ଓଡ଼ିଶାଲାଇଭ୍ ବ୍ୟୁରୋ
-୧୫ ଦିନର ଶିଶୁପୁତ୍ରକୁ ବାପା କୋଳରୁ ଉଠାଇ ନେଇ ଚମ୍ପଟ୍ ମାରିଛି ମାଙ୍କଡ। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ତାଳବସ୍ତ ଗାଁରେ ଘଟିଛି। ଅଗଣାରେ ବାପା କୋଳରେ ଶିଶୁପୁତ୍ରଟି ଶୋଇଥିବା ବେଳେ ଏକ ମାଙ୍କଡ ତାକୁ ଟେକି ନେଇଥିଲା। ଏହି ସମୟରେ ଶିଶୁଟିର ମା ଦେଖି ପାଟି କରିଥିଲେ ମଧ୍ୟ ଘଟଣାସ୍ଥଳରୁ ମାଙ୍କଡ ଚମ୍ପଟ ମାରିଥିଲା। ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଉକ୍ତ ମାଙ୍କଡ ଓ ଶିଶୁପୁତ୍ରଟିକୁ ଖୋଜାଖୋଜି କରିଥିଲେ ମଧ୍ୟ ଏଯାବତ୍ କିଛି ପତ୍ତା ମିଳିନାହିଁ।
-ଜନଜାତି କମିଟିର ବୈଠକକୁ ନେଇ ବିଧାନସଭାରେ ହୋହଲ୍ଲା। ନିୟମିତ ଭାବରେ ଜନଜାତି କମିଟି ବୈଠକ ବସୁନଥିବାରୁ ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଛି। ଫଳରେ ପ୍ରଶ୍ନକାଳ ଚାଲିପାରି ନାହିଁ।
-ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକ୍ରୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ। ଜବତ ସୁନାର ପରିମାଣ ୪୦୦ ଗ୍ରାମ ଏବଂ ଏହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ବୋଲି କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି। ଶନିବାର ସକାଳ ୬ଟାରେ ବ୍ୟାଙ୍କକ୍ରୁ ଦୁଇ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲେ। ରୂପା ପ୍ରଲେପ ଦେଇ ଏହି ଦୁଇ ଯାତ୍ରୀ ସୁନା ଆଣୁଥିଲେ। ଆଗୁଆ ଖବରପାଇ କଷ୍ଟମ ବିଭାଗର ଅଧିକାରୀ ବିମାନ ବନ୍ଦର ପରିସରରେ ଥିଲେ। ବ୍ୟାଙ୍କକ୍ରୁ ଆସିଥିବା ଦୁଇ ଜଣ ଯାତ୍ରୀ ଅଟକ ରଖି ଯାଞ୍ଚ କରିଥିଲେ। ଫଳରେ ସେମାନଙ୍କଠାରୁ ସୁନା ଜବତ କରିଥିଲା।












