ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାସଙ୍କଟ ଆଡ଼କୁ ଗତି କରୁଛି ମହାନଦୀ। ଛତିଶଗଡ଼ ପଟେ ମହାନଦୀରେ ପାଣି ଭରପୂର ଥିବା ବେଳେ ଓଡ଼ିଶା ଅବବାହିକାରେ ମହାନଦୀ ଶୁଖିଲା ପଡ଼ିଛି। ଏମିତି ଦାରୁଣ ଚିତ୍ର ରେକର୍ଡ କରିଛି ‘ଓଡ଼ିଶାଲାଇଭ୍‌’ କ୍ୟାମେରା ଟିମ୍। ଛତିଶଗଡ଼ର କଲ୍‌ମା ବ୍ୟାରେଜ ନିକଟକୁ ଯାଇ ଓଡ଼ିଶାଲାଇଭ୍‌ ଟିମ୍ ବାସ୍ତବ ସ୍ଥିତି ପରଖିଛି।

ମହାନଦୀକୁ ନେଇ ଲାଗି ରହିଛି ମହାବିବାଦ। ଛତିଶଗଡ଼ ଏବଂ ଓଡ଼ିଶା ସରକାର ହୋଇଛନ୍ତି ମୁହାଁମୁହିଁ। ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲେ ମଧ୍ୟ ବିବାଦ ସମାଧାନ ହୋଇନି। ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇନି।

ଏଭଳି ସ୍ଥିତିରେ କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିଦେଇଛନ୍ତି ଛତିଶଗଡ ସରକାର। ଏହି ଅଭିଯୋଗ ଆସିବା ପରେ ଓଡ଼ିଶାଲାଇଭ୍‌ ଟିମ୍ ପହଞ୍ଚିଥିଲେ କଲମାରେ। କଲମାରେ ଯେଉଁ ଭିଡିଓ ରେକର୍ଡ କରାଯାଇଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରାଯାଉଛି।

କଲମା ବ୍ୟାରେଜର ଗୋଟିଏ ପଟେ ଛତିଶଗଡ଼ ସୀମା ରହିଥିବା ବେଳେ ଅପରପଟୁ ଆରମ୍ଭ ହୋଇଛି ଓଡ଼ିଶା ସୀମା। ହେଲେ ସେଠାରେ କିନ୍ତୁ ଚିତ୍ର ଭିନ୍ନ ଦେଖିବାକୁ ମିଳିଛି। କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହୋଇଯାଇ ଥିବାରୁ ଛତିଶଗଡ଼ ପଟେ ମହାନଦୀରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶା ପଟେ ମହାନଦୀ ଶଯ୍ୟାରେ ଖାଲି ବାଲି ଦେଖାଯାଉଛି। ବାଲି ଶଯ୍ୟାରେ କେବଳ ଯାହା ଛୋଟିଆ ଧାରଟିଏ ପଡ଼ିଛି। ଛତିଶଗଡ଼ ସରକାରଙ୍କ ଏହି ଅବିଚାରକୁ ସମାଲୋଚନା କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ଦସ୍ତଖତ ଅଭିଯାନ ଆରମ୍ଭ କରିଛି।

ଏପ୍ରିଲ ୧୦ରୁ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ ହୋଇଛି। କଲ୍‌ମାର ସ୍ଥିତି ପରଖି ଏହି ଟିମ୍‌ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡ଼ିଛି। ମହାନଦୀର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।

ଛତିଶଗଡ଼ ସରକାରଙ୍କ ଏଭଳି ମନୋଭାବକୁ ନେଇ ବିଜେଡି ଆଗାମୀ ଦିନରେ ମହାସମ୍ମିଳନୀ ଡାକରା ଦେଇଛି। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ଲୋକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ। ଛତିଶଗଡ଼ ଏବଂ କେନ୍ଦ୍ର ସରକାର ମହାନଦୀକୁ ନେଇ ଓଡ଼ିଶା ସହ ଯେଉଁ ଅବିଚାର କରୁଛନ୍ତି ସେନେଇ ରଣନୀତି ପ୍ରସ୍ତୁତ କରିବେ।

Comment