ରବୀନ୍ଦ୍ର ନାରାୟଣ ମିଶ୍ର

ରାଧାରମଣ ତାଙ୍କ ସାଙ୍ଗରେ ଥିବା କୀର୍ତ୍ତନିଆଁଙ୍କୁ ଜୋର୍‌ରେ କୀର୍ତ୍ତନ କରିବାକୁ କହିଲେ। କୋକେଇକୁ ତାଙ୍କ ଆଗରେ ରାସ୍ତା ଉପରେ ଥୋଇ ଦିଆଗଲା। କିଛି ସମୟ କୀର୍ତ୍ତନ ଚାଲିବା ପରେ କୋକେଇରେ ଶୋଇଥିବା ଲୋକଟି ହଲଚଲ ହେବାର ଦେଖାଗଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଲୋକଟି ଧୀରେ ଧୀରେ ନିଦରୁ ଉଠିଲାପରି ଉଠି ବସିଲା। ‘ହରିବୋଲ’ ଧ୍ୱନୀରେ ନଈକୂଳ ପ୍ରକମ୍ପିତ ହୋଇଉଠିଲା।

ପ୍ରାତଃସ୍ମରଣୀୟ ସାଧୁ ଶିରୋମଣି ନାମାଚାର୍ଯ୍ୟ ବାୟାବାବାଙ୍କ ଗୁରୁ ଥିଲେ ସ୍ୱନାମଧନ୍ୟ ବାବାଜି ରାମଦାସ। ତାଙ୍କ ଗୁରୁ ଥିଲେ ପରମ ପୂଜ୍ୟ ରାଧାରମଣ ଦେବ।

କଟକ ପୁରୀଘାଟ ଦେଇ ରାଧାରମଣ ଦେବ ଦିନେ କାଠଯୋଡ଼ି ନଈ କୂଳେ କୂଳେ ସଂକୀର୍ତ୍ତନ ଦଳ ସହିତ ଯାଉଥାନ୍ତି। ହଠାତ୍‌ ଦେଖାଗଲା ତାଙ୍କ ସଂକୀର୍ତ୍ତନ ଦଳ ଆଗରେ ଖାନ୍‌ନଗର ମଶାଣିକୁ ଗୋଟିଏ କୋକେଇରେ ଶବ ନେଇ ଲୋକମାନେ ଚାଲିଛନ୍ତି।

ଧର୍ମବିଶ୍ୱାସ ମତେ ଶବକୁ ଟପିଯାଇ ହେବନି। ଶବାଧାର ସହିତ ମୃତବ୍ୟକ୍ତିର ଆତ୍ମୀୟସ୍ୱଜନମାନେ କାନ୍ଦିକାନ୍ଦି ଚାଲିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ରାଧାରମଣଙ୍କ ଗୋଡ଼ତଳେ ପଡ଼ିଗଲେ।

ରାଧାରମଣ ତାଙ୍କ ସାଙ୍ଗରେ ଥିବା କୀର୍ତ୍ତନିଆଁଙ୍କୁ ଜୋର୍‌ରେ କୀର୍ତ୍ତନ କରିବାକୁ କହିଲେ। କୋକେଇକୁ ତାଙ୍କ ଆଗରେ ରାସ୍ତା ଉପରେ ଥୋଇ ଦିଆଗଲା। କିଛି ସମୟ କୀର୍ତ୍ତନ ଚାଲିବା ପରେ କୋକେଇରେ ଶୋଇଥିବା ଲୋକଟି ହଲଚଲ ହେବାର ଦେଖାଗଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଲୋକଟି ଧୀରେ ଧୀରେ ନିଦରୁ ଉଠିଲାପରି ଉଠି ବସିଲା। ‘ହରିବୋଲ’ ଧ୍ୱନୀରେ ନଈକୂଳ ପ୍ରକମ୍ପିତ ହୋଇଉଠିଲା। ସଂକୀର୍ତ୍ତନ ଶୋଭାଯାତ୍ରା ରାଧାରମଣଙ୍କ ନେତୃତ୍ୱରେ ତା’ ପରେ ଗନ୍ତବ୍ୟ ପଥରେ ଆଗେଇ ଚାଲିଲା।

ଏହାର କେତେବର୍ଷ ପରେ ଥରେ ରାଧାରମଣଙ୍କ ସୁଯୋଗ୍ୟ ଶିଷ୍ୟ ବାବାଜି ରାମଦାସ ପୁରୀ ସ୍ୱର୍ଗଦ୍ୱାରରୁ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଆଡ଼କୁ ନିଜ କୀର୍ତ୍ତନ ଦଳ ସହ ଆଗେଇ ଯାଉଥାନ୍ତି। ସିଂହଦ୍ୱାର ଅଳ୍ପ ବାଟ ଥାଏ।

ଲୋକମାନେ ତାଙ୍କୁ ସେ ବାଟରେ ଆଗେଇ ନ ଯିବାକୁ କହିଲେ। କାରଣ ଆଗରେ ରାସ୍ତା ମଝିରେ ଗୋଟିଏ ଷଣ୍ଢ ମରିପଡ଼ିଛି। ରାମଦାସ ଲୋକଙ୍କ କାରଣ ନ ମାନି ଆଗେଇଗଲେ ଓ ଷଣ୍ଢ ପାଖରେ ପହଞ୍ଚି ଦେଖିଲେ ଯେ ଷଣ୍ଢଟି ରାସ୍ତା ମଝିରେ ମରିପଡ଼ିଛି ଓ ତା’ ପାଟିରୁ ଫେଣ ବାହାରୁଛି। ମଲାଷଣ୍ଢକୁ ଆଡ଼େଇଦେଇ କୀର୍ତ୍ତନ ଯାଇପାରିବନି। ତେଣୁ ରାମଦାସ ନିଜ ଦଳର ଭକ୍ତ ଶିଷ୍ୟ ଓ ସର୍ବସାଧାରଣଙ୍କୁ ଜୋର୍‌ରେ କୀର୍ତ୍ତନ କରିବାକୁ କହିଲେ। ସମସ୍ତେ ମାତିଗଲେ।

ସଂକୀର୍ତ୍ତନର ଗହଳଚହଳରେ ସେ ଅଞ୍ଚଳ କମ୍ପିଉଠିଲା। ଷଣ୍ଢ ଚାରିପଟେ କୀର୍ତ୍ତନ ଦଳକୁ ବୁଲି ବୁଲି କୀର୍ତ୍ତନ କରିବାକୁ ରାମଦାସ ନିର୍ଦ୍ଦେଶ ଦେଲେ। ହଠାତ୍‌ ଦେଖାଗଲା ଷଣ୍ଢଟି ଧୀରେ ଧୀରେ ହଲଚଲ ହୋଇ ସିଧା ବସିପଡ଼ିଲା ଓ ତା’ ପରେ ଠିଆ ହୋଇପଡ଼ିଲା।

କୀର୍ତ୍ତନ ଦଳ ଆଗେଇ ଯିବାକୁ ବାହାରିବାରୁ ରାମଦାସ ନିର୍ଦ୍ଦେଶ ଦେଲେ – ଷଣ୍ଢ ହିଁ କୀର୍ତ୍ତନ ଶୋଭାଯାତ୍ରାର ନେତୃତ୍ୱ ନେବ। ତାହାହିଁ ହେଲା। କୀର୍ତ୍ତନ ଦଳକୁ ଷଣ୍ଢ ଆଗରେ ନେତୃତ୍ୱ ଦେଇ ସିଂହଦ୍ୱାରରେ ପହଞ୍ଚାଇ ଦେଲା।  ଜଗନ୍ନାଥ ମହାପ୍ରଭୁଙ୍କ ଜୟଗାନ କରି ‘ନିତାଇ ଗୌର ରାଧେଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ” ନାଦରେ ସିଂହଦ୍ୱାର ସେଦିନ ଉଛୁଳି ପଡ଼ିଲା।

ଏ ଦୃଶ୍ୟର ପ୍ରତ୍ୟକ୍ଷଦର୍ଶୀ ଭିଙ୍ଗାରପୁରର ତତ୍କାଳୀନ ଜମିଦାର ରାମଦାସଙ୍କ ଶିଷ୍ୟ ଚୌଧୁରୀ ଜଗଦୀଶ ଦାଶ ଏବେ ମଧ୍ୟ କେତେ ଲୋକଙ୍କୁ ଏ କଥାଟି କହି ତାଙ୍କ ପ୍ରିୟ ଗୁରୁଙ୍କ ଜୟଗାନ କରୁଛନ୍ତି।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment