ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ପୁଣି ରାଜନୀତି। କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହେବା ପରେ ମହାନଦୀରେ ଜଳସ୍ତର ଯେତିକି କମୁଛି ତାକୁ ନେଇ ରାଜନୀତିରେ ତାତି ସେତିକି ବଢ଼ୁଛି। ମହାନଦୀକୁ ନେଇ ବିଜେଡି ଏପ୍ରିଲ ୧୫ରେ ମହାସମ୍ମିଳନୀ ଡାକିଥିବା ବେଳେ ମଙ୍ଗଳବାରଠୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି ଦସ୍ତଖତ ଅଭିଯାନ ଆରମ୍ଭ କରିଛି।

ମହାନଦୀକୁ ନେଇ କାହିଁକି ତାତି?

ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ନିର୍ମାଣ କରିଛନ୍ତି ବ୍ୟାରେଜ। ଗତ ଦୁଇ ବର୍ଷ ହେଲା ଏହାକୁ ବିରୋଧ କରି ଆସୁଛନ୍ତି ଓଡ଼ିଶା ସରକାର। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବା ସହ ଜଳ ସତ୍ୟାଗ୍ରହ ମଧ୍ୟ କରାଯାଇଥିଲା। ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ ଯୋଗୁଁ ଓଡ଼ିଶାରେ ଜଳସ୍ତର କମିଯିବାର ଆଶଙ୍କା ପ୍ରକାଶ କରି ଓଡ଼ିଶା ସରକାର ପ୍ରକଳ୍ପ କାମ ବନ୍ଦ କରିବାକୁ ଛତିଶଗଡ ସରକାରଙ୍କୁ କହିଥିଲେ। ହେଲେ ଏହାକୁ ଶୁଣି ନଥିଲେ ଛତିଶଗଡ ସରକାର। କଥା ଯାଇ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଲା। ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ବିବାଦ ସମାଧାନ ପାଇଁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ବୈଠକ ହୋଇଥିଲା। ହେଲେ ଛତିଶଗଡ ସରକାର ନିଜ ଜିଦରେ ଅଟଳ ରହିବାରୁ ବିବାଦ ସମାଧାନ ହୋଇପାରି ନଥିଲା।

ଏହି ବିବାଦରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ବାରମ୍ବାର ଚିଠି ଲେଖିଥିଲେ। ହେଲେ ସମାଧାନର ରାସ୍ତା ନବାହାରିବାରୁ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ ରାଜ୍ୟ ସରକାର। ହେଲେ କେନ୍ଦ୍ର ଏଦିଗରେ ବି କିଛି ପଦକ୍ଷେପ ନେଲାନାହିଁ। ଶେଷରେ ସୁପ୍ରିମକୋର୍ଟକୁ ଗଲା ମହାନଦୀ ବିବାଦ।

ଟ୍ରିବ୍ୟୁନାଲ ଗଠନରେ କାହିଁକି ବିଳମ୍ବ ହେଉଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଲେ। ହେଲେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ଅଜବ ଯୁକ୍ତି ଉପସ୍ଥାପନ କଲେ। ଓଡ଼ିଶା ଆବଶ୍ୟକୀୟ ତଥ୍ୟ ଦେଇ ନଥିବାରୁ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ ବୋଲି ସୁପ୍ରିମକୋର୍ଟକୁ ଜଣାଇଥିଲେ କେନ୍ଦ୍ର ସରକାର। ଏହାର ପ୍ରତିବାଦରେ ଓଡ଼ିଶା ସରକାର ଆଉ ଏକ ସତ୍ୟପାଠ ଦାଖଲ କରିଥିଲେ। ଶେଷରେ ଓଡ଼ିଶା ସରକାରଙ୍କ ସତ୍ୟପାଠ ସୁପ୍ରିମକୋର୍ଟରେ କାଏମ ରହିଥିଲା।

ତୁରନ୍ତ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବାର ପ୍ରାୟ ଦେଢ଼ ମାସ ପରେ କେନ୍ଦ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି କରି କେନ୍ଦ୍ର ନିଜ କର୍ତ୍ତ୍ୟବ୍ୟ ଶେଷ କରିଦେଇଛି। ଟ୍ରିବ୍ୟୁନାଲର ଅଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ କୌଣସି ଖସଡ଼ା ପ୍ରସ୍ତୁତ କରାଯାଇ ନାହିଁ। ଏହା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ମହାନଦୀ ତାତି ପୁଣି ଜୋର୍ ଧରିଛି।

କଲ୍‌ମା ବ୍ୟାରେଜର ଗେଟ୍ ବନ୍ଦ

ମହାନଦୀକୁ ନେଇ ହୋ-ହଲ୍ଲା ଲାଗି ରହିଥିବା ବେଳେ ଏବେ କଲ୍‌ମା ବ୍ୟାରେଜ ଆଉ ଏକ ବିବାଦକୁ ଆମନ୍ତ୍ରଣ କରିଛି। ଉପରମୁଣ୍ଡରେ ରହିଥିବା କଲମା ବ୍ୟାରେଜର ସମସ୍ତ ଗେଟ୍ ଛତିଶଗଡ ସରକାର ବନ୍ଦ କରିଦେଇଥିବାରୁ ଓଡ଼ିଶା ଅବବାହିକାରେ ମହାନଦୀ ଶୁଖିଲା ପଡ଼ିଛି। ଏହାକୁ ନେଇ ପୁଣି ଏକ ମହାଭାରତ ଆରମ୍ଭ ହେବାକୁ ଯାଉଛି। ଛତିଶଗଡ଼ ସରକାରଙ୍କ ମନମୁଖି କାର୍ଯ୍ୟକଳାପର ଜବାବ ଦେବା ପାଇଁ ବିଜେଡି ଏପ୍ରିଲ ୧୫ରେ ମହାସମ୍ମିଳନୀ ଡାକରା ଦେଇଛି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ମହାସମ୍ମିଳନୀରେ ୧୫ଟି ଜିଲ୍ଲାର ଲୋକପ୍ରତିନିଧି ଯୋଗଦେବେ। ଏହି ମହାସମ୍ମିଳନୀରେ ପ୍ରସ୍ତୁତ ହେବ ରଣନୀତି।

ଶୁଖିଲାଣି ଜୀବନରେଖା

କଲମା ବ୍ୟାରେଜ ଗେଟ୍ ବନ୍ଦ ହେବା ପରେ ଓଡ଼ିଶାର ଜୀବନରେଖା ମହାନଦୀରେ ଜଳପ୍ରବାହ ହ୍ରାସ ପାଇଛି। ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି। ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେଲାଣି। ଫଳରେ ରବି ଋତୁରେ ଚାଷୀ ଜମିକୁ ପାଣି ମଡ଼ାଇ ପାରୁନାହିଁ। ଡେଲଟା ଷ୍ଟେଜ୍-୧ରେ ୫୬.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ଷ୍ଟେଜ-୨ରେ ହାରାହାରି ୩୧.୬ ପ୍ରତିଶତ ଜଳ ପ୍ରବାହ ହ୍ରାସ ପାଇଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅବଗତ କଲେ ବି କିଛି ଫଳ ମିଳୁନି। ଏହାର ପ୍ରତିବାଦରେ ବିଜେଡି ରଣହୁଙ୍କାର ଦେଇଛି। ମହାନଦୀର ଅବସ୍ଥା ସାଂଘାତିକ ହେଉଥିବା ବେଳେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ବିଜେଡି ଅଭିଯୋଗ କରିଛି।

“କେନ୍ଦ୍ର ସରକାରଙ୍କ ସବୁ ରାଜ୍ୟକୁ ସମାନ ଭାବେ ଦେଖିବା ଦରକାର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ହେଲେ ଏହାର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସ୍ଥିର କରାଯାଇନାହିଁ। ଏଣୁ ଓଡ଼ିଶାରେ ମହାନଦୀ ପାଇଁ ଜନମତ ସଂଗ୍ରହ କରିବା ଲାଗି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯାନ ଆରମ୍ଭ କରିଛି”, କହିଛନ୍ତି ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର।

ମହାନଦୀ ସୁରକ୍ଷା ପାଇଁ ଅଭିଯାନ

ମହାନଦୀକୁ ସୁରକ୍ଷା ଦେବା ପାଇଁ ଏକାଠି ହୋଇଛନ୍ତି ସବୁ ଦଳ। ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଭୁବନେଶ୍ବରରୁ କଲମା ବ୍ୟାରେଜ ଅଭିମୁଖେ ଯାତ୍ରା କରିଥିବା ମହାନଦୀ ବଞ୍ଚାଅ ଯାତ୍ରା ଟିମ୍‌ର ପ୍ରତିନିଧିଙ୍କୁ ଉତ୍ସାହିତ କରିଛନ୍ତି ବିଭିନ୍ନ ଦଳର ନେତା। ବିଜେଡି, ସିପିଆଇ, କଂଗ୍ରେସ, କଳିଙ୍ଗସେନାର ପ୍ରମୁଖ ନେତାମାନେ ମହାନଦୀ ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି।

ପୂର୍ବରୁ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ଅନେକ କାର୍ଯ୍ୟକ୍ରମ କରିଛି। ଛତିଶଗଡ ସରକାରଙ୍କ ବେଆଇନ୍ ପ୍ରକଳ୍ପକୁ ବିରୋଧ କରି ଏହି କମିଟି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲା। ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲା। ଏନଜିଟିର କେଲାକାତା ବେଞ୍ଚ ମାମଲାକୁ ବିଚାର କରି ଛତିଶଗଡର ପ୍ରକଳ୍ପ କାମରେ ରୋକ ଲଗାଇଥିଲେ।

ଖାଲି ସେତିକି ନୁହେଁ, ୨୦୧୭ ଅଗଷ୍ଟ ମାସରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରାଯାଇଥିଲା। ଓଡ଼ିଶାରେ ମଧ୍ୟ ଜଳ ସତ୍ୟାଗ୍ରହ କରି ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲା ସଙ୍ଗଠନ। ଏବେ ଏହି ଆନ୍ଦୋଳନକୁ ଆଉ ପାଦେ ଆଗେଇ ନେବାକୁ ଯୋଜନା କରାଯାଇଛି। ମହାନଦୀର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ୧ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି।

ବିଜେପି କହିଲା ଡ୍ରାମା

ମହାନଦୀକୁ ନେଇ ରାଜନୀତି ପୁଣି କଡ଼ ଲେଉଟାଇଥିବାରୁ ବିଜେପି ବିଜେଡିକୁ କାଉଣ୍ଟର କରିଛି। ବିଜେଡି ମହାନଦୀକୁ ନେଇ ରାଜନୈତିକ ଡ୍ରାମା କରୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଟ୍ରିବ୍ୟୁନାଲରୁ ରାୟ ଆସିବା ପାଇଁ ସମୟ ଲାଗିବ। ଏଣୁ ଛତିଶଗଡ ସହ ଆପୋଷ ଆଲୋଚନା କରି ବିବାଦର ସମାଧାନ କରାଯାଉ।

LEAVE A REPLY

Please enter your comment!
Please enter your name here