ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଶ୍ମୀରର କଠୁଆ ଗଣଦୁଷ୍କର୍ମ ମାମଲାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ପୋଲିସ କହିଛି। ମୁହଁ ବନ୍ଦ ରଖିବା ପାଇଁ ଦିନକୁ ପୀଡ଼ିତାଙ୍କୁ ଦିଆଯାଉଥିଲା ୮ଟି ନିଶା ବଟିକା।

କାଶ୍ମୀରର କଠୁଆ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ୮ ବର୍ଷର ନାବାଳିକାଙ୍କୁ ଅଭିଯୁକ୍ତମାନେ ନିଶା ବଟିକା ଦେଇ ବଳାତ୍କାର କରିଥିବା ପୋଲିସ କହିଛି।

ପୋଲିସ କହିଛି ଯେ ନାବାଳିକାଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। ୧୫ ବର୍ଷର ନାବାଳକ ଏହି ଅପହରଣର ଥିଲେ ମୁଖ୍ୟ ସୂତ୍ରଧର। ଅପହରଣ କରି ଅଭିଯୁକ୍ତମାନେ କାଶ୍ମୀରର କଠୁଆସ୍ଥିତ ମନ୍ଦିରରେ ନାବାଳିକାଙ୍କୁ ୭ ଦିନ ପର୍ଯ୍ୟନ୍ତ ବାନ୍ଧି ରଖି ବଳାତ୍କର କରିଥିଲେ।

ଖାଲି ସେତିକି ନୁହେଁ, ନାବାଳିକାଙ୍କ ମୁହଁ ବନ୍ଦ ରଖିବା ପାଇଁ ଅଭିଯୁକ୍ତମାନେ ତାଙ୍କୁ ପ୍ରତିଦିନ ନିଶା ବଟିକା ଖୁଆଉଥିଲେ। ୭ ଦିନ ପର୍ଯ୍ୟନ୍ତ ମନ୍ଦିରର ଏକ ନିଛାଟିଆ ଅଞ୍ଚଳରେ ନାବାଳିକାଙ୍କୁ ବାନ୍ଧି ବର୍ବରୋଚିତ କାଣ୍ଡ ଘଟାଇ ଆସୁଥିଲେ। ପୀଡ଼ିତାଙ୍କୁ ଜୋର୍ ଜବରଦସ୍ତ ନିଶା ବଟିକା ଖୁଆଯାଉଥିବାରୁ ସେ ଏହାକୁ ବିରୋଧ କରିପାରୁ ନଥିଲେ।

ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ପୀଡ଼ିତାଙ୍କୁ ପ୍ରତିଦିନ ଅଭିଯୁକ୍ତମାନେ ଏପିଟ୍ରେଲ୍ ୦.୫ ଏମ୍‌ଜି ବଟିକା ଦିଆଯାଉଥିଲା। ଡାକ୍ତରମାନେ ଏହି ବଟିକା ଦିନକୁ ଗୋଟିଏ ସେବନ କରିବାକୁ ପରାମର୍ଶ ଦେଉଛନ୍ତି। ଅଧିକ ସେବନ କରିବାକୁ ପରାମର୍ଶ ଦେଉ ନାହାନ୍ତି। ହେଲେ ପୀଡ଼ିତାଙ୍କୁ ଦିନରେ ୮ଟି ବଟିକା ସେବନ କରିବାକୁ ଦିଆଯାଉଥିଲା।

୨୦୧୮ ଜାନୁଆରୀ ୧୦ ତାରିଖରୁ ପୀଡ଼ିତା ନିଖୋଜ ହୋଇଯାଇଥିଲେ। ନାବାଳିକାଙ୍କୁ ତାଙ୍କ ବାପା-ମା’ ଚାରିଆଡ଼େ ଖୋଜାଖୋଜି କରି କଠୁଆର ସେହି ହିନ୍ଦୁ ମନ୍ଦିର ନିକଟରେ ପହଞ୍ଚିଥିଲେ। କିନ୍ତୁ ଅଭିଯୁକ୍ତମାନେ ଚାଲାକି କରି ତାଙ୍କ ମା’ ବାପାଙ୍କୁ ମନ୍ଦିର ବାହାରୁ ଘରକୁ ପଠାଇ ଦେଇଥିଲେ। ପରେ ଅମାନୁଷିକ କାଣ୍ଡ କରିବାକୁ ପଛାଇ ନଥିଲେ।

୭ଦିନ ଧରି ନାବାଳିକାଙ୍କୁ ନିର୍ଯାତନା ଦେବା ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ଶବକୁ ବାହାରେ ଫିଙ୍ଗି ଦିଆଯାଇଥିଲା। ଦୁଇ ମାସ ପରେ ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ଏବେ ତନାଘନା ଚାଲିଛି।

Comment