ରବୀନ୍ଦ୍ର ନାରାୟଣ ମିଶ୍ର

ଗାନ୍ଧିଜୀଙ୍କ କଥାକୁ ଗନି ଖାଁ ଟିକେ ଆଖିମାରି କହିଲେ, “ଦେଖ, ସେ ଯେମିତି ଆଉ କାହା ସହିତ ପ୍ରେମର ଛଳନା ନ କରେ।” ହାସ୍ୟରସିକ ଗାନ୍ଧିଜୀ ଏତିକି କହି ଉଭୟ ବାପା ଓ ପୁଅ ଗଫୁର ଓ ଗନିଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ଏକ ସୁନ୍ଦର ସମାଧାନ ସେଦିନ କରିଦେଇଥିଲେ।

୧୯୩୪ ମସିହାରେ ଗାନ୍ଧିଜୀ ୱାର୍ଧା ଆଶ୍ରମରେ ଅବସ୍ଥାନ କରୁଥାନ୍ତି। ଦିନେ ତାଙ୍କ ପାଖରେ ଅବ୍‌ଦୁଲ ଗଫୁର୍ ଖାଁ, ତାଙ୍କ ପୁଅ ଅବ୍‌ଦୁଲ ଗନି ଖାଁ ପହଞ୍ଚିଲେ। ସେତେବେଳେ ଗାନ୍ଧିଜୀଙ୍କ କୋଠରିରେ, ବାପପୁଅ ଦି’ ଜଣଙ୍କ ବ୍ୟତୀତ ଶାନ୍ତିନିକେତନର କୃଷ୍ଣା କୃପାଳିନୀ ଉପସ୍ଥିତ ଥାନ୍ତି।

ଅବଦୁଲ ଗନି ଖାଁ ଚିନି ଶିଳ୍ପ ସମ୍ବନ୍ଧୀୟ ବୈଷୟିକ ତାଲିମ ପାଇଁ ବିଦେଶରୁ ସଦ୍ୟ ଫେରିଥାନ୍ତି ସିନା, ଚିତ୍ରକଳାରେ ତାଙ୍କର ବହୁତ ଆଗ୍ରହ ଥିବାରୁ ସେ ବିଦେଶରୁ ଫେରି ଶାନ୍ତିନିକେତନରେ କିଛିଦିନ ରହି ବିଖ୍ୟାତ ଚିତ୍ରଶିଳ୍ପୀ ପ୍ରଫେସର ନନ୍ଦଲାଲ୍‌ ବୋଷଙ୍କଠାରୁ ଶିକ୍ଷା ଗ୍ରହଣ କରୁଥାନ୍ତି। ୱାର୍ଧା ଆଶ୍ରମକୁ ଗାନ୍ଧିଜୀଙ୍କ ପାଖକୁ ଆସିବାର ବାପପୁଅଙ୍କ ଭିତରେ ଉପୁଜିଥିବା ମତାନ୍ତରକୁ ଗାନ୍ଧିଜୀଙ୍କୁ ଜଣାଇବା ଏବଂ ତାଙ୍କଠାରୁ କିଛି ସମାଧାନ ଆଶା କରିବା।

ଗାନ୍ଧିଜୀ ଦେଶପ୍ରେମୀ ଗଫୁର ଖାଁଙ୍କଠାରୁ ଜାଣିବାକୁ ପାଇଲେ ଯେ ଦେଶର ହିତ ସାଧନ ଲକ୍ଷ୍ୟରେ ସେ ପ୍ରତିଷ୍ଠା କରିଥିବା ପତ୍ରିକାଟିର ଦାୟିତ୍ୱ ବହନ କରି ଦେଶସେବା କରିବା ପାଇଁ ପୁଅ ଗନି ଖାଁଙ୍କୁ ସେ ଯେତେ କହିଲେ ବି ଗନି ଖାଁ ତାଙ୍କ କଥା ଶୁଣି ଜଣେ ସାମ୍ବାଦିକ ହେବାକୁ ରାଜି ହେଉ ନାହାନ୍ତି।

