ରବୀନ୍ଦ୍ର ନାରାୟଣ ମିଶ୍ର
“ମୋ ଅକ୍ଷରଗୁଡ଼ାକ ଦେଖାଯାଏ ଯେମିତି ମନ୍ଦାଏ ପିମ୍ପୁଡ଼ି ଗୋଟିଏ ସ୍ୟାହି ବୋତଲରୁ ବାହାରିପଡ଼ି ନିଜ ଗୋଡ଼ରୁ ସ୍ୟାହି ନ ପୋଛି ଗୋଟାଏ କାଗଜ ଉପରେ ଅଙ୍କାବଙ୍କା ଧାଡ଼ିରେ ଚାଲିଛନ୍ତି। କାଲି ତୁମର ପରୀକ୍ଷା ଖାତା ଦେଖି ଜାଣିଲି ତୁମ୍ଭମାନଙ୍କ ମଧ୍ୟରୁ କେତେଜଣଙ୍କ ଅକ୍ଷର ସେଇ ସ୍ମିଥ୍ ସାହେବଙ୍କ ଅକ୍ଷର ଭଳି। ତେଣୁ ସେଇ ଚିତ୍ରଟି ଆଙ୍କିଦେଲି ତୁମକୁ କଥାଟି ବୁଝାଇ ଦେବା ପାଇଁ। ଚେଷ୍ଟାକରି ମୁକ୍ତାଭଳି ଅକ୍ଷର ଲେଖ। ଦେଖିବ, ତୁମେ କେମିତି ସବୁ ବିଷୟରେ ଭଲ ନମ୍ବର ରଖିବ”।
ସେଦିନ ଆମ ଡ୍ରଇଁ ସାର୍ ଶ୍ରେଣୀରେ ପହଞ୍ଚୁ ପହଞ୍ଚୁ କଳାପଟା ଉପରେ ଚିତ୍ରଟିଏ ଆଙ୍କିଦେଲେ। ଚିତ୍ରଟିରେ ଥିଲା – ଗୋଟିଏ ସ୍ୟାହି (କାଳି) ବୋତଲରୁ ଜନ୍ଦା, ପିମ୍ପୁଡ଼ି ବାହାରି ନିଜ ଗୋଡ଼ରୁ ସ୍ୟାହି ନ ପୋଛି ଗୋଟାଏ କାଗଜ ଉପରେ ଚାଲୁଛନ୍ତି ଧାଡ଼ିଧାଡ଼ି – କେତେବେଳେ ସିଧାରେ ତ କେତେବେଳେ ଅଙ୍କାବଙ୍କା ଧାଡ଼ିରେ। ଚିତ୍ରଟି ଆଙ୍କିସାରି ସେ ଆମ ସବୁ ଛାତ୍ରଛାତ୍ରୀଙ୍କ ଆଡ଼କୁ ଚାହିଁ କହିଲେ, “ଚିତ୍ରଟି କେମିତି ଲାଗୁଛି?”
ଆମ ଭିତରୁ ଝିଅଟିଏ ପାଟି କରି କହିଲା, “ସାର୍, ଏଇଟା କି ଅସନା ଚିତ୍ର ଆପଣ ଆଙ୍କିଲେ।”
ସାର୍ କିଛି ନ କହି ଆମ କେତେଜଣଙ୍କ ପରୀକ୍ଷା ଖାତା ତାଙ୍କ ହାତରେ ଧରି ଆମକୁ ଦେଖାଇ ପଚାରିଲେ – “ଦେଖିଲ, ମୁଁ ବ୍ଲାକ୍ବୋର୍ଡରେ ଯେଉଁ ଛବି ଆଙ୍କିଛି, ଏ ଖାତାଗୁଡ଼ିକରେ ଲେଖାଥିବା ଅକ୍ଷର ସେ ଚିତ୍ର ଭଳି ଦେଖାଯାଉଛି ନା ନାହିଁ?”
ଆମେ ଏଥର ତାଙ୍କ ଚିତ୍ର ଆଙ୍କିବାର ଉଦ୍ଦେଶ୍ୟ ବୁଝିପାରିଲୁ। ଆମ ଭିତରୁ ମତେ ମିଶେଇ ଯେଉଁ କେତେ ଜଣଙ୍କ ଅକ୍ଷର ଖରାପ ଥିଲା, ସେତେବେଳକୁ ଆମେ ସେଇ କେତେଜଣ ମୁଣ୍ଡ ତଳକୁ କରି ବସିଥାଉ। ଡ୍ରଇଁ ସାର୍ କହିଲେ – “ଆଜିଠାରୁ ତୁମ ସମସ୍ତଙ୍କୁ ହସ୍ତାକ୍ଷର ଲେଖିବାକୁ ପଡ଼ିବ।”
ଆମେ ତାଙ୍କ କଥାରେ ଟିକେ ଗୁଁ ଗାଁ ହେଲୁ। ସପ୍ତମ ଶ୍ରେଣୀରେ ହସ୍ତାକ୍ଷର ଲେଖିବୁ। ହେଲେ ସାର୍, ନଛୋଡ଼ବନ୍ଧା, ଲେଖିବାକୁ ପଡ଼ିବ।
ତା’ପରେ ସାର୍ କହିଲେ, “ତମକୁ ଏ ଚିତ୍ରର ପଛରେ ଥିବା ଗପଟି କହୁଛି, ଶୁଣ। ସେ ଗପଟି କହି ଚାଲିଲେ”।
ସିଡ୍ନି ସ୍ମିଥ୍ ଥିଲେ ଇଂଲଣ୍ଡର ଜଣେ ଧର୍ମଯାଜକ ଓ ପ୍ରାବନ୍ଧିକ। ସେ ବହୁତ ମଜାମଜା କଥା କହି ସମସ୍ତଙ୍କୁ ହସାନ୍ତି। ତାଙ୍କ ଅକ୍ଷର ବହୁତ ଖରାପ ଥିଲା। ଥରେ ସେ ନିଜ ଅକ୍ଷରକୁ ସମାଲୋଚନା କରି ବର୍ଣ୍ଣନା କଲେ, “ମୋ ଅକ୍ଷରଗୁଡ଼ାକ ଦେଖାଯାଏ ଯେମିତି ମନ୍ଦାଏ ପିମ୍ପୁଡ଼ି ଗୋଟିଏ ସ୍ୟାହି ବୋତଲରୁ ବାହାରିପଡ଼ି ନିଜ ଗୋଡ଼ରୁ ସ୍ୟାହି ନ ପୋଛି ଗୋଟାଏ କାଗଜ ଉପରେ ଅଙ୍କାବଙ୍କା ଧାଡ଼ିରେ ଚାଲିଛନ୍ତି। କାଲି ତୁମର ପରୀକ୍ଷା ଖାତା ଦେଖି ଜାଣିଲି ତୁମ୍ଭମାନଙ୍କ ମଧ୍ୟରୁ କେତେଜଣଙ୍କ ଅକ୍ଷର ସେଇ ସ୍ମିଥ୍ ସାହେବଙ୍କ ଅକ୍ଷର ଭଳି। ତେଣୁ ସେଇ ଚିତ୍ରଟି ଆଙ୍କିଦେଲି ତୁମକୁ କଥାଟି ବୁଝାଇ ଦେବା ପାଇଁ। ଚେଷ୍ଟାକରି ମୁକ୍ତାଭଳି ଅକ୍ଷର ଲେଖ। ଦେଖିବ, ତୁମେ କେମିତି ସବୁ ବିଷୟରେ ଭଲ ନମ୍ବର ରଖିବ”।
ତହିଁ ଆରଦିନଠାରୁ ବଛା ହୋଇଥିବା ଆମ କେତେଜଣଙ୍କୁ ହସ୍ତାକ୍ଷର ଲେଖିବାକୁ ପଡ଼ିଲା। ତା’ ଫଳରେ ଆମ କେତେଜଣଙ୍କ ଅକ୍ଷର ମଧ୍ୟ ଭଲ ହୋଇଗଲା। ସେଇ ଅକ୍ଷର ଭଲ ହୋଇଯାଇଥିବା ପିଲାଙ୍କ ଭିତରୁ ମୁଁ ଥିଲି ଜଣେ। ଆଜି ବି କାଗଜରେ କଲମ ଲଗାଇବା କ୍ଷଣି ପିଲାଦିନର ସେଇ ସାର୍ଙ୍କ କଥା ମନେପଡ଼ିଯାଏ ଓ ମନେ ମନେ ତାଙ୍କ ଉଦ୍ଦେଶ୍ୟରେ ମୋ ହାତ ଦୁଇଟି ଯୋଡ଼ି ହୋଇଯାଏ।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)













