ରବୀନ୍ଦ୍ର ନାରାୟଣ ମିଶ୍ର

ଅଧୈର୍ଯ୍ୟ ହୋଇପଡ଼ି ଯଦି ସମସ୍ୟା ସମାଧାନ ପାଇଁ ଦ୍ରୁତ ପଦକ୍ଷେପ ନେବ, ତେବେ ତୁମେ ସମସ୍ୟାର ସମାଧାନ ନ କରି ବରଂ ଅଧିକ ସମସ୍ୟା ତୁମ ପାଇଁ ସୃଷ୍ଟି କରିବ।

ଚୀନ୍‌ ଦେଶରେ ‘ମିଙ୍ଗ୍‌’ ବୋଲି ଗୋଟିଏ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ବ୍ୟବସାୟ ଭିତ୍ତିରେ ଆମ କୁମ୍ଭାରମାନଙ୍କ ଭଳି ବିଭିନ୍ନ ପାତ୍ର ତିଆରି କରନ୍ତି ଓ ସେଇ ପାତ୍ରଗୁଡ଼ିକୁ ଚିତ୍ରିତ କରିଥାନ୍ତି। ଚାଉ ୟୁଙ୍ଗ୍‌ ଥିଲେ ଜଣେ ମିଙ୍ଗ୍‌। ସେ ତାଙ୍କ ଜୀବନରେ ଯେଉଁ ଛୋଟ ଘଟଣାଟିରୁ ମହତ ଶିକ୍ଷାଟିଏ ପାଇଥିଲେ, ସେଇ ଘଟଣାଟିକୁ ସେ ସମସ୍ତଙ୍କୁ କହିବୁଲନ୍ତି ଓ ତାହା ସମସ୍ତଙ୍କ ପାଇଁ ବହୁତ ଶିକ୍ଷଣୀୟ ହୋଇଥାଏ। ଘଟଣାଟି ଲେଖୁଛି।

ଦିନେ ଶୀତଦିନ ଅପରାହ୍ନରେ ଚାଉ ୟୁଙ୍ଗ୍‌ ତାଙ୍କ ନିଜ ସହରର ଅଦୂରରେ ଥିବା ଗୋଟିଏ ସହରକୁ ଜରୁରୀ କାର୍ଯ୍ୟରେ ବାହାରିପଡ଼ିଲେ। ଦୁଇ ସହର ମଝିରେ ନଈଟିଏ ବୋହି ଯାଇଥାଏ। ନଈକୁ ପାରି ହେବା ପାଇଁ ନାଆରେ ଯିବାକୁ ପଡ଼େ। ଚାଉ ୟୁଙ୍ଗ୍‌ଙ୍କୁ ମୋଟାମୋଟି କେତେଖଣ୍ଡ ବହି ଓ ଖୁଚୁରା କାଗଜପତ୍ର ନେବାକୁ ପଡ଼ିଥିଲା। ତେଣୁ ସେ ଜଣେ ଛୋଟପିଲାକୁ ତାଙ୍କ ସାଙ୍ଗରେ ନେଇ ଯାଉଥିଲେ। ପିଲାଟି କେତେଖଣ୍ଡ ବହି ଧରିଥାଏ।

ନଈପାରି ହେବା ଅବସରରେ ଚାଉ ୟୁଙ୍ଗ୍‌ ନାଉରିଆକୁ ଅଦୂରର ସେଇ ସହରଟିକୁ ଦେଖାଇ ପଚାରିଲେ ସେମାନେ ସନ୍ଧ୍ୟା ପୂର୍ବରୁ ସେଇ ସହର ପାଖରେ ପହଞ୍ଚିପାରିବେ କି ନାହିଁ। ତାଙ୍କ ମନରେ ଆଶଙ୍କା ଥିଲା ସନ୍ଧ୍ୟା ପରେ ଯଦି ସହରର ଫାଟକ ବନ୍ଦ ହୋଇଯିବ, ତେବେ ଚାଉ ୟୁଙ୍ଗ୍ ଓ ତାଙ୍କ ସହଯାତ୍ରୀ ପିଲାଟି ସହର ଭିତରକୁ ଯାଇପାରିବେ ନାହିଁ। ନାଉରିଆଟି ଥରେ ସେଇ ବୋଝ ଧରିଥିବା ପିଲାଟି ଆଡ଼କୁ ଚାହିଁଲା ଓ ପର ମୁହୂର୍ତ୍ତରେ ଚାଉ ୟୁଙ୍ଗ୍‌ ଧରିଥିବା ବହି କେତେଖଣ୍ଡ ଉପରେ ଆଖି ବୁଲାଇନେଲା।

