ରବୀନ୍ଦ୍ର ନାରାୟଣ ମିଶ୍ର

‘‘ଆମ ଭାରତର ପ୍ରାଚୀନ ପରମ୍ପରା ହେଉଛି ତ୍ୟାଗ। କୌଣସି ବ୍ୟକ୍ତିର ମୂଲ୍ୟ ଓ ମହାନତା ତା’ ବେଶପୋଷାକରେ ନଥାଏ, ଥାଏ ସମସ୍ତଙ୍କର ସେବା କରିବାରେ। ସରଳ ନିରାଡ଼ମ୍ବର ଜୀବନ ହିଁ ଆମକୁ ନୀତିସମ୍ପନ୍ନ ଓ ସତ୍ୟାଶ୍ରୟୀ କରିବ।’’

ସେଦିନ ଅସୁସ୍ଥ ଥିବା ଭାରତର ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କୁ ଦେଖିବାକୁ ଯାଇ କଂଗ୍ରେସ ନେତା ମହାବୀର ତ୍ୟାଗୀ ଓ ଅନ୍ୟ କେତେଜଣ ଲକ୍ଷ୍ୟ କଲେ ଯେ ତାଙ୍କ ଝିଅ ମଣିବେନ୍‌ ପିନ୍ଧିଥିବା ଶାଢ଼ିର ଦୁଇ, ତିନି ଜାଗା ତାଳିପଡ଼ି ସିଲେଇ ହୋଇଛି। ମହାବୀର ତ୍ୟାଗୀ କହିଉଠିଲେ, ‘‘ତୁମେ ଏତେ ବଡ଼ଲୋକର ଝିଅ ହୋଇ ଚିରା ଲୁଗା ପିନ୍ଧୁଛ? ତୁମକୁ ଟିକେ ଲାଜ ଲାଗୁନି!’’

ମଣିବେନ୍‌ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘‘ମତେ କାହିଁକି ଲାଜ ଲାଗିବ, ମୁଁ କ’ଣ ମିଛ କହୁଛି, ବେଇମାନୀ କରି ବଡ଼ ବଡ଼ କଥା କହିବୁଲୁଛି? କେବଳ ସେଇ ମିଥ୍ୟାବାଦୀ ବେଇମାନଙ୍କୁ ଲାଜ କରିବା କଥା।’’

ମହାବୀର ପୁଣି କହିଉଠିଲେ, ‘‘ଏ ପୋଷାକରେ ତୁମେ ସହର ଦାଣ୍ଡକୁ ଗୋଡ଼ କାଢ଼ିଲେ ଲୋକେ ତୁମକୁ ଭିକାରୁଣୀ କହିବେ।’’

ସର୍ଦ୍ଦାର ପଟେଲ ଏଥର ହସି ହସି ପାଟି ଖୋଲିଲେ। ‘‘ତା’ଦ୍ୱାରା ମୋ ଔଷଧ କିଣିବା ପାଇଁ ସେ କିଛି ପଇସା ପାଇଯିବ।’’

ଭାରତର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସୁଶୀଳା ନାୟାର ସେଇଠି ମହାବୀର ତ୍ୟାଗୀଙ୍କୁ ଚେତାଇ ଦେଲେ, ‘‘ଜାଣିଛନ୍ତି, ମଣିବେନ୍‌ ଦିନସାରା ସର୍ଦ୍ଦାର ସାହେବଙ୍କ ସେବା କରନ୍ତି, ନିୟମିତ ଚରଖାରେ ସୂତା କାଟନ୍ତି। ସେଇ ସୂତାରେ ସର୍ଦ୍ଦାରଙ୍କ ପାଇଁ ଧୋତିକୁର୍ତ୍ତା ତିଆରି ହୁଏ। ଆପଣଙ୍କ ଭଳି ତାଙ୍କ ଧୋତିକୁର୍ତ୍ତା ଖଦୀଭଣ୍ଡାରରୁ ଆସେ ନାହିଁ। ସର୍ଦ୍ଦାରଙ୍କ ଚିରା ଧୋତିକୁର୍ତ୍ତାରେ ମଣିବେନ୍‌ ନିଜ ପାଇଁ ସାୟା ବ୍ଲାଉଜ୍‌ ତିଆରି କରନ୍ତି।’’

ସୁଶୀଳାଙ୍କ କଥାରେ ତାଳଦେଇ ସର୍ଦ୍ଦାର ପଟେଲ କହିଉଠିଲେ, ‘‘ଭାଇ, ମଣିବେନ୍‌ ଗରିବ ବାପର ଝିଅ, ସେ ଭଲ ଶାଢ଼ି କେମିତି ପିନ୍ଧିପାରିବ?’’ ଏତିକି କହି ସେ ନିଜର ଚଷମା ଖୋଳଟି ଦେଖାଇଲେ। ତା’ ଭିତରେ ଥିବା ଚଷମାର ଭଙ୍ଗା ଫ୍ରେମ୍‌ରେ ଗୋଟିଏ ପଟେ ସୂତା ବନ୍ଧା ହୋଇଛି।

ଏସବୁ ଦେଖି ତ୍ୟାଗୀ ଓ ଅନ୍ୟାନ୍ୟ କଂଗ୍ରେସ ନେତା ତାଜୁବ୍‌ ହୋଇଗଲେ। ଭାରତର ଗୃହମନ୍ତ୍ରୀ ଓ ଉପ-ପ୍ରଧାନମନ୍ତ୍ରୀଙ୍କର ଏଇ ଅବସ୍ଥା! ସେମାନଙ୍କୁ ମଣିବେନ୍‌ କହିଲେ, ‘‘ଆମ ଭାରତର ପ୍ରାଚୀନ ପରମ୍ପରା ହେଉଛି ତ୍ୟାଗ। କୌଣସି ବ୍ୟକ୍ତିର ମୂଲ୍ୟ ଓ ମହାନତା ତା’ ବେଶପୋଷାକରେ ନଥାଏ, ଥାଏ ସମସ୍ତଙ୍କର ସେବା କରିବାରେ। ସରଳ ନିରାଡ଼ମ୍ବର ଜୀବନ ହିଁ ଆମକୁ ନୀତିସମ୍ପନ୍ନ ଓ ସତ୍ୟାଶ୍ରୟୀ କରିବ।’’

ସେଦିନ ମହାବୀର ତ୍ୟାଗୀ ଓ ଅନ୍ୟ ସମସ୍ତେ ମଣିବେନ୍‌ଙ୍କ ପାଖରେ ମୁଣ୍ଡ ନୁଆଇଁଦେଲେ।

ଏ କଥାଟି ଆମର ଏବେକାର ମନ୍ତ୍ରୀ ଓ ନେତାମାନେ ଶୁଣୁଛନ୍ତି ତ?

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment