ରବୀନ୍ଦ୍ର ନାରାୟଣ ମିଶ୍ର

“ମୋ ଠିକ୍‌ ତଳ ହାକିମ ଜଣକ ନିରୀହ ଆଦିବାସୀ। ସିଏମ୍‌ ଖୋଦ୍‌ ଯାଜପୁର ଅଧିବାସୀ, ତେଣୁ…।”

ସଚିବାଳୟରେ ତାଙ୍କୁ ସମସ୍ତେ ସିଏମ୍‌ ବୋଲି ଡାକନ୍ତି। ସିଏମ୍‌ ଶଦ୍ଦର ସଚିବାଳୟ ଚଳଣି ଅନୁସାରେ ଅର୍ଥ ହେଉଛି- ଚିଫ୍‌ ମିନିଷ୍ଟର- ମାନେ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ସିଏମ୍‌ ଡାକିବାର କ’ଣ ବା ତାତ୍ପର୍ଯ୍ୟ। ଟିକେ ଖୋଜଖବର ନେବାରେ ଜଣାପଡ଼ିଲା – ସିଏମ୍‌ର ପୂର୍ଣ୍ଣ ଆକାର ହେଉଛି- ଚାଲୁ ମହାରାଜ। ଦିନେ ତା’ର ପ୍ରମାଣ ପାଇଗଲି ସେ କେମିତି ଏଇ ନାଁଟି ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ।

ସଚିବାଳୟର ଅନେକ ଅନେକ ପରମ୍ପରା ମଧ୍ୟରୁ ଗୋଟିଏ ହେଲା – ସମୟାନୁବର୍ତ୍ତୀ ନ ହେବା। ଧରିନିଅନ୍ତୁ ଶତକଡ଼ା ଅନେଶତ ଅସମୟାନୁବର୍ତ୍ତୀ – ଗୋଟିଏ ପ୍ରତିଶତ ସମୟାନୁବର୍ତ୍ତୀ ଥିବେ କି ନାହିଁ ସନ୍ଦେହ। ହଁ, ଏ ଗଣନା ପରିସରରେ କେବଳ ଅମଲା ନାହାନ୍ତି, ହାକିମ ବି ଅଛନ୍ତି। ୧୯୩୭, ଏପ୍ରିଲ ପହିଲାରେ ଆମ ସଚିବାଳୟ ଜନ୍ମନେଲା। ଆଉ ବର୍ତ୍ତମାନର ମୁଖ୍ୟ ସଚିବ ହେଉଛନ୍ତି ଛତିଶ ସଂଖ୍ୟକ ମୁଖ୍ୟ ଶାସନ ସଚିବ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏପର୍ଯ୍ୟନ୍ତ ସମର୍ଥ ହୋଇନାହାନ୍ତି ସଚିବାଳୟରୁ ଅସମାନୁବର୍ତିତା ରୋଗକୁ ଉପାଡ଼ି ଫୋପାଡ଼ି ଦେବାକୁ।

ହଁ, ସିଏମ୍‌ଙ୍କ କଥା କହୁଥିଲି।

ସଚିବାଳୟରେ ମୁଁ ଗୋଟିଏ ଛୋଟକାଟିଆ ହାକିମ ଥିଲି। ଗୋଟିଏ ବିଭାଗରେ ମୋ ଅଧୀନରେ ଛଅସାତଟି ଉପବିଭାଗ ଥାଏ। ବହୁ ପରିଶ୍ରମ କରି ସେଇ ସାତଟି ଉପବିଭାଗର କର୍ମଚାରୀମାନଙ୍କୁ, ଜଣକ ଛଡ଼ା, ସମୟାନୁବର୍ତ୍ତୀ କରିପାରିଲି। ଯାହାଙ୍କ ପାଖରେ ମୋ ବିଦ୍ୟାବୁଦ୍ଧି କାଟୁ କଲା ନାହିଁ ସେ ହେଲେ ମିଷ୍ଟର ସିଏମ୍‌ ବା ଚାଲୁ ମହାରାଜ।

ତାଙ୍କୁ ବାଟକୁ ଆଣିବା ପାଇଁ ମୋର ଠିକ୍ ତଳ ହାକିମଙ୍କ ପ୍ରକୋଷ୍ଠରେ ଦିନେ ଯାଇ ପହଞ୍ଚି ତାଙ୍କ ସହିତ ପରାମର୍ଶ କଲି ସିଏମ୍‌ଙ୍କୁ ବାଟକୁ ଆଣି ହେବ କି ନାହିଁ। ସେ ମୋ କଥା ଶୁଣି ବ୍ୟଥିତ ହୋଇ ସାଙ୍ଗେ ସାଙ୍ଗେ ଘଣ୍ଟି ବଜାଇ ସିଏମ୍‌ଙ୍କୁ ଡକାଇଲେ। ସେତେବେଳେ ମଧ୍ୟାହ୍ନର ସୂଚନା ଦେଇ ତାଙ୍କ ପ୍ରକୋଷ୍ଠର ଘଣ୍ଟାକଣ୍ଟା ଓ ମିନିଟ୍‌ କଣ୍ଟା ଏକ ହୋଇଯାଇଥାନ୍ତି।

ସିଏମ୍‌ ତାଙ୍କ ଡକରା ପାଇ ପ୍ରକୋଷ୍ଠରେ ପହଞ୍ଚି ଆମ ଦୁହିଁଙ୍କୁ ଭକ୍ତିପୂତ ନମସ୍କାର ଅର୍ପଣ କଲେ। ମୋର ତଳ ହାକିମ୍‌ ତାଙ୍କୁ ପଚାରିଲେ, “ଦେଖନ୍ତୁ ଅମୁକ ବାବୁ! ଆଜି ମୁଁ ଖବର ନେଇଛି ଆପଣ ଏଇ ଅଧଘଣ୍ଟା ତଳେ ଅଫିସ୍‌କୁ ଆସିଛନ୍ତି। ସବୁଦିନେ ଆପଣ ଡେରିରେ ଆସୁଛନ୍ତି। ଆପଣଙ୍କ ଯୋଗୁଁ (ମତେ ଦେଖାଇ) ସାର୍‌ଙ୍କଠାରୁ ମତେ ଗାଳି ଶୁଣିବାକୁ ମିଳୁଛି।”

ସିଏମ୍‌ ତାଙ୍କ କଥାରେ ସାମାନ୍ୟ ଅପ୍ରତିଭ ନ ହୋଇ କହିଲେ, “ଆଜ୍ଞା, ମାନୁଛି ମୁଁ ସବୁଦିନେ ଡେରିରେ ଆସୁଛି। ମାତ୍ର ସାର୍‌, ଆପଣ ବୋଧହୁଏ ଗୋଟିଏ କଥା ଜାଣିନାହାନ୍ତି – ମୁଁ ସବୁଦିନେ ଅଫିସ୍‌ରୁ ଚଞ୍ଚଳ ଯାଏ।”

ତଳ ହାକିମ୍‌ ଏଥର ତାଙ୍କୁ ଟିକେ ପ୍ରଶଂସା କଲା ଭଳି ପଚାରିଲେ, “ସବୁଦିନେ ଚଞ୍ଚଳ ଯାଉଛନ୍ତି?”

ସିଏମ୍‌ କହିଲେ, “ଆପଣ ସାର୍ ବୁଝୁନାହାନ୍ତି? ସମସ୍ତେ କହିବେ ମୁଁ ସବୁଦିନେ ଚଞ୍ଚଳ ଯାଏ ବୋଲି।”

ଏଥର ତଳ ହାକିମ୍‌ ତାଙ୍କୁ କହିଲେ, “ହଉ ହଉ ଠିକ୍‌ ଅଛି, ବୁଝିବା କ’ଣ ଦରକାର? ଆପଣ କ’ଣ ମିଛ କହୁଥିବେ? ହେଲେ ଏଥର ଟିକେ ଚେଷ୍ଟା କରନ୍ତୁ ସବୁଦିନେ ଠିକ୍‌ ସମୟରେ ଆସିବାକୁ।”

“ହଁ, ସାର୍” କହି କହି ସିଏମ୍‌ ବିଦାୟ ନେଲେ।

ମୁଁ ବଲବଲ ହୋଇ ତଳ ହାକିମ୍‌ଙ୍କୁ ଚାହିଁ ରହି କହିଲି, “ସେ କ’ଣ କହିଲା ଜାଣିଲେ ତ? ସବୁଦିନେ ଅଫିସ୍‌ରୁ ଚଞ୍ଚଳ ଯାଏ।”

ସେ ଜିଭ କାମୁଡ଼ିପକାଇ ଆଉ ଥରେ ଘଣ୍ଟି ଉପରକୁ ହାତ ଆଣୁଥିଲେ ସିଏମ୍‌ଙ୍କୁ ଡାକିବା ପାଇଁ। ମୁଁ ମନା କଲି। ଦୀର୍ଘନିଃଶ୍ୱାସ ପକାଇ ମନକୁ ମନ କହିଲି, “ମୋ ଠିକ୍‌ ତଳ ହାକିମ ଜଣକ ନିରୀହ ଆଦିବାସୀ। ସିଏମ୍‌ ଖୋଦ୍‌ ଯାଜପୁର ଅଧିବାସୀ, ତେଣୁ…।”

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment