ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଖେଳାଯିବ ଆଇପିଏଲ୍‍ର ୧୧ଶ ସଂସ୍କରଣ। ୫୧ ଦିନ ଧରି ସାରାବିଶ୍ୱର କ୍ରିକେଟ୍‍ପ୍ରେମୀଙ୍କୁ ମିଳିବ ଫଟାଫଟ୍‍ କ୍ରିକେଟ ଟ୍ୱେଣ୍ଟି୨୦ର ମଜା। ଦେଶ ଓ ବିଦେଶରୁ ପ୍ରାୟ ୩୦୦ କ୍ରିକେଟର ଏହି ଲିଗ୍‍ରେ ଖେଳିବେ। ଶନିବାର ଆଇପିଏଲ୍‍-୧୧ର ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ମୁମ୍ବଇ ଇଣ୍ଡିଆନ୍‍ସ ଓ ଚେନ୍ନାଇ ସୁପର କିଙ୍ଗ୍‍ସ ମଧ୍ୟରେ ପ୍ରଥମ ମ୍ୟାଚ୍‍ ଖେଳାଯିବ। ଆଇପିଏଲର ୧୧ତମ ସଂସ୍କରଣର ପ୍ରତିଟି ମ୍ୟାଚର ସିଧାପ୍ରସାରଣ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହେବ।

୨୦୦୮ରେ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୧ ତମ ସଂସ୍କରଣ ଖେଳାଯିବ। ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ଓ୍ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ଉଦଘାଟନୀ କାର୍ଯ୍ୟକ୍ରମ। ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ୍‌ ଧରି ଚାଲିବ। ଏହାପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌।

ଭାରତୀୟ କ୍ରିକେଟ୍‌କୁ ନୂଆ ରୂପ ଦେବା ଆଇପିଏଲ୍‌। ଟି-୨୦ ଲିଗ୍‌ର ଦୁଇ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ କିମ୍ବଦନ୍ତୀ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ଏଥି ସହ ଟ୍ଵେଣ୍ଟି-୨୦ କ୍ରିକେଟ୍‌ ଫଟାଫଟ୍‌ ରୋମାଞ୍ଚ ପୁଣି ଫେରିବ ପ୍ରଶଂସକଙ୍କ ପାଖକୁ।

ଏପ୍ରିଲ୍‌ ୭ରୁ ମେ’ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ୭ ସପ୍ତାହ ବିଶିଷ୍ଟ ପ୍ରତିଯୋଗିତାରେ ଏଥର ମଧ୍ୟ ଖେଳିବେ ୮ ଦଳ। ନିଲମ୍ବନରୁ ରାଜସ୍ଥାନ ରୟାଲ୍‌ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଫେରିଥିବାବେଳେ ଉପବିଜେତା ପୁନେ ସୁପର୍‌ଜିଆଣ୍ଟ୍‌ ଓ ଗୁଜରାଟ ଲାୟନ୍‌ସ ବାଦ୍‌ ଦିଆଯାଇଛି। ଏକାଦଶ ସଂସ୍କରଣର ୫୧ ଦିନ ମଧ୍ୟରେ ମୋଟ ୬୦ ମ୍ୟାଚ୍‌ ଖେଳାଯିବ।

ଭାରତରେ କ୍ରିକେଟ ପର୍ବ କୁହାଯାଉଥିବା ଆଇପିଏଲର ୧୧ତମ ସଂସ୍କରଣର ପ୍ରତିଟି ମ୍ୟାଚର ସିଧାପ୍ରସାରଣ ଏବେ ଆପଣ ଦେଖିପାରିବେ ଦୂରଦର୍ଶନରେ। ପ୍ରଥମଥର ପାଇଁ ଏଭଳି ପ୍ରସାରଣ କରିବାକୁ ଯାଉଛି ଦୂରଦର୍ଶନ। ଏଥିପାଇଁ ଷ୍ଟାର ସ୍ପୋର୍ଟ୍ସ ଜାତୀୟ ପ୍ରସାରଣ କର୍ତ୍ତା ଦୂରଦର୍ଶନ ସହ ଚୁକ୍ତି କରିଛନ୍ତି। ଯେଉଁ କ୍ରିକେଟ ପ୍ରେମୀ ଦେୟ ଯୁକ୍ତ ଚ୍ୟାନେଲ ପାଇଁ ଟଙ୍କା ଦେଇ ପାରୁ ନାହାନ୍ତି, ସେମାନେ ଏବେ ଦୂରଦର୍ଶନ ମାଧ୍ୟମରେ ଆଇପିଏଲ ୨୦୧୮ର ଭରପୁର ମଜା ନେଇ ପାରିବେ।

Comment