ରବୀନ୍ଦ୍ର ନାରାୟଣ ମିଶ୍ର
ଅନିରୁଦ୍ଧବାବୁ ତା’କୁ ବହିଟି ଦେଖାଇବା ମାତ୍ରେ ସେ କହି ଉଠିଲା – ଚ ମାଣ ଆଟ ଗୁଣ୍ଟ। ଫକୀରାମୋହନ ସେନାପଟି। ପାଖରେ ଉପସ୍ଥିତ ଥିବା ଆମ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ହସି ଉଠିଲେ। କାରଣ ଅନିରୁଦ୍ଧବାବୁ ସେତେବେଳେ ଯେଉଁ ବହିଟି ସେଇ ତେଲୁଗୁ ଅଫିସରଟିକୁ ଦେଖାଇଥିଲେ, ତା’ ମଲାଟରେ ଲେଖାଥିଲା ଚିଲିକା, ରାଧାନାଥ ରାୟ।
କଲେଜରୁ ‘ଓଡ଼ିଆ’ ଉଠିଯିବା ବିଷୟରେ ବର୍ତ୍ତମାନ ଚାରିଆଡ଼େ ଉତ୍ତେଜନା ଦେଖାଗଲାବେଳେ ମୋର ମନେ ପଡ଼ିଯାଉଛି ତେୟାଳିଶ ବର୍ଷ ତଳର ସେଇ ଘଟଣାଟି।
ଅଣଓଡ଼ିଆ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ଅଫିସରମାନଙ୍କ ସହିତ ଆମେ ପ୍ରଶାସନିକ ସେବାରେ ନିଯୁକ୍ତ ଓଡ଼ିଆ ଅଫିସରମାନଙ୍କ ତାଲିମ ଚାଲିଥାଏ ହୀରାକୁଦରେ। ତାଲିମ ଶେଷରେ ଅଣଓଡ଼ିଆମାନଙ୍କର ‘ଓଡ଼ିଆ’ ଜ୍ଞାନ ପରୀକ୍ଷା କରିବାକୁ ସେତେବେଳର ରାଜସ୍ୱ ପରିଷଦର ସଚିବ ସ୍ୱନାମଧନ୍ୟ ସ୍ୱର୍ଗତ ଅନିରୁଦ୍ଧ ଦାଶ ପହଞ୍ଚିଥାନ୍ତି ହୀରାକୁଦରେ।
ଗୋଟିଏ ପରେ ଗୋଟିଏ ବଙ୍ଗାଳି, ତେଲେଙ୍ଗା, ନାଗା ଅଣଓଡ଼ିଆ ହାକିମଙ୍କୁ ଅନିରୁଦ୍ଧବାବୁ ଗୋଟିଏ ବହି ଦେଖାଇ ତା’ ମଲାଟରେ ଲେଖାଥିବା ବହିର ନାଁ ଓ ଲେଖକର ନାଁ ପଢ଼ିବାକୁ କହୁଥାନ୍ତି। ଓଡ଼ିଆ ପରୀକ୍ଷା ଦେଇସାରି ସବୁ ଅଣଓଡ଼ିଆ ହସିହସି ବାହାରି ଆସୁଥାନ୍ତି। ସେମାନଙ୍କର ଆନନ୍ଦ ଯେ ସେମାନେ ଠିକ୍ ରୂପେ ପଢ଼ିପାରିଲେ ବହିର ନାଁ ଓ ଲେଖକର ନାଁ।
ଅନିରୁଦ୍ଧବାବୁ ସମସ୍ତଙ୍କୁ ଫକୀରମୋହନଙ୍କ ଲିଖିତ ‘ଛମାଣ ଆଠଗୁଣ୍ଠ’ ବହିଟି ଦେଖାଉଥାନ୍ତି। ଜଣେ ଜଣେ ଠାସୁକ ମାରି ପଢ଼ିଦେବା ପରେ ସମସ୍ତେ ତା’ପରେ ବହିଟି ଦେଖୁ ଦେଖୁ ପଢ଼ି ଦେଉଥାନ୍ତି ବହିର ନାଁ ଓ ଲେଖକର ନାଁ।
ମୋ ଅନ୍ତରଙ୍ଗ ସାଙ୍ଗ ତେଲୁଗୁ ଅଫିସରଟି ମୋ ଆଗରେ ବହିର ନାଁ ଓ ଲେଖକ କହିଚାଲିଥାଏ- ଚ ମାଣ ଆଟଗୁଣ୍ଟ, ଫକୀରାମୋହନ ସେନାପଟି। ତା’କୁ ଯେତେ କହିଲେ ବି ‘ଚ’ ‘ଛ’ ହେଲାନାହିଁ – ‘ଆଟ’ ‘ଆଠ’ ହେଲାନାହିଁ। ‘ଗୁଣ୍ଟ’ ‘ଗୁଣ୍ଠ’ ହେଲାନାହିଁ। ‘ଫକୀରା’ ‘ଫକୀର’ ହେଲା ନାହିଁ। ତଥାପି ସେ ଘୋଷି ଚାଲିଥାଏ ପରୀକ୍ଷା ହଲ୍ ଭିତରକୁ ଯିବା ଆଗରୁ – ‘ଚ ମାଣ ଆଟ … ଫକୀରାମୋହନ…”।
ତା’ ନାଁ ଡକରା ଆସିବାରୁ ବୀରଦର୍ପରେ ହଲ୍ ଭିତରକୁ ସେ ପଶିଲା ଓ ଅନିରୁଦ୍ଧବାବୁ ତା’କୁ ବହିଟି ଦେଖାଇବା ମାତ୍ରେ ସେ କହି ଉଠିଲା – ଚ ମାଣ ଆଟ ଗୁଣ୍ଟ। ଫକୀରାମୋହନ ସେନାପଟି। ପାଖରେ ଉପସ୍ଥିତ ଥିବା ଆମ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ହସି ଉଠିଲେ। କାରଣ ଅନିରୁଦ୍ଧବାବୁ ସେତେବେଳେ ଯେଉଁ ବହିଟି ସେଇ ତେଲୁଗୁ ଅଫିସରଟିକୁ ଦେଖାଇଥିଲେ, ତା’ ମଲାଟରେ ଲେଖାଥିଲା ଚିଲିକା, ରାଧାନାଥ ରାୟ।
ପରୀକ୍ଷାରୁ ଆସି ମୋ ଆଗରେ ସେ ବାହାସ୍ଫୋଟ ଦେଖାଇଲା, “ଦେଖ, ସାଙ୍ଗେ ସାଙ୍ଗେ ପଢ଼ିଦେଲି ବୁକ୍ର ନାଁ ଆଉ ଅଥରର ନାଁ।”
ସେଦିନ ସନ୍ଧ୍ୟାରେ ଆମ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ତା’କୁ ପଚାରିଲେ ସେ କାହାଠାରୁ ଓଡ଼ିଆ ଶିଖିଛି ବୋଲି। ମୁଁ ପ୍ରଶଂସିତ ହେବି ବୋଲି ସେ ମୋ ନାଁଟି କହିଦେଲା। ତା’ ପରେ ଅଧ୍ୟକ୍ଷ ଆମ ସମସ୍ତଙ୍କ ଆଗରେ ଅସଲ କଥାଟି ଖୋଲିଦେଲେ। ସେଇଦିନୁ ତା’କୁ ଦେଖିବାମାତ୍ରେ ଆମ ବନ୍ଧୁମାନେ କହି ଉଠୁଥାନ୍ତି, ‘ଚ ମାଣ ଆଟଗୁଣ୍ଟ’ ଫକୀରାମୋହନ ସେନାପଟି।
ସେ ତେଲୁଗୁ ବ୍ୟକ୍ତି ସିନା ଠିକ୍ ପଢ଼ିଲାନି। ହେଲେ ଆଜି ବି ଫକୀରମୋହନଙ୍କ ବହିଟି ଦେଖାଇଲେ କେତେଜଣ ଓଡ଼ିଆ ହାକିମ ପଢ଼ିବେ ‘ଚ ମାଣ…’।
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)













