ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୪ ଘଣ୍ଟା ପରେ ଶିଶୁର ମୃତଦେହ ଉଦ୍ଧାର
  • କୂଅ ଭିତରକୁ କେମିତି ଗଲା ତାକୁନେଇ ପ୍ରଶ୍ନ
  • ପୋଷ୍ଟମର୍ଟମ ରିପୋର୍ଟ କହୁଛି, “ଶିଶୁ ଦେହରେ ନାହିଁ କୌଣସି କ୍ଷତ ଚିହ୍ନ”

୧୫ ଦିନର ଶିଶୁକୁ ମାଙ୍କଡ଼ ଉଠାଇନେବା ଘଟଣା ରବିବାର ଭିନ୍ନମୋଡ଼ ନେଇଛି। ୨୪ ଘଣ୍ଟା ପରେ ଶିଶୁପୁତ୍ରର ମୃତଦେହ କୂଅରୁ ଉଦ୍ଧାର କରାଯାଇଛି। ଏହାକୁ ନେଇ ଘରେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିବା ବେଳେ ସାରା ଗାଁ ସ୍ତବ୍ଧ ହୋଇଯାଇଛି।

ଶନିବାର ସକାଳେ ୧୫ ଦିନ ଶିଶୁ ଅଗଣାରେ ଶୋଇଥିବା ବେଳେ ପାତି ମାଙ୍କଡ଼ଟି ତାକୁ ଉଠାଇ ନେଇଥିଲା। ମାଙ୍କଡ଼ ଶିଶୁପୁତ୍ରକୁ ନେଇ କୁଆଡ଼େ ଗଲା ତାକୁ ନେଇ ସାରା ଗାଁରେ ଖୋଜା ପଡ଼ିଲା। ବନ ବିଭାଗ କର୍ମଚାରୀ ବି ଗାଁ ଏବଂ ଆଖପାଖ ଜଙ୍ଗଲରେ ଖୋଜି ବୁଲିଲେ। ଶିଶୁଟିର ବାପା ହନୁମାନ ମନ୍ଦିରରେ ଅଧିଆ ପଡ଼ିଥିବା ବେଳେ ମା’ କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲା। ହେଲେ ଶିଶୁଟିର ସନ୍ଧାନ ମିଳି ପାରିଲା ନାହିଁ।

ରବିବାର ସକାଳେ ଶିଶୁପୁତ୍ରର ପୀଉସି ଆସିଥିଲେ। ପଡ଼ୋଶୀ ଘରର କୂଅରେ ଶିଶୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଶିଶୁପୁତ୍ରକୁ କୂଅରୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ସେ ଜୀବୀତ ନଥିଲା।

ପୁଅକୁ ହରାଇ ମା’ ଆଖିରୁ ଲୁହ ଶୁଖୁ ନଥିବା ବେଳେ ସାରା ଗାଁରେ ଏହି କଥାକୁ ନେଇ ଚର୍ଚ୍ଚା। ମାଙ୍କଡ଼ ନେଇଯାଇଥିବା ଶିଶୁ କୂଅରେ ପଡ଼ିଲା କେମିତି? ଶିଶୁଟିକୁ ମାଙ୍କଡ଼ ମାରିଛି ନା ଆଉ କିଏ? ଗାଁ ଲୋକଙ୍କ ମୁହଁରେ ଏହି ଚର୍ଚ୍ଚା ନଥମୁଣୁ ସନ୍ଧ୍ୟାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ଏହି ରିପୋର୍ଟ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।

ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି, ଶିଶୁ ଦେହରେ କୌଣସି କ୍ଷତ ଚିହ୍ନ ନଥିଲା। ମାଙ୍କଡ଼ର ନଖ କିମ୍ବା କୌଣସି ରାମ୍ପୁଡ଼ା ଦାଗ ବି ନଥିଲା। ଅଧିକ ସମୟ ପାଣିରେ ପଡ଼ିବା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି। ତେବେ ଶିଶୁଟି କୂଅ ଭିତରକୁ ଗଲା କେମିତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment