି ‘ଆସର୍’, ଆଉଟଡୋର ମିଡିଆ କମ୍ପାନି ‘ଟିମ୍’, ‘ଏକ୍ସପୋଜ୍’ ଆଡଭର୍ଟାଇଜିଂ ଏବଂ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍’ ମେଟଲ ମିଟ୍ କାର୍ଯ୍ୟକ୍ରମର ପାର୍ଟନର୍ ରହିଛନ୍ତି।


















