ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ସଲମାନ ଖାନ୍‌ଙ୍କୁ ଜେଲ୍‌। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଇଛନ୍ତି ଦବଙ୍ଗ ଷ୍ଟାର୍‌ ସଲମାନ୍‌।

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବଲିଉଡ ଅଭିନେତା ସଲମାନ ଖାନ୍। ରାଜସ୍ଥାନର ଯୋଧପୁର ସେସନ୍ କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡଦେଶ ଶୁଣାଇବା ସହ ୧୦ହଜାର ଟଙ୍କା ଜରିମନା କରିଛନ୍ତି।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ସଲମାନଙ୍କୁ ଯୋଧପୁରର ସେଣ୍ଟ୍ରାଲ୍ ଜେଲ୍ ନିଆଯାଇଛି। ଜେଲ୍‌ରେ ସଲମାନଙ୍କ ମେଡିକାଲ୍ ଟେଷ୍ଟ୍ କରାଯିବ।

“ସଲମାନଙ୍କୁ ଦଣ୍ଡାଦେଶ ହେବା ପରେ ସେଣ୍ଟ୍ରାଲ୍‌ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟ କଏଦୀମାନେ ଯେଉଁ ଖାଦ୍ୟ ଖାଆନ୍ତି ସଲମାନ ସେହି ଖାଦ୍ୟ ଖାଇବେ”, କହିଛନ୍ତି ଯୋଧପୁର ଜେଲ୍‌ ଡିଆଜି ବିକ୍ରମ ସିଂହ।

ସଲମାନ ଖାନ୍‌ଙ୍କୁ ଜେଲ୍ ଯିବାବେଳେ ତାଙ୍କ ଦୁଇ ଭଉଣୀ ଅଲବିରା ଓ ଅର୍ପିତା କାନ୍ଦି ପକାଇଥିଲେ। ସଲମାନ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଭଳି ଜଣାପଡ଼ୁଥିଲେ।

ସଲମାନଙ୍କୁ ଜେଲ୍‌ ହେବା ପରେ ତାଙ୍କ ପିତା ସଲିମ୍ ଖାନ୍‌ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ପୂର୍ବରୁ ସଲିମ୍ ପୁଅ ସଲମାନଙ୍କ ସହ ଜଡ଼ିତ ପ୍ରତିଟି ମାମଲାରେ କିଛି ମନ୍ତବ୍ୟ ଦେବାର ଦେଖାଯାଏ କିନ୍ତୁ ଏଥର ଗଣମାଧ୍ୟମକୁ କିଛି ନକହି ଚାଲିଯାଇଥିଲେ।

ଏହି ମାମଲାରେ ସଲମାନଙ୍କୁ ଦଣ୍ଡ ଦିଆଯିବା ଜରୁରୀ ବୋଲି ଯୁକ୍ତି ବାଢ଼ୁଥିବା ବିଶୋଇ ସମାଜ ଉତ୍ସବ ମନାଇଛି।

“ସଲମାନଙ୍କୁ ଦଣ୍ଡ ମିଳିବାରେ ଆମ ସମାଜ ଅତ୍ୟନ୍ତ ଖୁସି। ଏଥିପାଇଁ କୋର୍ଟକୁ ଧନ୍ୟବାଦ ଦେଉଛୁ। ଅନ୍ୟ ଅଭିଯୁକ୍ତମାନେ ଦୋଷମୁକ୍ତ କରାଯାଇଥିଲେ ମଧ୍ୟ ଆମେ ପୁଣି ଥରେ ସେମାନଙ୍କ ବିରୋଧରେ କୋର୍ଟରେ ଅପିଲ୍ କରିବୁ”, କହିଛନ୍ତି ବିଶୋଇ ସମାଜର ଅଧ୍ୟକ୍ଷ ରାମପାଲ ଭବାଦ।

ସାଂସଦ ଜୟା ବଚ୍ଚନ ସଲମାନଙ୍କୁ ଜେଲ ହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି। “ସଲମାନଙ୍କୁ ୫ବର୍ଷ ଜେଲ୍‌ ହେବାନେଇ ମୁଁ ଅତ୍ୟନ୍ତ ଦୁଃଖିତ। କିନ୍ତୁ ଆଇନ୍‌ ତା’ ବାଟରେ ଯିବ”, କହିଛନ୍ତି ଜୟା।

କୃଷ୍ଣସାର ମୃଗ ମାମଲାର ଇତିହାସ

୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ପାଇଁ ସଲମାନ ଖାନ, ସୋନାଲି ବେନ୍ଦ୍ରେ, ସୈଫ ଅଲ୍ଲୀ ଖାନ ରାଜସ୍ଥାନର ଯୋଧପୁର ଯାଇଥିଲେ। ସୁଟିଂ ସମୟରେ ଯୋଧପୁରର ବିଭିନ୍ନ ସ୍ଥାନରେ ଏହି କଳାକାର ଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମେତ ସୈଫ ଅଲ୍ଲୀ ଖାନ, ନୀଳମ, ତବୁ ଓ ସୋନାଲିଙ୍କ ନାଁରେ ମାମଲା ଚାଲିଥିଲା।

ପୂର୍ବରୁ ସଲମାନଙ୍କୁ ରାଜସ୍ଥାନ ହାଇକୋର୍ଟ କ୍ଲିନଚିଟ୍ ଦେଇଥିଲା। ଏହା ବିରୋଧରେ ରାଜସ୍ଥାନ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ।

ପୂର୍ବରୁ ଏଭଳି ୪ଟା ମାମଲାରେ ସଲମାନଙ୍କୁ ଖାନ ୧୭ ଦିନ ଜେଲରେ ରହିସାରିଛନ୍ତି। ୧୯ ବର୍ଷ ପରେ ଏହି ମାମଲାରେ ରାୟ ଆସିଛି। ୧୯୯୮ ମସିହା ଅକ୍ଟୋବର ୧୨ ତାରିଖରେ ସଲମାନ ଖାନ ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ। ୫ ଦିନ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଅନ୍ୟ ଏକ ଶିକାର ମାମଲାରେ ସଲମାନଙ୍କୁ ୨୦୦୬ରେ ୬ ଦିନ ଜେଲରେ ରହିବାକୁ ପଡିଥିଲା। ୨୦୦୭ରେ ମଧ୍ୟ ସଲମାନଙ୍କୁ ୬ ଦିନ ଜେଲରେ ରହିବାକୁ ପଡିଥିଲା।

Comment