ରବୀନ୍ଦ୍ର ନାରାୟଣ ମିଶ୍ର
“ଆଜ୍ଞା ମଶାୟ, କିଛି ମନେ କର୍ବେନି ନା… ଭଦ୍ରଲୋକେର୍ ଏକ୍ଟି କଥା”। (ଆଜ୍ଞା ମହାଶୟ, କିଛି ମନେ କରିବେନି… ଭଦ୍ରଲୋକର ଗୋଟିଏ କଥା)।
ସେଦିନ ଏକ ବିବାହ ଉତ୍ସବ ଅବସରରେ ଜଣେ ଭଦ୍ରଲୋକ ରାଗରେ ଦାନ୍ତ କାମୁଡ଼ି କହିଲେ – ମଣିଷ ଗରମରେ ମରିଗଲାଣି, ଅଥଚ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ପ୍ରତିଦିନ କହି ଚାଲିଛନ୍ତି… ଆଉ ଅଠଚାଳିଶ ଘଣ୍ଟା, ଆଉ ଅଠଚାଳିଶ ଘଣ୍ଟା। ବିଚାରା ନିର୍ଦ୍ଦେଶକଙ୍କୁ କେତେ ଲୋକ ଏମିତି ବ୍ୟତିବ୍ୟସ୍ତ କରି ପକାଉଥିବେ। କ’ଣ ବା ସେ କରିବେ? ମୌସୁମୀ ତ ଆସୁନି, ତାଙ୍କୁ ଲୋକମାନେ ଏଣେ ଆକ୍ରମଣ କରି ଚାଲିଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଏ ଗପଟି ଲେଖୁଛି। ସେ ଏହା ସାହାଯ୍ୟରେ ସବୁ ଗାଳିବେଜିତ୍ରୁ ରକ୍ଷା ପାଇପାରିବେ।
ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କର ଝିଅର ବିବାହ ପ୍ରସ୍ତାବକୁ ମଧ୍ୟସ୍ଥି ଆଗେଇ ନେଉଥିଲେ। ବିବାହଟି ପ୍ରାୟ ସ୍ଥିର ହୋଇ ଆସୁଥିଲା, ପୁଣି ଭାଙ୍ଗି ଯାଉଥିଲା। ପୁଣି ସ୍ଥିର ହେଇଆସୁଥିଲା, ପୁଣି ଭାଙ୍ଗି ଯାଉଥିଲା। ଏମିତି ପାଞ୍ଚବର୍ଷ କାଳ ଚାଲିଲା। ହଠାତ୍ ଦିନେ ସେଇ ବିବାହ ଏକ ରକମ ଶେଷ ପର୍ଯ୍ୟାୟରେ ପହଞ୍ଚିଲା। ବରପିତା କନ୍ୟାପିତାଙ୍କୁ ଫୋନ୍ରେ ପ୍ରଶ୍ନ କଲେ – ଆଚ୍ଛା, ଆପ୍ନାର ମେୟେଟାର ବୟସ କତ ବଲୁନ୍ତ। (ଆଚ୍ଛା, ଆପଣଙ୍କ ଝିଅର ବୟସ କେତେ କହନ୍ତୁ ତ?)
କନ୍ୟାପିତା ଉତ୍ତର ଦେଲେ – କୁଡ଼ିଏ ବତ୍ସର (କୋଡିଏ ବର୍ଷ)।
ବରପିତା ଚମକି ପଡ଼ିଲେ – ଆପ୍ନି ତ ପାଞ୍ଚବତସ୍ର ଆଗେଇ କେହିଛିଲେନ୍ ମେୟେଟାର ବୟସ କୁଡ଼ିଏ। ଆର୍ ଆଜ୍… (ଆପଣ ତ ପାଞ୍ଚବର୍ଷ ଆଗରୁ କହିଥିଲେ ଝିଅଟିର ବୟସ କୋଡିଏ, କିନ୍ତୁ ଆଜି…)।
ବରପିତାଙ୍କ କଥାକୁ ଶେଷ କରିବାକୁ ନ ଦେଇ କନ୍ୟାପିତା କହି ଉଠିଲେ – “ଆଜ୍ଞା ମଶାୟ, କିଛି ମନେ କର୍ବେନି ନା… ଭଦ୍ରଲୋକେର୍ ଏକ୍ଟି କଥା”। (ଆଜ୍ଞା ମହାଶୟ, କିଛି ମନେ କରିବେନି… ଭଦ୍ରଲୋକର ଗୋଟିଏ କଥା)।
ଏ କଥା ଶୁଣୁଶୁଣୁ ବରପିତା ଫୋନ୍ଟାକୁ ଫୋପାଡ଼ିଲା ଭଳି ରଖିଦେଲେ।
ଏ କଥାଟିକୁ ଭଲ ଭାବରେ ବୁଝି ଆମ ଏଇ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶକ ଚିଡି ଉଠୁଥିବା ରାଗିଯାଇଥିବା ଲୋକମାନଙ୍କୁ କହନ୍ତୁ – “ଆଜ୍ଞା ତିନିଦିନ ପୂର୍ବରୁ କହିଥିଲି ମୌସୁମୀ ଆଉ ଅଠଚାଳିଶ ଘଣ୍ଟା ପରେ ଆସିବ… ଆଜି କହୁଛି ଆଉ ଅଠଚାଳିଶ ଘଣ୍ଟା ଲାଗିବ… କାଲି ମଧ୍ୟ କହିପାରେ ଆଉ ଅଠଚାଳିଶ ଘଣ୍ଟା… କାରଣ ଭଦ୍ରଲୋକର ଏକ୍ଟି କଥା।”
ହେ ପାଠକପାଠିକା ଗଣ! ଦୟାକରି ସହି ସହି ଚାଲନ୍ତୁ ଏ ଗରମକୁ। ଗଛ ତ ଆମେ କାଟି ପକାଇଲେ। ପୋଖରୀ, ବନ୍ଧ ତ ପୋତି ପକେଇଲେ। ଶହ ଶହ ଲୁହାଛଡ଼ ଛାତଘର ତିଆରି କରି ଚାଲିଲେ। ଆମକୁ ଗରମ ଘାଣ୍ଟିବନି ତ ଆଉ କାହାକୁ ଘାଣ୍ଟିବ? ଖାଲି ସହି ଚାଲନ୍ତୁ ଆଉ କହି ଚାଲନ୍ତୁ… ଆଉ ଅଠଚାଳିଶ ଘଣ୍ଟା।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)













