ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍‌ମା ଅଭିମୁଖେ ଯାତ୍ରା କରିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀ ଆଜି କଲ୍‌ମାରୁ ଯାତ୍ରା କରିଛନ୍ତି। କଲ୍‌ମାରୁ ବାହାରି ସେମାନେ ପ୍ରଥମେ ବରଗଡ଼ର ଭଟଲି ଏବଂ ପରେ ଅତାବିରାରେ ପହଞ୍ଚିଛନ୍ତି।

ବୁଧବାର ସକାଳେ ପ୍ରତିନିଧିମଣ୍ଡଳୀ କଲମା ବ୍ୟାରେଜର ସ୍ଥିତି ଦେଖିଥିଲେ। ସେଠାରେ ଥିବା ୪୭ଟି ଗେଟ୍‌କୁ ଛତିଶଗଡ଼ ସରକାର ବନ୍ଦ କରିଥିବା ଦେଖିବା ପରେ ବରଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ବରଗଡ଼ର ଭଟଲିରେ ପହଞ୍ଚି ଲୋକଙ୍କୁ ମହାନଦୀର ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ଏହାସହ କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହୋଇଥିବାରୁ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଥିବା ଲୋକଙ୍କୁ କହିଥିଲେ। ବୁଧବାର ରାତିରେ ପ୍ରତିନିଧିମଣ୍ଡଳୀ ଭଟଲି ଛାଡ଼ି ଅତାବିରା ଅଭିମୁଖେ ଯାତ୍ରା କରିଛନ୍ତି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ କରିଛନ୍ତି। ଏହା ଏପ୍ରିଲ ୧୫ ଯାଏଁ ଚାଲିବ। ଏହାପରେ ବୁର୍ଲା, ସମ୍ବଲପୁର, ସୋନପୁର,ବୌଦ୍ଧ, ଆଠମଲ୍ଲିକ, ନରସିଂହପୁର, ବଡମ୍ବା, କଣ୍ଟିଲୋ, କରବର, ବୈଦେଶ୍ଵର, ବାଙ୍କି, ଆଠଗଡ, କଟକ, କୁଜଙ୍ଗ, ପାରାଦୀପ, ନିମାପଡ଼ା ଦେଇ ଏହି ଯାତ୍ରା ପୁରୀରେ ପହଞ୍ଚିବ।

Comment