ରବୀନ୍ଦ୍ର ନାରାୟଣ ମିଶ୍ର

ବର୍ଷେ ଦି ବର୍ଷ ନୁହେଁ, ଦୀର୍ଘ ତିରିଶ ବର୍ଷ କାଳ ୱାଶିଂଟନ୍‌ ତାଙ୍କ ଆଙ୍ଗୁଠି ଠାରରେ ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ଦିଗ୍‌ଦର୍ଶନ ଦେଇଚାଲିଲେ ଏବଂ ସେହି ସାଧନାର ଫଳସ୍ୱରୂପ ବ୍ରୁକ୍‌ଲିନ୍‌ ସେତୁଟି ତିରିଶ ବର୍ଷ ପରେ ନିର୍ମିତ ହେଲା।

ମଣିଷର ସବୁଠାରୁ ବଡ଼ ଗୁଣ ହେଉଛି ଗୋଟିଏ କାର୍ଯ୍ୟ ସମ୍ପାଦନ ନିମିତ୍ତ ପ୍ରତିଶ୍ରୁତିବଦ୍ଧ ହେବା। ଦୃଢ଼ ମନୋବଳ ପ୍ରତିଶ୍ରୁତିବଦ୍ଧତାରେ ସହାୟକ ହୋଇଥାଏ। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରତିଶ୍ରୁତିବଦ୍ଧ ମଣିଷ ଯାହା କରେ ତା’ର ସାଫଲ୍ୟ ଅଧିକ ଆନନ୍ଦଦାୟକ ହୋଇଥାଏ। ବ୍ରୁକ୍‌ଲିନ୍‌ ସେତୁ ଏହି ପ୍ରତିଶ୍ରୁତିବଦ୍ଧତାର ଏକ ଜ୍ୱଳନ୍ତ ପ୍ରମାଣ ରୂପେ ଆଜି ମଧ୍ୟ ଦଣ୍ଡାୟମାନ।

ବ୍ରୁକ୍‌ଲିନ୍‌ ସେତୁ ମାନହାଟ୍ଟନ୍‌ ଦ୍ୱୀପ ସହିତ ବ୍ରୁକ୍‌ଲିନ୍‌ ନଗରକୁ ସଂଯୋଗ କରିଛି। ୧୮୬୩ ମସିହାରେ ଜନ୍‌ ରୋବ୍‌ଲିଙ୍ଗ୍‌ ଏହି ସେତୁ ନିର୍ମାଣ ଦିଗରେ ଉତ୍ସାହିତ ହୋଇଥିଲେ। ସେତେବେଳେ ବିଶ୍ୱର ସେତୁ ନିର୍ମାଣକାରୀ ସମସ୍ତ ସଂସ୍ଥା ତଥା ଦକ୍ଷ ବିଶେଷଜ୍ଞ ଇଞ୍ଜିନିୟରବୃନ୍ଦ ଏହା ଏକ ଅସମ୍ଭବ ପରିକଳ୍ପନା ବୋଲି ଦର୍ଶାଇଥିଲେ। ମାତ୍ର ସେମାନଙ୍କ ମତରେ ଆଦୌ ନିରୁତ୍ସାହିତ ନ ହୋଇ ରୋବଲିଙ୍ଗ୍‌ ତାଙ୍କର ଯୁବ ଇଞ୍ଜିନିୟର ପୁତ୍ର ୱାଶିଂଟନ୍‌ର ହୃଦ୍‌ବୋଧ କରାଇଥିଲେ ଯେ ସେତୁଟି ନିର୍ମାଣ କରାଯାଇପାରିବ।

ପିତାପୁତ୍ର ଦୁହେଁ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ। ସେଥିଲାଗି ସେମାନେ ଯୋଜନାବଦ୍ଧ ଭାବେ ଏହାର ନକ୍ସା ତିଆରି କରି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପୂର୍ବକ କାର୍ଯ୍ୟଟି ଆରମ୍ଭ କରିଦେଲେ। ପିତା-ପୁତ୍ରଙ୍କର ଏତାଦୃଶ ସାହସିକ କାର୍ଯ୍ୟକୁ ସେତେବେଳର ବିଶେଷଜ୍ଞ ଇଞ୍ଜିନିୟରମାନେ ପ୍ରତିସ୍ତରରେ ନିରୀକ୍ଷଣ କରୁଥାନ୍ତି। କାର୍ଯ୍ୟଟି ରୋବ୍‌ଲିଙ୍ଗ୍ ଓ ୱାଶିଂଟନ୍‌ଙ୍କ ପରିକଳ୍ପନାମତେ ଆଗେଇ ଯାଉଥାଏ। ମାତ୍ର ଦୁର୍ଭାଗ୍ୟ ବେଳେବେଳେ ମହତ୍‌ କାର୍ଯ୍ୟରେ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ।

ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କେତେ ମାସ ମଧ୍ୟରେ ଅଚାନକ କାର୍ଯ୍ୟସ୍ଥଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଲା। ଏହି ଦୁର୍ଘଟଣାରେ ରୋବ୍‌ଲିଙ୍ଗ୍‌ଙ୍କର ମୃତ୍ୟୁ ଘଟିଲା ଓ ୱାଶିଂଟନ୍‌ ଆଘାତପ୍ରାପ୍ତ ହେଲେ। ୱାଶିଂଟନ୍‌ଙ୍କ ଆଘାତ ଏତେ ଗୁରୁତର ଥିଲା ଯେ ତାହା ତାଙ୍କର ମସ୍ତିଷ୍କକୁ ବିଶେଷ ଆକ୍ରାନ୍ତ କରିଥିଲା। ମସ୍ତିଷ୍କ ଆଘାତଜନିତ ପ୍ରତିକ୍ରିୟା ଫଳରେ ସେ ତାଙ୍କର ଉଭୟ ବାକ୍‌ଶକ୍ତି ଓ ଚାଲିପାରିବାର ଶକ୍ତି ହରାଇଲେ। ସେ ଏକରକମ ପଙ୍ଗୁ ହୋଇଗଲେ।

ସେତୁ ନିର୍ମାଣ ସହିତ ସମ୍ପୃକ୍ତ ସମସ୍ତେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ ଏବଂ ଅଧିକାଂଶଙ୍କର ମନେ ହେଲା ଯେହେତୁ ସେତୁଟି କେବଳ ରୋବ୍‌ଲିଙ୍ଗ୍‌ଙ୍କର ମାନସସନ୍ତାନ ଥିଲା, ତାଙ୍କର ଅକାଳ ବିୟୋଗ ସେତୁ ପରିକଳ୍ପନାକୁ ଚିରଦିନ ପାଇଁ ବନ୍ଦ କରିଦେବ। ଅଧିକନ୍ତୁ ସେତୁ ନିର୍ମାଣ ନିମିତ୍ତ ଆବଶ୍ୟକ ବୈଷୟିକ ଜ୍ଞାନ କେବଳ ରୋବ୍‌ଲିଙ୍ଗ୍‌ଙ୍କ ପାଖରେ ଥିଲା। ସେ ସମୟରେ ଦେଖାଗଲା ଯେ ୱାଶିଂଟନ୍‌ ମସ୍ତିଷ୍କ ଆଘାତ ଯୋଗୁଁ ଯଦିଓ ନିଜର ବାକ୍‌ଶକ୍ତି ତଥା ଚାଲିପାରିବାର ଶକ୍ତି ହରାଇଛନ୍ତି। କିନ୍ତୁ ତାଙ୍କର ମନ ଥିଲା ଅତ୍ୟନ୍ତ ସକ୍ରିୟ।

ବାପାଙ୍କ ଭଳି ସେ ମଧ୍ୟ ସେତୁ ନିର୍ମାଣ ନିମିତ୍ତ ଦୃଢ଼ ପ୍ରତିଶ୍ରୁତିବଦ୍ଧ ହୋଇଉଠିଥିଲେ। ଚିକିତ୍ସାଳୟରେ ଚିକିତ୍ସିତ ହେବା ସମୟରେ ତାଙ୍କ ମନରେ ଗୋଟିଏ ଚିନ୍ତାଧାରା ଦେଖାଦେଲା। ତାହା ହେଉଛି – ଯଦି ସେ ଇଞ୍ଜିନିୟରମାନଙ୍କ ସହିତ କୌଣସିମତେ ଯୋଗାଯୋଗ କରିବାରେ ସକ୍ଷମ ହୁଅନ୍ତି, ତେବେ ତାଙ୍କର ଚିନ୍ତାଧାରାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୁଅନ୍ତା। ସେତେବେଳେ ଆଶ୍ଚର୍ଯ୍ୟଜନକ ଭାବେ ସେ ତାଙ୍କ ହାତର କେବଳ ଗୋଟିଏ ଆଙ୍ଗୁଠି ଚଳାଇ ପାରୁଥିଲେ।

ସେହି ଆଙ୍ଗୁଠି ସାହାଯ୍ୟରେ ସେ ତାଙ୍କର ସ୍ତ୍ରୀଙ୍କ ବାହୁକୁ ସ୍ପର୍ଶ କରି ଯୋଗାଯୋଗର ଗୋଟିଏ ପ୍ରକାର ସୂତ୍ର ବାହାର କଲେ। ଏହି ସୂତ୍ର ବଳରେ ସେ ତାଙ୍କର ସେଇ ଏକମାତ୍ର ଆଙ୍ଗୁଠି ଦ୍ୱାରା ସ୍ତ୍ରୀଙ୍କ ବାହୁକୁ ବାରମ୍ବାର ସ୍ପର୍ଶ କରି ଠାରଦ୍ୱାରା ସେତୁ ନିର୍ମାଣରେ ନିଯୁକ୍ତ ଇଞ୍ଜିନିୟରମାନଙ୍କୁ କ’ଣ କରିବାକୁ ହେବ ତାହା ବୁଝାଇବାରେ ଲାଗିଲେ।

ଏ ପ୍ରକାର ଠାରରେ ତାଙ୍କର ସ୍ତ୍ରୀ କ୍ରମଶଃ ଅଭ୍ୟସ୍ତ ହୋଇଗଲେ ଏବଂ କ୍ରମେ କ୍ରମେ ୱାଶିଂଟନ୍‌ଙ୍କ ଚିନ୍ତାଧାରା ତାଙ୍କ ପାଖରେ ସ୍ପଷ୍ଟ ହୋଇଉଠିଲା ଏବଂ ସେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କୁ ପରିଷ୍କାର ଭାବେ ୱାଶିଂଟନ୍‌ଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଚାଲିଲେ।

ବର୍ଷେ ଦି ବର୍ଷ ନୁହେଁ, ଦୀର୍ଘ ତିରିଶ ବର୍ଷ କାଳ ୱାଶିଂଟନ୍‌ ତାଙ୍କ ଆଙ୍ଗୁଠି ଠାରରେ ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସମ୍ବନ୍ଧରେ ଦିଗ୍‌ଦର୍ଶନ ଦେଇଚାଲିଲେ ଏବଂ ସେହି ସାଧନାର ଫଳସ୍ୱରୂପ ବ୍ରୁକ୍‌ଲିନ୍‌ ସେତୁଟି ତିରିଶ ବର୍ଷ ପରେ ନିର୍ମିତ ହେଲା।

ଆଜିବି ସେଇ ସେତୁ ତା’ ଉପରେ ଗମନାଗମନ କରୁଥିବା ଲୋକମାନଙ୍କୁ ରୋବ୍‌ଲିଙ୍ଗ୍‌ ଓ ତାଙ୍କ ପୁତ୍ର ୱାଶିଂଟନ୍‌ଙ୍କ ପ୍ରତିଶ୍ରୁତିବଦ୍ଧତାକୁ ସ୍ମରଣ କରାଇ ଦେଇଥାଏ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment