ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାରର ରହସ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ରତ୍ନଭଣ୍ଡାର କ’ଣ ଏବଂ ଏହାର ରୂପରେଖ କେମିତି ତାହା ଜାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ମଧ୍ୟ ଯାଞ୍ଚକାରୀ ଟିମ୍ ବାହାର ଭଣ୍ଡାରରୁ ଫେରି ଆସିଛନ୍ତି। ତେବେ ୧୯୮୪ ମସିହାରେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଥିବା ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରହସ୍ୟ ଉନ୍ମୋଚନ କରିଛନ୍ତି। ରତ୍ନଭଣ୍ଡାର ସମ୍ପର୍କରେ କିଛି ଅଜଣା କଥା କହିଛନ୍ତି ଶ୍ରୀ ମିଶ୍ର।

କାହିଁକି ରତ୍ନଭଣ୍ଡାର?

ପୁରୀ ଶ୍ରୀମନ୍ଦିର ହେଉଛି ପ୍ରାୟ ହଜାରେ ବର୍ଷର ପୁରୁଣା ମନ୍ଦିର। ଗଜପତି ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିର ପରିଚାଳନା ହେଉଥିଲା। ସେତେବେଳେ ରାଜାମାନେ ବିଭିନ୍ନ ରାଜ୍ୟ ଜୟ କରି ଯେଉଁ ଅଳଙ୍କାର ଆଣୁଥିଲେ ତାହା ଠାକୁରଙ୍କ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଉଥିଲା। ବହୁ ଅଳଙ୍କାର ଗୋଟିଏ ଘରେ ରଖାଯାଉଥିବାରୁ ଏହାର ନାମ ରତ୍ନଭଣ୍ଡାର ରଖାଯାଇଥିଲା।

ରତ୍ନଭଣ୍ଡାରର ଇତିହାସ

ଜଗନ୍ନାଥ ମନ୍ଦିର ଆରମ୍ଭରୁ ରତ୍ନଭଣ୍ଡାର ରହିଛି। ଏବେ ଅଳଙ୍କାର ସଂଖ୍ୟା ବଢ଼ି ଯାଇଛି। ଭଣ୍ଡାରଘରେ ବହୁ ପରିମାଣର ହୀରା, ନିଳା, ମୋତି, ମାଣିକ୍ୟ ଗଚ୍ଛିତ କରି ରଖାଯାଇଛି।

ରତ୍ନଭଣ୍ଡାର କେଉଁଠି ଅଛି?

ଜଗମୋହନ ବା ନାଟମଣ୍ଡପ ପାଖରେ ରହିଛି ଜୟ ବିଜୟ ଦୁଆର। ଗୋଟିଏ ପଟେ ଜୟ ଏବଂ ଅନ୍ୟପଟେ ବିଜୟ ମନ୍ଦିରକୁ ଜଗିଛନ୍ତି। ଜୟ ବିଜୟ ଦୁଆର ପରେ ରହିଛି ମନ୍ଦିରର ମୁଖଶାଳା। ମୁଖଶାଳା ପାଖରେ ଭିତର କାଠ ରହିଛି। ଭିତର କାଠ ଡେଇଁ ଅଣସର ପିଣ୍ଡି ଦେଇ ଭକ୍ତମାନେ ରତ୍ନସିଂହାସନ ପାଖକୁ ଯାଇଥାନ୍ତି। ଭିତର କାଠର ଡାହାଣ ପଟେ ରତ୍ନଭଣ୍ଡାର ରହିଛି।

ରତ୍ନଭଣ୍ଡାରରେ କେତେ କୋଠରୀ?

ଶ୍ରୀମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ରହିଛି। ପ୍ରଥମଟି ହେଉଛି ବାହାର ଏବଂ ଦ୍ୱିତୀୟଟି ହେଉଛି ଭିତର ରତ୍ନଭଣ୍ଡାର। ବାହାର ରତ୍ନଭଣ୍ଡାର ଛୋଟିଆ କୋଠରୀଟିଏ ଏବଂ ଭିତର ରତ୍ନଭଣ୍ଡାରରେ ବଡ଼ କୋଠରୀ ରହିଛି। ବାହାର ରତ୍ନଭଣ୍ଡାରର ଚାବି ୩ ଜଣଙ୍କ ପାଖରେ ରହିଥାଏ। ଭଣ୍ଡାରମେକାପ, ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବାହାର ଭଣ୍ଡାରର ଚାବି ରହିଥାଏ। ତିନି ଜଣ ଏକାଠି ହେଲେ ବାହାର ଭଣ୍ଡାର ଖୋଲାଯାଏ।

ଭିତର ରତ୍ନଭଣ୍ଡାର ଚାବି କାହା ପାଖରେ?

ଭିତର ରତ୍ନଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରୀରେ ରହିଥାଏ। ସରକାରଙ୍କ ଅନୁମତି ମିଳିଲେ ଭିତର ରତ୍ନଭଣ୍ଡାରର ଚାବି ଖୋଲିଥାଏ। ତେବେ ବାହାର ରତ୍ନଭଣ୍ଡାରର ବାଟ ଦେଇ ହିଁ ଭିତର ଭଣ୍ଡାରଘରକୁ ଯାଇ ହୁଏ। ସେଠାରୁ ଠାକୁରଙ୍କ ବିଭିନ୍ନ ପର୍ବ ପର୍ବାଣୀରେ ବ୍ୟବହୃତ କରାଯାଉଥିବା ଅଳଙ୍କାର ଅଣାଯାଇଥାଏ। ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି  ତାହାର ତାଲିକା ମଧ୍ୟ କରାଯାଇଛି।

ଭିତର ଭଣ୍ଡାରରେ କ’ଣ ଅଛି?

ବର୍ଷସାରା ମହାପ୍ରଭୁଙ୍କ ସେବାରେ ଯେଉଁ ଅଳଙ୍କାର ବ୍ୟବହାର କରାଯାଏ ନାହିଁ ତାହା ଭିତର ଭଣ୍ଡାରରେ ସାଇତା ହୋଇ ରଖାଯାଇଛି। ସୁନା ଥାଳି, ରଘୁନାଥ ବେଶ ପାଇଁ ସୁନା ଅଳଙ୍କାର ଏହା ଭିତରେ ରହିଛି। ହୀରା, ନିଳା, ମୋତି, ମାଣିକ୍ୟ ରହିଛି। ଗଜପତି ମହାରାଜ ସେତେବେଳେ ଯୁଦ୍ଧରେ ଯେଉଁ ରାଜାମାନଙ୍କୁ ପରାଜିତ କରୁଥିଲେ ସେମାନେ ସେମାନଙ୍କ ମୁକୁଟ ସମର୍ପଣ କରିଦେଉଥିଲେ। ଏହି ମୁକୁଟ ସବୁ ଭିତର ଭଣ୍ଡାରରେ ରହିଛି। କାଞ୍ଚି ଅଭିଯାନ ବେଳେ ଗଜପତି ମହାରାଜ ୧୬ଟି ହାତୀରେ ରତ୍ନ ଅଳଙ୍କାର ଆଣିଥିଲେ। ସେସବୁ ଏହି ଭଣ୍ଡାରଘରେ ରଖାଯାଇଛି।

ରତ୍ନଭଣ୍ଡାର କାହିଁକି ରହସ୍ୟମୟ?

ରତ୍ନଭଣ୍ଡାରର ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିଲେ ମଧ୍ୟରେ ସେଠାରେ ପୋକ ଜୋକ ହୁଅନ୍ତି ନାହିଁ। ପୂର୍ବ ଏବଂ ପଶ୍ଚିମ କାନ୍ଥରେ ଦୁଇଟି ଫାଙ୍କ ରହିଛି। ଏହି ଫାଙ୍କ ଦେଇ ଜଣେ ମଣିଷ ବି ଯାଇପାରିବ। ରତ୍ନ ଅଳଙ୍କାରକୁ ସୁରକ୍ଷିତ ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଅନୁମାନ କରାଯାଉଛି।

ଭିତର ଭଣ୍ଡାରରେ ସାପ ଅଛି କି?

ଭିତର ଭଣ୍ଡାରଘର ସମ୍ପର୍କରେ ଅଧିକାଂଶ ଲୋକ ବିଶେଷ ଭାବେ ଜାଣି ନାହାନ୍ତି। ତେଣୁ ଏହାକୁ ନେଇ ବହୁ ମନଗଢ଼ା କାହାଣୀ ରହିଛି। ତେବେ ଭିତର ରତ୍ନଭଣ୍ଡାରରରେ ସାପ ଅଛି ବୋଲି ଯାହା କୁହାଯାଉଛି ତାହା ବିଶ୍ୱାସଯୋଗ୍ୟ ମନେହୁଏ। କାରଣ ସେତେବେଳେ ରତ୍ନଭଣ୍ଡାର ସାମ୍ନାରେ ମହାପ୍ରସାଦ ମାଟି କୁଡ଼ୁଆରେ ଦିଆଯାଉଥିଲା। ସକାଳୁ ଏହି ମହାପ୍ରସାଦ ରହୁ ନଥିବାରୁ ସାପ ରହିଥିବା କୁହାଯାଉଥିଲା। କିନ୍ତୁ ଏବେ ଏହି ପରମ୍ପରା ବନ୍ଦ ହୋଇଯାଇଛି। ବାହାର ରତ୍ନଭଣ୍ଡାର ବର୍ଷକୁ ମାତ୍ର ୧୫ ଦିନ ଖୋଲାଯାଏ। ବାକି ୩୫୦ ଦିନ ବନ୍ଦ ରଖାଯାଇଥାଏ।

ରଘୁନାଥ ବେଶ କ’ଣ?

ମହାପ୍ରଭୁଙ୍କ ରଘୁନାଥ ବେଶ ୧୯୦୫ ମସିହାରେ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବେଶ କରିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। କିନ୍ତୁ ବିଭିନ୍ନ କାରଣରୁ ତାହା ବନ୍ଦ କରିଦିଆଗଲା। ୧୯୦୫ ମସିହାରେ ରଘୁନାଥ ବେଶ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଫଳରେ ମନ୍ଦିର ୭ ଦିନ ପର୍ଯ୍ୟନ୍ତ ଖୋଲାଯାଇଥିଲା। ଯଦି ଏବେ ମହାପ୍ରଭୁଙ୍କ ରଘୁନାଥ ବେଶ କରାଯିବ ତାହାଲେ ପ୍ରଶାସନର ଚିନ୍ତା ବଢ଼ିଯିବ। କାରଣ ଉତ୍ତରଭାରତ ସାଧୁ ଶୂନ୍ୟ ହୋଇଯିବ। ସମସ୍ତ ସାଧୁ ଶ୍ରୀକ୍ଷେତ୍ରକୁ ଚାଲି ଆସିବେ।

ରଘୁନାଥ ବେଶର ବିଶେଷତ୍ତ୍ୱ ହେଲା ମହାପ୍ରଭୁଙ୍କୁ ରାମ-ଲକ୍ଷ୍ମଣ ବେଶ କରାଯାଇଥାଏ। ବଳଭଦ୍ର ଲକ୍ଷ୍ମଣ ବେଶ ଧାରଣ କରିଥାନ୍ତି ଏବଂ ଜଗନ୍ନାଥ ରାମଚନ୍ଦ୍ର ବେଶ ଧାରଣ କରିଥାନ୍ତି। ଏହି ବେଶ ବେଳେ ଜଗନ୍ନାଥ ଏବଂ ବଳଭଦ୍ର ଚିତ୍ତା-କୁଣ୍ଡଳ ଅଳଙ୍କାର ପରିଧାନ କରିଥାନ୍ତି। ଏଥିରେ ହୀରା, ଲୀଳା, ମୋତି, ମାଣିକ୍ୟ ଭରପୁର ହୋଇ ରହିଥିବାରୁ ଭକ୍ତଙ୍କୁ ଆକର୍ଷିତ କରିଥାଏ। ରଘୁନାଥ ବେଶ ବେଳେ ସିଂହାସନ ଲମ୍ବି ଆସିଥାଏ। ଏହି ବେଶ ବେଳେ ସୁଗ୍ରୀବ, ହନୁମାନ, ଜାମ୍ବବାନଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥାଏ। ଏହା ହେଉଛି ମହାପ୍ରଭୁଙ୍କ ଅତି ଦୁର୍ଲ୍ଲଭ ବେଶ।

କେବେ ଓ କେମିତି କରାଯାଇଥିଲା ଅଳଙ୍କାରର ତାଲିକା?

୧୯୭୮ ମସିହାରେ ରତ୍ନ ଅଳଙ୍କାରର ତାଲିକା କରାଯାଇଥିଲା। ସେତେବେଳେ ୬ ଜଣ ଲୋକ ପ୍ରବେଶ କରି ଏହି ତାଲିକା ପ୍ରସ୍ତୁତ କରିଥିଲେ। ଏହି ୬ ଜଣ ହେଲେ ଗଜପତି ମହାରାଜଙ୍କ ପ୍ରତିନିଧି, ଜିଲ୍ଲାପାଳଙ୍କ ପ୍ରତିନିଧି, ଏସ୍‌ପିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ଜଣ ସଭ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭିତର ରତ୍ନଭଣ୍ଡାରକୁ ଯାଇ ଅଳଙ୍କାରର ତାଲିକା ପ୍ରସ୍ତୁତ କରିଥିଲେ।

୧୯୮୪ରେ କାହିଁକି ଖୋଲାଯାଇଥିଲା ରତ୍ନଭଣ୍ଡାର?

ସେତେବେଳେ କିଛି ଅଳଙ୍କାର ମରାମତି ଆବଶ୍ୟକ ପଡ଼ିଲା। ବାହାର ଭଣ୍ଡାରରେ ରେଜା ସୁନା ନଥିବାରୁ ଆମେ ଭିତର ଭଣ୍ଡାରକୁ ପ୍ରବେଶ କରିଥିଲୁ। ରେଜା ସୁନା ଆଣି ଅଳଙ୍କାର ମରାମତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here