ପୁଅ ଗନି ଖାଁଙ୍କୁ ପଚାରି ଗାନ୍ଧିଜୀ ବୁଝିଲେ ଯେ ଆମ ଦେଶରେ ଚିନି କାରଖାନା ବର୍ଷସାରା ଚାଲେ ନାହିଁ। ତେଣୁ ଗନି ଚାହୁଁଥିଲେ ଚିନି କାରଖାନାରେ କାମ କରି କିଛି ଉପାର୍ଜନ କରିବା ସାଙ୍ଗେ ସାଙ୍ଗେ କାରଖାନା ବନ୍ଦ ଥିଲାବେଳେ ସେ ତାଙ୍କର ଆଗ୍ରହ ଥିବା ‘କଳା’ ବିଦ୍ୟାରେ ମାତିପାରିବେ।

ବାପପୁଅଙ୍କ ବିବାଦ ବିଷୟରେ ନିଜ ମତାମତ ଦେବା ପୂର୍ବରୁ ଗାନ୍ଧିଜୀ ସେଠାରେ ଉପସ୍ଥିତ ଥିବା ଶାନ୍ତିନିକେତର ସ୍ୱନାମଧନ୍ୟ ପ୍ରଫେସର ନନ୍ଦଲାଲ ବୋଷଙ୍କ ଛାତ୍ରୀ କୃଷ୍ଣା କୃପାଳିନୀଙ୍କଠାରୁ ଗନି ଖାଁଙ୍କର ‘କଳା’ରେ ପାରଦର୍ଶିତା ସମ୍ବନ୍ଧରେ ମତାମତ ଜାଣିବାକୁ ଚାହିଁଲେ। କୃଷ୍ଣା କୃପାଳିନୀ ଗନି ଖାଁଙ୍କ ବିଷୟରେ ନିଜ ମତ ନ ଦେଇ ଶାନ୍ତିନିକେତନ ପ୍ରଫେସର ନନ୍ଦଲାଲ ବୋଷଙ୍କର ଗନି ଖାଁଙ୍କ ସମ୍ବନ୍ଧରେ ଦେଇଥିବା ମତାମତ ଗାନ୍ଧିଜୀଙ୍କୁ ଜଣାଇଲେ।

କୃଷ୍ଣା ଗାନ୍ଧିଜୀଙ୍କୁ କହିଲେ ଯେ ତାଙ୍କର ଶାନ୍ତିନିକେତନରେ ରହଣିକାଳ ମଧ୍ୟରେ ନନ୍ଦଲାଲ ମତ ଦେଇଥିଲେ – ଗନିଙ୍କର କିଛିଟା ପ୍ରତିଭା ସିନା ଅଛି, ମାତ୍ର ତାଙ୍କଠାରେ ଅଧ୍ୟବସାୟ ନାହିଁ। ଲକ୍ଷ୍ୟ ସାଧନ ନିମିତ୍ତ ଗନି ଖାଁ ଦୃଢ଼ ଓ ନିୟମିତ ଚେଷ୍ଟା କରୁନାହାନ୍ତି। କଳା ସହିତ ସେ କେବଳ ପ୍ରେମର ଛଳନା କରୁଛନ୍ତି।

କୃଷ୍ଣାଙ୍କ ମନ୍ତବ୍ୟ ଶୁଣି ଗଫୁର ଖାଁ ଖୁସି ହୋଇଗଲେ। ସେ ଭାବିଲେ ଗାନ୍ଧିଜୀ ନିଶ୍ଚୟ ଗନି ଖାଁଙ୍କୁ ତାଙ୍କ ପ୍ରତିଷ୍ଠିତ ପତ୍ରିକାର ଦାୟିତ୍ୱ ନେଇ ସାମ୍ବାଦିକତା କରିବା ପାଇଁ କହିବେ। ଆଉ ଗାନ୍ଧିଜୀଙ୍କ କଥାକୁ ଗନି ଖାଁ ଟିକେ ଆଖିମାରି କହିଲେ, “ଦେଖ, ସେ ଯେମିତି ଆଉ କାହା ସହିତ ପ୍ରେମର ଛଳନା ନ କରେ।” ହାସ୍ୟରସିକ ଗାନ୍ଧିଜୀ ଏତିକି କହି ଉଭୟ ବାପା ଓ ପୁଅ ଗଫୁର ଓ ଗନିଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ଏକ ସୁନ୍ଦର ସମାଧାନ ସେଦିନ କରିଦେଇଥିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment