ରବୀନ୍ଦ୍ର ନାରାୟଣ ମିଶ୍ର

ଆଗରୁ ମୃଣାଳିନୀଙ୍କୁ ଶ୍ରୀ ଅରବିନ୍ଦ କହିଦେଇଥିଲେ – ପାଗଲକେ ବିବାହ କରିୟାଛ ପାଗଲେର୍ ଉପଯୁକ୍ତ ପାଗ୍‌ଲୀ ହଇବାର ଚେଷ୍ଟା କରିବେ। ପାଗଳକୁ ବିବାହ କରିଛ… ପାଗଳର ଉପଯୁକ୍ତ ପାଗଳୀ ହେବାକୁ ଚେଷ୍ଟା କରିବ।

ବିଲାତରୁ ଫେରି ୧୮୯୩ ମସିହାରେ ଶ୍ରୀ ଅରବିନ୍ଦ ବରୋଦାରେ ଚାକିରି ଜୀବନ ଆରମ୍ଭ କଲେ। ସେତେବେଳେ ତାଙ୍କର ବୟସ ଏକୋଇଶ। ସାତବର୍ଷ ପରେ ଯେତେବେଳେ ସେ ବରୋଦା କଲେଜରେ ଭାଇସ୍ -ପ୍ରିନସିପାଲ୍ ହେଲେ ସେତେବେଳେ ତାଙ୍କୁ ଅଠେଇଶି ବର୍ଷ। ତାଙ୍କର ହଠାତ୍ ବିବାହ କରିବାକୁ ଇଚ୍ଛା ହେଲା।

କଲିକତାର ଗୋଟିଏ ବିଖ୍ୟାତ ଖବରକାଗଜରେ ସେ ବିଜ୍ଞାପନ ପ୍ରକାଶ କଲେ – ‘ଗୋଟିଏ ହିନ୍ଦୁ ଝିଅ ବିବାହ କରିବେ ହିନ୍ଦୁ ଆଚାରମତେ’। ବିଜ୍ଞାପନଟି ବଙ୍ଗବାସୀ କଲେଜର ପ୍ରିନ୍‌ସିପାଲ୍ ଗିରୀଶଚନ୍ଦ୍ର ବସୁଙ୍କ ଦୃଷ୍ଟିରେ ପଡ଼ିଲା। ସେ ଥିଲେ ଭୂପାଳଚନ୍ଦ୍ର ବସୁଙ୍କ ଅତି ଘନିଷ୍ଠ ବନ୍ଧୁ। ଭୂପାଳଚନ୍ଦ୍ର ମୃଣାଳିନୀଙ୍କ ପିତା, ମୃଣାଳିନୀ ସେତେବେଳେ ବ୍ରାହ୍ମ ହାଇସ୍କୁଲର ନବମଶ୍ରେଣୀର ଛାତ୍ରୀ। ବୟସ ଚଉଦ।

ଶ୍ରୀଅରବିନ୍ଦଙ୍କ ଖ୍ୟାତି ସେତେବେଳେ ସାରା ଦେଶରେ ବ୍ୟାପୀ ଯାଇଥିଲା, ବିଶେଷତଃ ଶିକ୍ଷିତ ମହଲରେ। ଗିରୀଶ ଚନ୍ଦ୍ର ବନ୍ଧୁ ଭୂପାଳଙ୍କୁ ରାଜି କରାଇଦେଲେ ମୃଣାଳିନୀଙ୍କୁ ଶ୍ରୀଅରବିନ୍ଦଙ୍କ ସହ ବିବାହ ଦେବା ପାଇଁ। ଶ୍ରୀ ଅରବିନ୍ଦ କନ୍ୟା ଦେଖିବାକୁ କଲିକତା ଆସିଲେ ଓ କନ୍ୟା ପସନ୍ଦ କଲେ।

ଏକମାସ ମଧ୍ୟରେ ୧୯୦୧ ମସିହାରେ ହିନ୍ଦୁ ପ୍ରଥାନୁସାରେ ବିବାହ ସମ୍ପନ୍ନ ହେଲା। ସେତେବେଳେ ଶ୍ରୀଅରବିନ୍ଦଙ୍କୁ ଅଣତିରିଶ ବର୍ଷ ଓ ମୃଣାଳିନୀଙ୍କୁ ପନ୍ଦରବର୍ଷ। ବିବାହ ପରେ ଶ୍ରୀଅରବିନ୍ଦ ନିଜ ଭଉଣୀ ସରୋଜିନୀଙ୍କ ସହିତ ନୈନିତାଲ ଦେଇ ବରୋଦାରେ ପହଞ୍ଚିଲେ। ବର୍ଷକ ପରେ ଶ୍ରୀଅରବିନ୍ଦ ସେମାନଙ୍କୁ କଲିକତା ଆଣିଲେ ଓ ତା’ ପରେ ମୃଣାଳିନୀ ଆଉ ବରୋଦା ଯାଇନଥିଲେ।

୧୯୦୫ ମସିହାରେ ମୃଣାଳିନୀଙ୍କୁ ଚିଠିରେ ଜଣାଇଲେ, ‘‘ତୁମେ ବୋଧହୁଏ ୟା ଭିତରେ ଜାଣିପାରିଛ- ଯାହା ଭାଗ୍ୟ ସହିତ ତୁମ ଭାଗ୍ୟ ଜଡ଼ିତ ସେ ବଡ଼ ବିଚିତ୍ର ଧରଣର ଲୋକ। ଏ ଦେଶର ଆଜିକାଲିର ଲୋକଙ୍କ ଯେପରି ମନର ଭାବ, ଜୀବନର ଉଦ୍ଦେଶ୍ୟ, କର୍ମର କ୍ଷେତ୍ର, ମୋର କିନ୍ତୁ ସେମିତି ନୁହେଁ। ସବୁ ବିଷୟରେ ଭିନ୍ନ, ଅସାଧାରଣ। ଆଜିକାଲି ଆମ ଦେଶର ଝିଅମାନଙ୍କ ଜୀବନ ସଂକୀର୍ଣ୍ଣ ଓ ହେୟ ଆକାର ଧାରଣ କରିଛି। ତୁମେ ଏସବୁ ଛାଡ଼ିଦିଅ, ମୋ ସାଙ୍ଗରେ ଆସ, ଜଗତକୁ ଭଗବାନଙ୍କ କାର୍ଯ୍ୟ କରିବାକୁ ଆସିଛି, ସେ କାର୍ଯ୍ୟ ଆରମ୍ଭ କରୁଛି।’’

ସେଇ ଚିଠିରେ ପୁଣି ଲେଖିଲେ ତାଙ୍କର ତିନିଗୋଟି ପାଗଳାମି ଅଛି। ପ୍ରଥମ ପାଗଳାମି ତାଙ୍କର ସ୍ୱଦେଶପ୍ରେମ। ତାଙ୍କର ତିରିଶକୋଟି ଭାଇଭଉଣୀଙ୍କ ମଧ୍ୟରୁ ଅନେକେ ଅନାହାର ଓ ଦୁଃଖକଷ୍ଟରେ ମରୁଛନ୍ତି। ସମସ୍ତେ ତାଙ୍କ ଦ୍ୱାରରେ ଆଶ୍ରିତ, ସେମାନଙ୍କର ମଙ୍ଗଳ କରିବାକୁ ପଡ଼ିବ।

ଦ୍ୱିତୀୟ ପାଗଳାମି – ଯେ କୌଣସି ମତେ ଭଗବାନଙ୍କ ସାକ୍ଷାତ ଦର୍ଶନ ଲାଭ କରିବା। ୧୯୦୩ ମସିହାରେ ସେ ଯୋଗାଭ୍ୟାସ ଆରମ୍ଭ କରି ଦେଇଥିଲେ। ତେଣୁ ମୃଣାଳିନୀଙ୍କୁ ଲେଖିଥିଲେ – ମୋର ଇଚ୍ଛା ତୁମକୁ ସେଇ ପଥରେ ନେଇଯିବି। ଯଦି ସାଙ୍ଗରେ ଆସିପାରିବନି, ମୋ ପଛେ ପଛେ ଆସିବାରେ କିଛି ବାଧା ନାହିଁ।

ତୃତୀୟ ପାଗଳାମି – ମୋ ପାଖରେ ସ୍ୱଦେଶ ଜଡ଼ ପଦାର୍ଥ ନୁହେଁ- ସ୍ୱଦେଶ ସ୍ୱୟଂ ମା’, ମୁଁ ତାଙ୍କୁ ଭକ୍ତି କରେ, ପୂଜା କରେ। ଏଇ ପତିତ ଜାତିକୁ ଉଦ୍ଧାର କରିବାକୁ ତା’ ଦେହରେ ବଳ ଅଛି। ଶାରୀରିକ ବଳ ନୁହେଁ – ଜ୍ଞାନର ବଳ।

ଚିଠି ଶେଷରେ ଲେଖିଥିଲେ, ତାଙ୍କ ପାଖରେ ସର୍ବଦା ଏଇ ପ୍ରାର୍ଥନା କରିବାକୁ ହେବ, ମୁଁ ଯେମିତି ସ୍ୱାମୀର ଜୀବନର ଉଦ୍ଦେଶ୍ୟ ଓ ଈଶ୍ୱରପ୍ରାପ୍ତି ପଥରେ ବ୍ୟାଘାତ ସୃଷ୍ଟି ନ କରି ସର୍ବଦା ସହାୟ ହେବି, ସାଧନଭୂତ ହେବି। ଏଇଆ କରିବଟି?

ଆଗରୁ ମୃଣାଳିନୀଙ୍କୁ ଶ୍ରୀ ଅରବିନ୍ଦ କହିଦେଇଥିଲେ – ପାଗଲକେ ବିବାହ କରିୟାଛ ପାଗଲେର୍ ଉପଯୁକ୍ତ ପାଗ୍‌ଲୀ ହଇବାର ଚେଷ୍ଟା କରିବେ। ପାଗଳକୁ ବିବାହ କରିଛ… ପାଗଳର ଉପଯୁକ୍ତ ପାଗଳୀ ହେବାକୁ ଚେଷ୍ଟା କରିବ।

ଉଣେଇଶ ବର୍ଷର ଝିଅ ମୃଣାଳିନୀ ସେଦିନ ଚିଠିଟିକୁ ପଢ଼ି ଯାଉଥିଲେ ସିନା, ଅସାଧାରଣ ଶ୍ରୀଅରବିନ୍ଦଙ୍କ ମନ ଓ ହୃଦୟର ଥଳକୂଳ ପାଉନଥିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment