ରବୀନ୍ଦ୍ର ନାରାୟଣ ମିଶ୍ର

ଯେମିତି କେତେ ବୈଦ୍ୟ ବିଷହସ୍ତା ଥାଆନ୍ତି, ସେମିତି କେତେ ରୋଗୀ ବିଷଦ୍ରଷ୍ଟା ଥାଆନ୍ତି। ତାଙ୍କୁ ଦିଆଯାଉଥିବା ଅମୃତ ଔଷଧକୁ ବିଷଦ୍ରଷ୍ଟା ରୋଗୀ ଦେଖିବା ମାତ୍ରେ ତାହା ବିଷ ହୋଇଯାଏ।

ଘଟଣାକ୍ରମେ ଏକଦା ଦେବବୈଦ୍ୟ ଧନ୍ୱନ୍ତରି କାଶୀର ନରପତି ପଦରେ ଅଧିଷ୍ଠିତ ହୋଇଥିଲେ। ଶାସନ ପରିଚାଳନା କରିବା ସହିତ ସେ ରୋଗୀମାନଙ୍କର ଚିକିତ୍ସା କରି ବେଶ ସୁନାମ ଅର୍ଜନ କରିଥିଲେ। ବୈଦ୍ୟ ହିସାବରେ ସେ ଏତେ ନିପୁଣ ଥିଲେ ଯେ ଦ୍ୱିତୀୟ ଥର କୌଣସି ରୋଗୀ ତାଙ୍କ ଦ୍ୱାରସ୍ଥ ହେଉ ନ ଥିଲେ। ମାତ୍ର ଥରେ ଗୋଟିଏ କ୍ଷେତ୍ରରେ ଏହାର ଏକ ବ୍ୟତିକ୍ରମ ଦେଖାଦେଲା।

ଜଣେ ରୋଗୀ ତାଙ୍କ ପାଖକୁ ଆସି ନିଜ ରୋଗର ସମସ୍ତ ବିବରଣୀ ଜଣାଇ ଔଷଧ ଗ୍ରହଣ କଲେ। କିଛିଦିନ ପରେ ଆରୋଗ୍ୟ ନ ହୋଇ ରୋଗୀଟି ପୁଣି ତାଙ୍କ ଦ୍ୱାରସ୍ଥ ହେଲେ। ଧନ୍ୱନ୍ତରି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁନର୍ବାର ଔଷଧ ଦେଲେ। ମାତ୍ର କିଛି ଦିନ ପରେ ରୋଗୀଟି ପୁନର୍ବାର ତାଙ୍କ ପାଖରେ ପହଞ୍ଚିଲେ।

ଧନ୍ୱନ୍ତରିଙ୍କ ବିସ୍ମୟର ସୀମା ରହିଲାନି। ରୋଗୀଙ୍କୁ ସଙ୍ଗରେ ଧରି ସେ ଶ୍ରୀକ୍ଷେତ୍ର ପୁରୀରେ ଯାଇ ହାଜର ହେଲେ। ତାଙ୍କର ଉଦ୍ଦେଶ୍ୟ ଥିଲା – ଜଗନ୍ନାଥ ତ ନିଜେ ଗୀତାର ନବମ ଅଧ୍ୟାୟରେ କହିଛନ୍ତି – ‘ଅହମୌଷଧମ୍‌’ ଅର୍ଥାତ୍‌ ‘ମୁଁ ହେଉଛି ଔଷଧ’। ତେଣୁ କ୍ଷେତ୍ରରେ ପହଞ୍ଚି ତାଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ କିଛି ବ୍ୟବସ୍ଥା କରିବେ।

ପୁରୀରେ ପହଞ୍ଚି ରୋଗୀକୁ ଗୋଟିଏ ସ୍ଥାନରେ ରଖିଦେଇ ସେ ଶ୍ରୀମନ୍ଦିରର ସିଂହଦ୍ୱାର ପାଖରେ ଚିନ୍ତାଗ୍ରସ୍ତ ମନରେ ଏପଟ ସେପଟ ହେବା ବେଳେ ଜଣେ କଳା କିଟିକିଟି ଲୋକ ତାଙ୍କ ପାଖକୁ ଆସି ସେ କାହିଁକି ଜଗନ୍ନାଥଙ୍କ ପାଖରେ ଚିନ୍ତାଗ୍ରସ୍ତ ତା’ର କାରଣ ପଚାରିଲେ। ଧନ୍ୱନ୍ତରି ତାଙ୍କୁ ନିଜର ପରିଚୟ ନ ଦେଇ କହିଲେ, ‘‘ଜଣେ ରୋଗୀକୁ କାଶୀର ଜଣେ ବୈଦ୍ୟ ଦୁଇଥର ଗୋଟିଏ ଅବ୍ୟର୍ଥ ଔଷଧ ଦେଲେ ମଧ୍ୟ…।’’

କଳା ଲୋକଟି କହିଲେ, ‘‘ସେ ବୈଦ୍ୟ ବିଷହସ୍ତା ନୁହନ୍ତି ତ? ଜଣେ ଜଣେ ବୈଦ୍ୟ ଅଛନ୍ତି, ସେ ଅମୃତ ଔଷଧ ହାତରେ ଧରିଲା ମାତ୍ରେ ତାଙ୍କ ହାତ ସ୍ପର୍ଶରେ ଔଷଧ ବି ବିଷ ହୋଇଯାଏ।’’

ତାଙ୍କୁ ଆଉ କହିବାକୁ ନ ଦେଇ ଧନ୍ୱନ୍ତରି କହିଲେ, ‘‘ନା, ନା, ସେ ବୈଦ୍ୟ ବିଷହସ୍ତା ନୁହନ୍ତି। ସେ ଏତେ ସିଦ୍ଧବୈଦ୍ୟ ଯେ ତାଙ୍କ ପାଖକୁ ଏ ରୋଗୀଟି ଛଡ଼ା ଦ୍ୱିତୀୟ ରୋଗୀ ଦୁଇଥର ତାଙ୍କ ଦ୍ୱାରସ୍ଥ ହୋଇ ନାହାନ୍ତି।’’

ଏଥର ସେଇ କଳା ଲୋକଟି ତାଙ୍କୁ ଅତି ନିରିଖେଇ ଚାହିଁବାରୁ ଧନ୍ୱନ୍ତରୀ କହିଲେ, ‘‘ମୁଁ ସେହି ବୈଦ୍ୟ।’’

କଳା ଲୋକଟି ତାଙ୍କୁ ପଚାରିଲେ, ‘‘ରୋଗୀ କେଉଁଠି ବର୍ତ୍ତମାନ? ଯେଉଁ ଔଷଧ ଦେଇଥିଲ, ସେ ଔଷଧ ପାଖରେ ଅଛି କି?’’

ଧନ୍ୱନ୍ତରି ଯେତେବେଳେ କହିଲେ, ‘‘ରୋଗୀ ଏଇ କ୍ଷେତ୍ରରେ ଅଛନ୍ତି ଓ ତାଙ୍କୁ ଦେଇଥିବା ଔଷଧ ମଧ୍ୟ ମୋର ଏଇ ଝୁଲାରେ ଅଛି।’’

ତା’ପରେ କଳାଲୋକଟି କହିବାମାତ୍ରେ ଧନ୍ୱନ୍ତରି ତାଙ୍କ ହାତକୁ ଔଷଧଟି ବଢ଼ାଇଦେଲେ ଓ ତତ୍‌କ୍ଷଣାତ୍‌ ସେ ରୋଗୀକୁ ସିଂହଦ୍ୱାର ପାଖକୁ ଡାକି ଆଣିବାକୁ ଗଲେ। ଧନ୍ୱନ୍ତରି ଅଳ୍ପ ସମୟ ମଧ୍ୟରେ ରୋଗୀଟିକୁ ସିଂହଦ୍ୱାର ପାଖରେ ପହଞ୍ଚାଇ ଦେଉ ଦେଉ କଳାଲୋକଟି ରୋଗୀଟିର ଦି’ ଆଖି ଉପରେ ହାତଦେଇ ତା’କୁ ଔଷଧଟି ଖୁଆଇଦେଲେ। ଧନ୍ୱନ୍ତରି କିଛି ବୁଝିପାରିଲେନି ଲୋକଟିର ଏ ପ୍ରକାର ଆଚରଣ।

ତାଙ୍କ ମନ କଥା ଲୋକଟିକୁ ନ ପଚାରୁଣୁ ଲୋକଟି ତାଙ୍କୁ ରୋଗୀଠାରୁ କିଛି ଦୂରକୁ ନେଇଯାଇ କହିଲେ, ‘‘ଯେମିତି କେତେ ବୈଦ୍ୟ ବିଷହସ୍ତା ଥାଆନ୍ତି, ସେମିତି କେତେ ରୋଗୀ ବିଷଦ୍ରଷ୍ଟା ଥାଆନ୍ତି। ତାଙ୍କୁ ଦିଆଯାଉଥିବା ଅମୃତ ଔଷଧକୁ ବିଷଦ୍ରଷ୍ଟା ରୋଗୀ ଦେଖିବା ମାତ୍ରେ ତାହା ବିଷ ହୋଇଯାଏ। ତୁମର ଏ କ୍ଷେତ୍ରରେ ବୈଦ୍ୟ ଓ ଔଷଧରେ କିଛି କହିବାର ନାହିଁ। ତେଣୁ ରୋଗୀ ନିଶ୍ଚୟ ବିଷଦ୍ରଷ୍ଟା। ସେଥିପାଇଁ ତାଙ୍କ ଆଖିକୁ ବନ୍ଦକରି ମୁଁ ଔଷଧ ଦେଇଛି। ଦେଖନ୍ତୁ ଏଥର ଏହା ଅବ୍ୟର୍ଥ ହେବ।’’

ସତକୁ ସତ ରୋଗୀଟି ଦିନକ ଭିତରେ ଭଲ ହୋଇଗଲେ। ଧନ୍ୱନ୍ତରି ଶ୍ରୀକ୍ଷେତ୍ରରୁ ବିଦାୟ ନେବା ପୂର୍ବରୁ ରୋଗୀ ସହିତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ସିଂହାସନ ଉପରେ ଜଗନ୍ନାଥଙ୍କୁ ଦେଖୁଦେଖୁ ରୋଗୀ କହିଉଠିଲେ, ‘‘ସେଦିନ ମୋ ଆଖିକୁ ବନ୍ଦ କରି ଯେ ଔଷଧ ଖୁଆଇ ଦେଇଥିଲେ, ସେ ନିଶ୍ଚୟ ଏଇ ୟାଙ୍କରି ମୁହଁ, ଏମିତି କଳା…।’’

କୃତଜ୍ଞ ଧନ୍ୱନ୍ତରି କୃତ୍ୟକୃତ୍ୟ ହୋଇ ଜଗନ୍ନାଥଙ୍କ ଆଗରେ ଲମ୍ବ ହୋଇ ପଡ଼ିଗଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment