ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାଙ୍କୀ ବ୍ଲକର ବୈଦ୍ୟେଶ୍ୱର ଅଞ୍ଚଳରେ ଅଘଟଣ
  • ୫ ଲକ୍ଷ ଟଙ୍କା ପାଇଁ ବୋହୂକୁ ମାରିଦେଲେ
  • ଗର୍ଭରେ ଥିବା ୫ ମାସର ଶିଶୁ ବି ଆଖିବୁଜିଲା
  • ଶାଶୂ ଅଟକ: ସ୍ୱାମୀ-ଶ୍ୱଶୁର-ନଣନ୍ଦ ଫେରାର

ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ବୋହୂ। ପେଟରେ ବଢୁଥିବା ୫ ମାସର ଶିଶୁ ମଧ୍ୟ ଦୁନିଆ ଦେଖିବା ଆଗରୁ ଆଖିବୁଜିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଙ୍କୀ ବ୍ଲକର ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ଗ୍ରାମରେ।

୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ନବବିବାହିତାଙ୍କୁ ଶାଶୂଘର ଲୋକେ ମାରିଦେଇଥିବା ଅଭିଯୋଗ ହୋଇଛି।

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଝିଙ୍କିଝାରି ଗ୍ରାମର ଦିନବନ୍ଧୁ ମାର୍ଥାଙ୍କ ଝିଅ ବର୍ଷାରାଣୀ ବର୍ଷେ ତଳେ ବାଙ୍କୀ ବ୍ଲକ କାଳିପୋଇ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ନିରଞ୍ଜନ ବେହେରାକୁ ବିବାହ କରିଥିଲେ।  ବାହାଘର ବେଳେ ବର ଘରର ଦାବି ମୁତାବକ ଯୌତୁକ ଆଣିଥିଲେ ବର୍ଷା।

ହେଲେ ବର୍ଷେ ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଘରର ଛାତ ପକାଇବା ପାଇଁ ଟଙ୍କା ଆଣିବାକୁ ଶାଶୂଘର ଲୋକ ବର୍ଷା ଉପରେ ଚାପ ପକାଇଥିଲେ। ବର୍ଷାଙ୍କ ବାପା ଏବଂ ମାମୁ ୧ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। ହେଲେ ସେତିକିରେ ମନ ବୁଝି ନଥିଲା।

ଅଧିକ ଟଙ୍କା ଆଣିବା ପାଇଁ ବର୍ଷାକୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିଲା। ଅଧିକ ୫ ଲକ୍ଷ ଟଙ୍କା ନଆଣିଲେ ଘରୁ ବାହାର କରିଦେବା ପାଇଁ ଧମକ ମଧ୍ୟ ଦେଇଥିବା ବର୍ଷାର ବାପଘର ଲୋକେ କହିଛନ୍ତି। ହେଲେ ଟଙ୍କା ନଦେଇ ପାରିବାରୁ ତାଙ୍କ ଝିଅକୁ ମାରିଦେଇଥିବା ବର୍ଷାର ବାପା ଦିନବନ୍ଧୁ ବୈଦ୍ୟେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ବର୍ଷା ପେଟରେ ଥିବା ୫ ମାସର ଶିଶୁ ମଧ୍ୟ ଯୌତୁକ ନିଆଁରେ ଜଳି ଯାଇଛି।

ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଶାଶୂଙ୍କୁ ଅଟକ ରଖିଥିବା ବେଳେ ଶ୍ୱଶୁର, ସ୍ୱାମୀ ଏବଂ ନଣନ୍ଦ ଘଟଣାପରେ ଫେରାର ହୋଇଯାଇଛନ୍ତି।  ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଶବବ୍ୟବଛେଦ ହୋଇଛି।

ପୋଲିସ କେସ୍ ନମ୍ବର ୩୪/୧୮ ଏବଂ ଦଫା ୪୯୮ (କ), ୩୦୨, ୩୪/୪ ଡି.ପି. ଆକ୍ଟରେ ମାମଲା ରୁଜୁକରିଛି।

Comment