ରବୀନ୍ଦ୍ର ନାରାୟଣ ମିଶ୍ର

ସମ୍ପର୍କରେ ମାନବିକତାର ସ୍ପର୍ଶ ମିଳିଲେ, ତାହା ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିଦିଏ।

ଆମ ଜୀବନରେ ଆମ୍ଭେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ। ଏଥିରେ ଯଦି ମାନବିକତାର ସ୍ପର୍ଶ ମିଳେ, ତେବେ ତାହା ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିଦିଏ। ଏ ସମ୍ପର୍କରେ ଜଣେ ବନ୍ଧୁଙ୍କଠାରୁ ଶୁଣିଥିବା ତାଙ୍କ ନିଜର ଏକ ବିରଳ ଅଭିଜ୍ଞତା ବିଷୟରେ ଜଣାଉଛି।

ଥରେ ସେ ବନ୍ଧୁ ତାଙ୍କ ପତ୍ନୀଙ୍କ ସହ ନିଜ କନ୍ୟାର ବିବାହ ଉପଲକ୍ଷେ କଲିକତାରୁ କେତେକ ଦାମିକା ଜିନିଷପତ୍ର ନେଇ ଆମରି ଏଇ ଓଡ଼ିଶାରେ ଥିବା ତାଙ୍କ ଗାଁକୁ ଆସୁଥିଲେ। ଅନ୍ୟ ଜଣେ ସାହାଯ୍ୟକାରୀଙ୍କ ହାତରେ ସେ ଷ୍ଟେସନ୍‌କୁ ଆଗରୁ ସବୁ ଜିନିଷ ପଠାଇଦେଇ ଲୁଗାଦୋକାନରେ କେତେକ ପାଟଶାଢ଼ି କିଣି ଷ୍ଟେସନ୍‌ରେ ପହଞ୍ଚିବାକୁ ଯୋଜନା କରିଥିଲେ।

ପାଟ ଦୋକାନରେ ପ୍ରାୟ କୋଡ଼ିଏ ହଜାର ଟଙ୍କାର ଶାଢ଼ି କିଣିବା ପରେ ଯେତେବେଳେ କାଉଣ୍ଟର୍‌ରେ ପଇସା ଦେବା ପାଇଁ ନିଜର ଥଳି (ପର୍ସ) ଖୋଜିଲେ, ଜାଣିଲେ ତାଙ୍କ ପର୍ସଟି ନାହିଁ। ନିଃସନ୍ଦେହରେ ୟା ଭିତରେ ଯେ ପକେଟ୍‌ମାର୍‌ ହୋଇଯାଇଛି, ତାହା ଜାଣିପାରି କିଂକର୍ତ୍ତବ୍ୟବିମୂଢ଼ ହୋଇ କାଉଣ୍ଟର ପାଖରେ ସ୍ୱାମୀ-ସ୍ତ୍ରୀ ଠିଆହୋଇଥିବା ବେଳେ ଦୂରରୁ ଜଣେ ଲୋକ ତାଙ୍କ ପାଖକୁ ଛୁଟିଆସି ଅତି ଭଦ୍ରୋଚିତ ଢଙ୍ଗରେ ହିନ୍ଦୀରେ ପ୍ରଶ୍ନ କରି ଜାଣିବାକୁ ଚାହିଁଲା ସେମାନଙ୍କର ବ୍ୟସ୍ତତାର କାରଣ।

ଭଦ୍ରଲୋକ ସବୁକଥା ଖୋଲି କହିବାମାତ୍ରେ ଲୋକଟି ନିଜର ପରିଚୟ ଦେଇ କହିଲେ, ‘‘ଦେଖନ୍ତୁ, ମୋର ତିନିଟି ଝିଅ। ସମସ୍ତେ ଏଇ ନଗରୀରେ ବେଶ୍‌ ଅଭିଜାତବଂଶରେ ବିବାହପୂର୍ବକ ସୁଖରେ ଅଛନ୍ତି। ଝିଅ ବିବାହ କେତେ ଦାୟିତ୍ୱପୂର୍ଣ୍ଣ ତା’ ମୁଁ ଅଙ୍ଗେ ଲିଭାଇଛି। ଆପଣଙ୍କ ଦୁଃଖ ମୁଁ ବୁଝିପାରୁଛି। ମୁଁ ଏ ଦୋକାନର ମାଲିକ। ମୋ ନାଁ ଇସ୍‌ମାଇଲ୍‌ ଖାଁ। ଆପଣଙ୍କ ବରାଦ ଅନୁସାରେ ପ୍ରସ୍ତୁତ ସବୁ ନେଇଯାଆନ୍ତୁ।’’

ବନ୍ଧୁ ଅପ୍ରସ୍ତୁତ ହୋଇ ଯେତେ ମନା କଲେ ବି ଇସ୍‌ମାଇଲ୍‌ ସବୁ ପ୍ୟାକେଟ୍‌ଗୁଡ଼ିକୁ ତାଙ୍କ ଗାଡ଼ିରେ କର୍ମଚାରୀମାନଙ୍କ ଦ୍ୱାରା ରଖେଇଦେଇ ବନ୍ଧୁଙ୍କ ହାତରେ ପାଞ୍ଚ ହଜାର ଟଙ୍କା ଜବରଦସ୍ତ ଧରାଇଲେ – ଘରେ ପହଞ୍ଚିବାଯାଏ ସମସ୍ତ ଖର୍ଚ୍ଚ ତୁଲାଇବାକୁ।

ମୋର ବନ୍ଧୁ ତାଙ୍କୁ ନିଜ ଠିକଣା ଥିବା ପରିଚୟପତ୍ର କାର୍ଡଟି ଯେତେବେଳେ ଧରାଇଲେ, ଇସ୍‌ମାଇଲ୍‌ କହିଉଠିଲେ, ‘‘ଦେଖନ୍ତୁ ମହାଶୟ! ଏଇ ନଗରରେ ମୁଁ ପଚାଶବର୍ଷରୁ ଅଧିକକାଳ ବ୍ୟବସାୟ କରିଆସୁଛି। ସ୍ୱାଧୀନତା ବର୍ଷ ମୁଁ ଓ ମୋ ପରିବାର ଏଠାକୁ ଆସିଥିଲୁ। ପ୍ରଥମେ ମୁଣ୍ଡରେ ଗଣ୍ଠିଲି ଧରି ଗଳିଗଳି ରାସ୍ତାରେ ବୁଲି ମୁଁ ଶାଢ଼ି ବିକୁଥିଲି। ଆଲ୍ଲାଙ୍କ ସାହାଯ୍ୟ ବୋଲି ଗ୍ରହଣ କରନ୍ତୁ। ଆପଣଙ୍କ ସୁବିଧାରେ ମୋତେ ଦେବେ। ମୋ ଝିଅକୁ ଆଶୀର୍ବାଦ ଜଣାଇବେ।’’

ବନ୍ଧୁ ମୋର କ୍ଷମା ମାଗି ଝିଅର ନିମନ୍ତ୍ରଣପତ୍ରଟି ଇସ୍‌ମାଇଲ୍‌ଙ୍କୁ ଦେଲେ। ସେତିକିରେ କଥା ସରିଲାନି। ବନ୍ଧୁଙ୍କୁ ନାହିଁ ନ ଥିବା ଆଶ୍ଚର୍ଯ୍ୟ କରି ଇସ୍‌ମାଇଲ୍‌ ତାଙ୍କ ଅନ୍ୟ ଜଣେ ବନ୍ଧୁଙ୍କ ସହ କଟକରେ ବିବାହ ଦିନ ହାଜର ହୋଇଗଲେ ସାଙ୍ଗରେ ଝିଅ ପାଇଁ ଲକେଟ୍‌ ଥିବା ଗୋଟିଏ ସୁନ୍ଦର ସୁନାହାର ଓ ଆଉ କିଛି ଉପହାର ଧରି। ଏସବୁ ଦେଖି ସେଦିନ କୃତଜ୍ଞତାର ଭାଷା ନ ଥିଲା ବନ୍ଧୁ ଓ ବନ୍ଧୁପତ୍ନୀଙ୍କ ତୁଣ୍ଡରେ।

ଇସ୍‌ମାଇଲ୍‌ ସାରା ରାତି ଉଜାଗର ରହି ପୂରା ବାହାଘରରେ ଯୋଗଦେଲେ। ଉତ୍ସବ ସରିଲା ପରେ ଆଦରର ସହ ଝିଅଜୋଇଁଙ୍କୁ ନିମନ୍ତ୍ରଣ କଲେ କଲିକତା। ଝିଅଜୋଇଁ କଲିକତା ଦେଇ କାଠମାଣ୍ଡୁ ଭ୍ରମଣ ପାଇଁ ଯିବା ଅବସରରେ କଲିକତାରେ ଇସ୍‌ମାଇଲ୍‌ଙ୍କ ଆତିଥ୍ୟ ଗ୍ରହଣ କଲେ ତାଙ୍କ ବିରାଟ ହର୍ମ୍ମ୍ୟରେ। ଇସ୍‌ମାଇଲ୍‌ ସେଇ ଦିନଠାରୁ ସବୁବେଳେ କହିଚାଲିଲେ – ଆଲ୍ଲା, ଚୌଥୀ ବେଟି ମୁଝେ ଦେ ଦିୟେ।

ବନ୍ଧୁଙ୍କର ଇସ୍‌ମାଇଲ୍‌ ସହିତ ପାରିବାରିକ ସମ୍ପର୍କ ଗଢ଼ି ଉଠିବାର କେତେବର୍ଷ ହୋଇଗଲାଣି। ସେ ଇସ୍‌ମାଇଲ୍‌ଙ୍କ ବିଷୟରେ ପରେ ଯାହା ଜାଣିପାରିଲେ – ତା’ ହେଉଛି କେବଳ ତାଙ୍କର ନୁହେଁ, ଇସ୍‌ମାଇଲ୍‌ ଏମିତି ସାରା ଭାରତରେ ତାଙ୍କ ସ୍ନେହ ସମ୍ପର୍କ ମେଲି ଦେଇଛନ୍ତି।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment