ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କାଶ୍ମୀରର କଠୁଆରେ ଘଟିଥିବା ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ୧୪ ଜଣ ମହିଳା ଆରମ୍ଭ କରିଛନ୍ତି ଅଭିନବ ପଦକ୍ଷେପ। ଅନ୍‌ଲାଇନ୍ ପିଟିସନ ଆରମ୍ଭ କରି ନ୍ୟାୟ ଦେବା ପାଇଁ କରିଛନ୍ତି ନିବେଦନ।

ଜମ୍ମୁ-କାଶ୍ମୀରରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୮ ବର୍ଷର ନିରୀହ ବାଳିକାକୁ ନ୍ୟାୟ ମିଳୁ। କଠୁଆ ଅଞ୍ଚଳରେ ଘଟିଥିବା ଏହି ଲୋମହର୍ଷକ ତଥା ଅମାନବୀୟ ଘଟଣାକୁ ନେଇ ରାଜନୀତି ବନ୍ଦ ହେଉ। ଗୋଟିଏ ପରେ ଗୋଟିଏ ଅନୁସନ୍ଧାନକାରୀ ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେଇ ଏହି ଘୃଣ୍ୟ ଅପରାଧର ବିଚାର ପ୍ରକ୍ରିୟାରେ ବିଳମ୍ବ ନଘଟୁ। ଜଣେ ନିରୀହ ଝିଅ ପ୍ରତି ହୋଇଥିବା ପାଶବିକ ଅତ୍ୟାଚାର ଓ ବୀଭତ୍ସ ହତ୍ୟା ଘଟଣାକୁ ନେଇ ଧାର୍ମିକ ଓ ରାଜନୀତିକ ବୟାନବାଜି ବନ୍ଦ ହେଉ।… ଜମ୍ମୁ-କାଶ୍ମୀରର କେତେଜଣ ମହିଳା ମିଳିତ ହୋଇ ଏ ସମ୍ପର୍କରେ ଆରମ୍ଭ କରିଛନ୍ତି ଏକ ଅନ୍‌ଲାଇନ୍ ପିଟିସନ।

ଲୋକପ୍ରିୟ ଅନ୍‌ଲାଇନ୍ ପ୍ଲାଟଫର୍ମ www.change.org ମାଧ୍ୟମରେ ଲୋକଙ୍କୁ ନିବେଦନ କରିଛନ୍ତି ଜମ୍ମୁ-କାଶ୍ମୀରର ୧୪ ଜଣ ମହିଳା। ରବିବାର ସନ୍ଧ୍ୟା ସୁଦ୍ଧା ଏହି ଅନଲାଇନ୍‌ ପିଟସନ ମାଧ୍ୟମରେ ୧୪ ଲକ୍ଷ ୭୮ ହଜାର ୮୯୬ ଜଣ ସ୍ୱାକ୍ଷର କରି ଅସିଫା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ସଂଗ୍ରାମ କରିବାକୁ ସମର୍ଥନ ଜଣାଇଛନ୍ତି।

ଏହି କ୍ୟାମ୍ପେନ ଆରମ୍ଭ କରିଥିବା ମହିଳାମାନଙ୍କ ମଧ୍ୟରେ ଅଛନ୍ତି କାଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭସିନ୍, ହେଲ୍ପ ଫାଉଣ୍ଡେସନର ପ୍ରତିଷ୍ଠାତା ନିଘଟ ସାଫି ପଣ୍ଡିତ ଏବଂ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ନିରଜା ମଟ୍ଟୁ।

ଆବେଦନକାରୀମାନେ ଏହି ଅନ୍‌ଲାଇନ୍ ପିଟିସନ ମାଧ୍ୟମରେ ପୀଡ଼ିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ପିଡିପି-ବିଜେପି ମେଣ୍ଟ ସରକାର ଉପରେ ଚାପ ପକାଉଛନ୍ତି।

“ନାବାଳିକା ଉପରେ ହୋଇଥିବା ଅତ୍ୟାଚାର ଘଟଣାରେ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ନ୍ୟାୟିକ ପ୍ରକ୍ରିୟାରେ ଅଯଥା ବିଳମ୍ବ ଘଟୁଛି। ଏହି ଘଟଣାର ମଧ୍ୟ ରାଜନୀତିକରଣ କରାଯାଇ ମୂଳ ପ୍ରସଙ୍ଗକୁ ଦୁର୍ବଳ କରିଦେବାକୁ ଉଦ୍ୟମ ହେଉଛି। ଏଭଳି ଏକ ଘଟଣାର ଜଡ଼କୁ ଗୁରୁତ୍ୱ ନଦେଇ ଏହାକୁ ନେଇ ସାମ୍ପ୍ରଦାୟିକତାର ଖେଳ ଆରମ୍ଭ ହୋଇଛି”- ଅନ୍‌ଲାଇନ୍ ପିଟିସନରେ ଏହି କଥା ଉଲ୍ଲେଖ କରିଛନ୍ତି ଅଭିଯାନକାରୀ ମହିଳାମାନେ। ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଏଥିରେ ଯୋଡ଼ି ହୋଇ ମହିଳାଙ୍କ ପ୍ରତି ହେଉଥିବା ଏଭଳି ଜଘନ୍ୟ ଅତ୍ୟାଚାରର ପ୍ରତିବାଦ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଜମ୍ମୁ-କାଶ୍ମୀରର ବିଭିନ୍ନ ରାଜନୀତିକ ଦଳକୁ ସେମାନେ ଅନୁରୋଧ କରି କହିଛନ୍ତି ଯେ ଏହି ଘଟଣାକୁ ନେଇ ଚାଲିଥିବା ରାଜନୀତି ଏବଂ ସାମ୍ପ୍ରଦାୟିକ ଚିତ୍ରଣ ବନ୍ଦ କରାଯାଉ। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସେମାନେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ନିକଟରେ ଦାବି କରିଛନ୍ତି।

ଅନଲାଇନ୍‌ ପିଟିସନରେ ୧୫ ଲକ୍ଷ ଲୋକଙ୍କୁ ଯୋଡ଼ିବା ପାଇଁ ଅଭିଯାନକାରୀ ମହିଳାମାନେ ଚାହିଁଥିଲେ। ଏହି ଲକ୍ଷ୍ୟ ପୂରଣ ହେବାକୁ ଯାଉଛି।

Comment