ରବୀନ୍ଦ୍ର ନାରାୟଣ ମିଶ୍ର

‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’ – ବଜ୍ରଠାରୁ କଠିନ ଓ କୁସୁମଠାରୁ କୋମଳ। ଏହା ହେଉଛି ଆଦର୍ଶ। ପ୍ରେମ କେବେହେଲେ ଦୁର୍ବଳ ଭାବପ୍ରବଣତା ନୁହେଁ।’’

କୁହାଯାଏ ସ୍ୱାମୀ ବିବେକାନନ୍ଦ ଗୋଟିଏ ସମ୍ପୂର୍ଣ୍ଣ ଅଲଗା ଧାତୁରେ ଗଢ଼ା ହୋଇଥିଲେ। ଆବଶ୍ୟକସ୍ଥଳେ ସେ କେତେବେଳେ ବଜ୍ରଠାରୁ କଠିନ ହୋଇ ଉଠୁଥିଲେ ତ କେତେବେଳେ କୁସୁମଠାରୁ ଅଧିକ କୋମଳ ହୋଇ ଉଠୁଥିଲେ।

ଦରକାର ପଡ଼ିଲେ ସେ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଉଥିଲେ ଏବଂ ସେହିପରି ପରିସ୍ଥିତି ଉପୁଜିଲେ ସେ କେତେକ କ୍ଷେତ୍ରରେ ନିଜେ ଅସ୍ତ୍ରଧାରଣ କରି ପ୍ରତିରୋଧ କରିବାକୁ ତିଳେହେଲେ କୁଣ୍ଠାବୋଧ କରୁନଥିଲେ। କେଉଁ ପରିସ୍ଥିତିରେ କିପରି ସମ୍ମୁଖୀନ ହେବାକୁ ପଡ଼ିବ, ତାହା ତାଙ୍କୁ ବେଶ୍ ଜଣାଥିଲା। କଠୋରତା ସହିତ କୋମଳତାର ସାଲିସ୍ ତାଙ୍କ ପକ୍ଷରେ ଅସହ୍ୟ ଥିଲା।

ଦିନକର କଥା। ଆଶ୍ରମର ପରିଚାଳନା ଦାୟିତ୍ୱରେ ଥିବା ତାଙ୍କର ଜଣେ ଶିଷ୍ୟଙ୍କର କର୍ମଶୈଳୀରେ ସେ ବହୁତ ଅସନ୍ତୋଷ ପ୍ରକାଶ କରିଥିଲେ। ମଠର କାର୍ଯ୍ୟ କରିବା ପାଇଁ ଯେଉଁ ଭୃତ୍ୟମାନଙ୍କୁ ନିଯୁକ୍ତି କରାଇଥିଲା, ସେମାନଙ୍କୁ ପରିଚାଳନା କରିବା ଥିଲା ସେହି ଶିଷ୍ୟଟିର ଦାୟିତ୍ୱ।

ସେଇ ଦାୟିତ୍ୱ ସମ୍ପାଦନ ସମୟରେ ସ୍ୱାମୀ ବିବେକାନନ୍ଦ ଲକ୍ଷ୍ୟ କଲେ ଯେ ଶିଷ୍ୟଟି ସେମାନଙ୍କୁ ଠିକ୍ ରୂପେ ଶାସନ କରୁନାହିଁ। ଶିଷ୍ୟ ମନରେ ଧାରଣା ଉପୁଜିଥିଲା ଯେ ଭୃତ୍ୟମାନଙ୍କୁ ସେ ଅତ୍ୟଧିକ ସ୍ନେହଶ୍ରଦ୍ଧା ଦୃଷ୍ଟିରେ ଦେଖୁଥିବାରୁ ସେମାନଙ୍କ ପ୍ରତି ସେ ଆଦୌ କଠୋର ହୋଇପାରୁନାହିଁ।

ସ୍ୱାମୀଜୀ ଆହୁରି ମଧ୍ୟ ଲକ୍ଷ୍ୟ କଲେ ଯେ ମଠର ଭୃତ୍ୟମାନଙ୍କ ପ୍ରତି ଏ ଶିଷ୍ୟଟିର ଏ ପ୍ରକାର ଆଚରଣ ସ୍ନେହଶ୍ରଦ୍ଧାବଶତଃ ନ ହୋଇ ବରଂ ଶିଷ୍ୟଟିର ଦୁର୍ବଳତାବଶତଃ ହୋଇଚାଲିଛି। ସମ୍ପୃକ୍ତ ଶିଷ୍ୟଟିକୁ ତେଣୁ ସେ ପାଖକୁ ଡାକି କହିଲେ, ‘‘ତୁମେ ସେମାନଙ୍କୁ ମଝିରେ ମଝିରେ (ସେମାନଙ୍କ ଅବହେଳା ପାଇଁ) ଗାଳି ନଦେବା ପଛରେ ସେମାନଙ୍କ ପ୍ରତି ତୁମ ହୃଦୟରେ ସ୍ନେହପ୍ରେମ ଭରି ରହିଛି ବୋଲି ଭାବନାହିଁ। ତୁମେ ସେମାନଙ୍କ ପାଇଁ ତୁମର ଜୀବନ ଦେଇପାରିବ କି?

ମୁଁ ଜାଣେ, ତୁମେ ତାହା କରିପାରିବ ନାହିଁ, ତା’ର କାରଣ ତୁମେ ସେମାନଙ୍କୁ ଭଲପାଅ ନାହିଁ। ମୁଁ ଏହି ମୁହୂର୍ତ୍ତରେ ସେମାନଙ୍କ ପାଇଁ ପ୍ରାଣତ୍ୟାଗ କରିପାରିବି। କିନ୍ତୁ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଏଇ ମୁହୂର୍ତ୍ତରେ ମୁଁ ଏଇ ଗଛରେ ଫାଶୀ ଦେଇପାରେ। ତୁମେ ତାହା କରିପାରିବ କି? କବିଙ୍କର ସେଇ ପଦକ କଥା ମନେରଖ – ‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’ – ବଜ୍ରଠାରୁ କଠିନ ଓ କୁସୁମଠାରୁ କୋମଳ। ଏହା ହେଉଛି ଆଦର୍ଶ। ପ୍ରେମ କେବେହେଲେ ଦୁର୍ବଳ ଭାବପ୍ରବଣତା ନୁହେଁ।’’

ସ୍ୱାମୀଜୀ ସବୁବେଳେ କହୁଥିଲେ ଯେ ଯାହାକୁ ସ୍ନେହଶ୍ରଦ୍ଧା କରିବ, ତା’ ପ୍ରତି  ଦୁର୍ବଳତା ପ୍ରଦର୍ଶନ କରି ତା ଦୋଷତ୍ରୁଟିକୁ ଆଖିବୁଜି ଦେବା ସ୍ନେହଶ୍ରଦ୍ଧା ନୁହେଁ। ସେ ସ୍ପଷ୍ଟ ଭାବରେ କହୁଥିଲେ ଯେ ଅନୁଗତମାନଙ୍କ ପାଇଁ ପ୍ରାଣପାତ କରିବା ବ୍ୟକ୍ତି ହିଁ ସେମାନଙ୍କର ନେତୃତ୍ୱ ନେବାକୁ ସମର୍ଥ ହୋଇଥାଏ।

କଥାକଥାକେ ସ୍ୱାମୀଜୀଙ୍କ ପାଟିରୁ ବାହାରୁଥିଲା ଶିର୍‌ଦାର୍ ସର୍‌ଦାର୍। ଅନ୍ୟମାନଙ୍କ ପାଇଁ ଯେ ନିଜ ଶିରଦାନ କରିପାରେ, ସେ କେବଳ ନେତା ହୋଇପାରେ।

ଗୋଟିଏ ଗୋଟିଏ ଘଟଣାରେ ଜଣେ ଜଣେ ମଠର ଶିଷ୍ୟଙ୍କୁ ତାଙ୍କର କର୍ତ୍ତବ୍ୟ ପାଳନରେ ସଚେତନ କରାଇଦେବା ଦ୍ୱାରା ସ୍ୱାମୀଜୀ ସମସ୍ତଙ୍କୁ ଏ ବିଷୟରେ ତାଙ୍କର ମନୋଭାବର ସୂଚନା ଦେଉଥିଲେ। ଏହା ଥିଲା ପରମହଂସ ରାମକୃଷ୍ଣଙ୍କ ମହାପ୍ରୟାଣର ପରବର୍ତ୍ତୀ ସମୟ।

କଠୋର ଶୃଙ୍ଖଳାର ପ୍ରବର୍ତ୍ତନ ହିଁ ଆନୁଷ୍ଠାନିକ ଆଦର୍ଶକୁ ସଂରକ୍ଷିତ ରଖିପାରିବ, ଏଥିରେ ତିଳେମାତ୍ର ସନ୍ଦେହ ପୋଷଣ କରୁନଥିବା ସ୍ୱାମୀଜୀ ନିଜ ଚିନ୍ତାଧାରାରେ ଓ କାର୍ଯ୍ୟପ୍ରଣାଳୀରେ ସର୍ବଦା ଦୃଢ଼ ଓ ଅବିଚଳ ରହୁଥିଲେ। ଏହା ସତ୍ତ୍ୱେ ବି ସେ ପୂର୍ବକଥିତ ମତେ ବଜ୍ରଠାରୁ କଠୋର ଓ କୁସୁମଠାରୁ କୋମଳ ଥିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment