ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ତଥ୍ୟ ଦେଲା ବିଜେଡି
  • ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି
  • ଡେଲଟା ଷ୍ଟେଜ୍-୧ରେ ୫୬.୬ ପ୍ରତିଶତ ହ୍ରାସ
  • ଷ୍ଟେଜ-୨ରେ ହାରାହାରି ୩୧.୬ ପ୍ରତିଶତ
  • ଏପ୍ରିଲ ୧୫ରେ ସମ୍ମିଳନୀ
  • ଯୋଗଦେବେ ୧୫ ଜିଲ୍ଲାର ଜନପ୍ରତିନିଧି
  • ଆଗାମୀ କାର୍ଯ୍ୟପନ୍ଥା ଉପରେ ହେବ ଆଲୋଚନା

ମହାନଦୀକୁ ନେଇ ଉଭୟ ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହେଉଥିବାରୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଇଥିବା ବିଜେଡି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି।

“ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି। ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେଲାଣି। ଫଳରେ ରବି ଋତୁରେ ଚାଷୀ ଜମିକୁ ପାଣି ମଡ଼ାଇ ପାରୁନାହିଁ। ଡେଲଟା ଷ୍ଟେଜ୍-୧ରେ ୫୬.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଷ୍ଟେଜ-୨ରେ ହାରାହାରି ୩୧.୬ ପ୍ରତିଶତ ଜଳ ପ୍ରବାହ ହ୍ରାସ ପାଇଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅବଗତ କଲେ ବି କିଛି ଫଳ ମିଳୁନି”, କହିଛନ୍ତି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର।

ମହାନଦୀର ଅବସ୍ଥା ସାଂଘାତି ହେଉଥିବା ବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ବିଜେଡି ଅଭିଯୋଗ କରିଛି।

ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ଏଦିଗରେ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରୁ ନାହାନ୍ତି। କେବଳ ଟ୍ରିବ୍ୟୁନାଲ ସଦସ୍ୟଙ୍କ ନାଁ ଘୋଷଣା କରି କେନ୍ଦ୍ର ନୀରବ ରହିଯାଇଛି। ଏପ୍ରିଲ ୧୨ ତାରିଖରେ ନୂଆଦିଲ୍ଲୀରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆନ୍ତଃରାଜ୍ୟ ବୈଠକକୁ ନେଇ ସନ୍ଦେହ ଦେଖାଦେଇଛି।”

ମହାନଦୀ ସମସ୍ୟା ସମାଧାନ ନହେଉଣୁ ଛତିଶଗଡ଼ ଆଉ ଏକ ଚାଲ ଖେଳିଛି। ଇବ୍‌ର ଉପନଦୀ ମୈନୀ ଉପରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ପରୋକ୍ଷ ସମର୍ଥନ ରହିଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କ ଏହି ନୀତି ସମ୍ପର୍କରେ ବିଚାର କରିବା ପାଇଁ ଏପ୍ରିଲ ୧୫ରେ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ୧୫ଟି ଜିଲ୍ଲା ଲୋକ ପ୍ରତିନିଧି ଯୋଗଦେବେ। ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

Comment