ତା’ ପରେ ସେ ଚାଉ ୟୁଙ୍ଗ୍‌ ପ୍ରଶ୍ନର ଉତ୍ତର ଦେଇ କହିଲା, ‘‘ହଁ, ଯଦି ଖୁବ୍‌ ଜୋର୍‌ରେ ନ ଚାଲ, ତେବେ ତୁମେ ଦୁହେଁ ସନ୍ଧ୍ୟା ପୂର୍ବରୁ ସହରର ଫାଟକ ପାର ହୋଇଯିବ।’’ ନାଉରିଆର କଥାଟି ଚାଉ ୟୁଙ୍ଗ୍‌ଙ୍କୁ ଭରସା ଦେଲା। ନାଆରୁ ଓହ୍ଲାଇପଡ଼ି ଚାଉ ୟୁଙ୍ଗ୍‌ ପିଲାଟି ସହିତ ସହରକୁ ପଡ଼ିଥିବା ଚଲାବାଟରେ ଚାଲିବାକୁ ଆରମ୍ଭ କଲେ। ଚାଉ ୟୁଙ୍ଗ୍‌ଙ୍କ ମନ ଚଞ୍ଚଳ ହୋଇ ଉଠୁଥାଏ। ଜୋର୍‌ରେ ଚାଲି ଯଦି ସେମାନେ ସହର ଫାଟକ ପାଖରେ ସନ୍ଧ୍ୟା ସୁଦ୍ଧା ନ ପହଞ୍ଚନ୍ତି, ତେବେ ସହରର ଫାଟକ ବନ୍ଦ ହୋଇଯିବ ଓ ସେମାନେ ମଧ୍ୟ ତାଙ୍କ ନିଜ ସହରକୁ ଫେରିପାରିବେ ନାହିଁ, କାରଣ ରାତି ହେଲେ ନଈରେ ନାଆ ନଥାଏ, ତେଣୁ ସେମାନେ ନଈପାରି ହୋଇପାରିବେନି। ସେମାନେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିବେ।

ଚାଉ ୟଙ୍ଗ୍ ଜୋର୍‌ରେ ଜୋର୍‌ରେ ଚାଲିଲେ ଓ ପିଲାଟି ମଧ୍ୟ ତାଙ୍କ ସହ ତାଳଦେଇ ଜୋର୍‌ରେ ଚାଲିବାକୁ ଆରମ୍ଭ କଲା। ଚାଉ ନିଜ ଲକ୍ଷ୍ୟ ଓ ଲକ୍ଷ୍ୟପୂରଣ ବିଷୟରେ ଯେତିକି ଗୁରୁତ୍ୱର ସହିତ ଚିନ୍ତା କରୁଥାନ୍ତି, ତାଙ୍କ ପାଦର ଗତି ସେତିକି ଜୋର୍‌ରେ ବଢ଼ୁଥାଏ। ପିଲାଟି ମଧ୍ୟ ଧଇଁସଇଁ ହୋଇ ତାଙ୍କୁ ଅନୁସରଣ କରୁଥାଏ। ଅସ୍ତଗାମୀ ସୂର୍ଯ୍ୟର ନାଲି କିରଣ ନଈର ପାଣିକୁ ଲାଲ୍‌ କରିଦେବାକୁ ଆରମ୍ଭ କଲା। ଦୂର ଦିଗ୍‌ବଳୟକୁ ଅମାରାଣୀ କଳାରଙ୍ଗ ବୋଳି ଦେବାକୁ ଆରମ୍ଭ କରିଦେଲା।

ଦୁହେଁ ଚାଲିବା ପରିବର୍ତ୍ତେ ଦଉଡ଼ିବାକୁ ଆରମ୍ଭ କଲେ। ସହରର ଫାଟକ ଉପରେ ଦି’ ଜଣଙ୍କ ଦୃଷ୍ଟି ନିବଦ୍ଧ ଥାଏ। ହଠାତ୍‌ ଘଟିଲା ଏକ ଅଘଟଣ, ପିଲାଟି ଧରିଥିବା କାଗଜ ବିଡାକୁ ବାନ୍ଧି ରଖିଥିବା ଦଉଡ଼ିଟି ଛିଣ୍ଡିପଡ଼ିଲା, ବିଡ଼ାର ସବୁ କାଗଜ ଏଣେତେଣେ ଉଡ଼ିଉଡ଼ି ପଡ଼ିଲା। ଚାଉ ୟଙ୍ଗ୍ ମୁଣ୍ଡରେ ହାତ ଦେଇଦେଲେ। ବିଛାଡ଼ି ହୋଇ ପଡ଼ିଥିବା ଓ ପବନରେ ଉଡ଼ିଉଡ଼ି ଯାଉଥିବା କାଗଜଗୁଡ଼ାକ ଦୁହେଁ ଦଉଡ଼ି ଦଉଡ଼ି ଗୋଟାଇବାକୁ ଆରମ୍ଭ କଲେ। ସେଇ କାର୍ଯ୍ୟରେ ସେମାନେ ବେଶ୍‌ କିଛି ସମୟ ନ୍ୟସ୍ତ ରହିଲେ।

କାଗଜଗୁଡ଼ିକୁ ଏକାଠି କରି ଦଉଡ଼ିରେ ବାନ୍ଧି, ମୋଟାମୋଟି ବହିକୁ ଧରି ସେ ଦୁହେଁ ପୁଣି ଦଉଡ଼ିଲେ ସହରର ଫାଟକ ଆଡ଼କୁ। ମାତ୍ର ହାୟ! ପହଞ୍ଚିବାର ଏକ ପଲକ ପୂର୍ବରୁ ଫାଟକ ପଡ଼ିଗଲା। ଚାଉ ୟୁଙ୍ଗ୍‌ଙ୍କର ଲମ୍ବା ଦୀର୍ଘଶ୍ୱାସ ତାଙ୍କ ମନର ସେତେବେଳେ ଭାବକୁ କେବଳ ଜଣାଇ ଦେଉଥିଲା। ସେତେବେଳେ ନାଉରିଆ କହିଥିବା କଥାପଦକ ତାଙ୍କ କାନରେ ପ୍ରତିଧ୍ୱନିତ ହେଲା – ଯଦି ଖୁବ୍‌ ଜୋର୍‌ରେ ନ ଚାଲ, ତେବେ ସନ୍ଧ୍ୟା ପୂର୍ବରୁ ତୁମେ ଦୁହେଁ ସହରର ଫାଟକ ପାର୍ ହୋଇଯିବ।

ଚାଉ ବୁଝିଲେ – ନାଉରିଆ ଠିକ୍‌ କହିଥିଲା। ଗୋଟିଏ ଗତିରେ ଧୀରେ ଧୀରେ ଚାଲିଥିଲେ କାଗଜବିଡ଼ାର ଦଉଡ଼ି ଛିଣ୍ଡିଯାଇ ନ ଥାନ୍ତା, ସେମାନଙ୍କୁ କାଗଜଗୁଡ଼ିକୁ ଗୋଟାଇବାରେ ଅଧିକ ସମୟ ଦେବାକୁ ପଡ଼ି ନ ଥାନ୍ତା। ସେମାନେ ଠିକ୍‌ ସମୟରେ ପହଞ୍ଚି ସହର ଭିତରକୁ ଯାଇ ପାରିଥାନ୍ତେ।

ଏ କଥାଟି କହି ଚାଉ ୟୁଙ୍ଗ୍‌ ସମସ୍ତଙ୍କୁ କହୁଥିଲେ, ତୁମେ ଅଧୈର୍ଯ୍ୟ ହୋଇପଡ଼ି ଯଦି ସମସ୍ୟା ସମାଧାନ ପାଇଁ ଦ୍ରୁତ ପଦକ୍ଷେପ ନେବ, ତେବେ ତୁମେ ସମସ୍ୟାର ସମାଧାନ ନ କରି ବରଂ ଅଧିକ ସମସ୍ୟା ତୁମ ପାଇଁ ସୃଷ୍ଟି କରିବ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment