ଓଡ଼ିଶାଲାଇଭ୍ ବ୍ୟୁରୋ
କାଶ୍ମୀରରେ ସେନାକୁ ମିଳିଛି ବଡ଼ ସଫଳତା। ସୋପିଆନ୍ ଏବଂ ଅନନ୍ତନାଗ ଜିଲ୍ଲାର ୩ଟି ସ୍ଥାନରେ ଏକାସାଙ୍ଗରେ ଏନ୍କାଉଣ୍ଟର ହେବାରୁ ୧୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ଯବାନ ସହ ୪ ଜଣ ସାଧାରଣ ଲୋକଙ୍କର ମଧ୍ୟ ଜୀବନ ଯାଇଛି। ସାଧାରଣ ଲୋକଙ୍କ ଜୀବନ ଚାଲିଯିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଅନନ୍ତନାଗ ଜିଲ୍ଲାର ଦିଆଲଗାମ୍, ସୋପିଆନ୍ ଜିଲ୍ଲାର ଦ୍ରାଗଦ୍ ଓ କାଚିଡୋରାରେ ହୋଇଥିଲା ଗୁଳିବିନିମୟ। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଏକାଠି ହୋଇଥିବା ଖବର ମିଳିବା ପରେ ସେନା, ସିଆର୍ପିଏଫ୍ ଏବଂ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ସାଧାରଣ ଲୋକଙ୍କ ଘରେ ଆତଙ୍କବାଦୀ ଲୁଚି ରହିଥିବାରୁ ସୁରକ୍ଷା ବଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।
ଆତଙ୍କବାଦୀଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ ସେନା ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ହେଲେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିବାକୁ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ସାଧାରଣ ଲୋକଙ୍କର ମୃତ୍ୟୁ ହେବାରୁ ସେନା ଓ ନାଗରିକଙ୍କ ମଧ୍ୟରେ କିଛି ସ୍ଥାନରେ ମୁହାଁମୁହିଁ ହୋଇଥିଲେ।
ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ବନିହାଲ-ଶ୍ରୀନଗର ମଧ୍ୟରେ ରେଳସେବା ବନ୍ଦ କରାଯାଇଛି। ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇ ସେନା ଓ ପୋଲିସ ପକ୍ଷରୁ ଯାଞ୍ଚ୍ କରାଯାଉଛି।


















