ଓଡ଼ିଶାଲାଇଭ୍ ବ୍ୟୁରୋ

- ୧୧ଜଣଙ୍କୁ ମିଳିଲା ‘ଚିନ୍ତା ଓ ଚେତନା’ ରାଷ୍ଟ୍ରୀୟ ପୁରସ୍କାର -୨୦୧୮
- ୫ ଜଣଙ୍କୁ ମିଳିଲା ଚିନ୍ତା ଓ ଚେତନା ବୈଶାଖୀ ସମ୍ମାନ -୨୦୧୮
- ହୁଳହୁଳି, ଯୋଡ଼ିଶଙ୍ଖ, ଘଣ୍ଟନାଦରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ
- ସାମାଜିକ ସେବା, ସାହସିକତା, କଳା, ସାହିତ୍ୟ ଆଦି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ମିଲିଲା ପୁରସ୍କାର
ନୃତ୍ୟ ଓ ସଙ୍ଗୀତର ସମ୍ଭାରକୁ ନେଇ ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି ୩୯ତମ ବୈଶାଖୀ ମହୋତ୍ସବ। ୩ଦିନ ଧରି ଚାଲିବ ଏହି ମହୋତ୍ସବ। ମହୋତ୍ସବ ପ୍ରାରମ୍ଭରେ ଘଣ୍ଟ, ହୁଳହୁଳି, ଯୋଡ଼ି ଶଙ୍ଖ, ପାଟୁଆ, ଚଇତି ଘୋଡା ଓ ଗୋଟି ପୁଅ ନୃତ୍ୟ ମାଧ୍ୟମରେ ରବୀନ୍ଦ୍ର ମଣ୍ଡପ ଭିତରକୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରି ଅଣାଯାଇଥିଲା।
ଆକର୍ଷଣୀୟ ଆଳତି ସହିତ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ମହୋତ୍ସବ କାର୍ଯ୍ୟକ୍ରମକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍ଘାଟନ କରିଥିଲେ। ଚିନ୍ତା ଓ ଚେତନାର ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କିଟର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ।
ମଞ୍ଚରେ ପ୍ରଥମ କାର୍ଯ୍ୟକ୍ରମରେ ବନମାଳି ଦାସଙ୍କ ରଚିତ ‘କାହିଁ ଗଲେ ମୁରଲୀ ଫୁଙ୍କା’ ସଙ୍ଗୀତରେ ନୃତ୍ୟଶିଳ୍ପୀ ଦୀପ୍ତିମୟୀ ସାହୁ ଓଡ଼ିଶୀ ଅଭିନୟ ପରିବେଷଣ କରିଥିଲେ। ଏଥିରେ କଣ୍ଠ ଦେଇଥିଲେ ସଙ୍ଗୀତା ପଣ୍ଡା ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଗଜେନ୍ଦ୍ର ପଣ୍ଡା।
ଏହି ଅବସରରେ ୧୧ ଜଣଙ୍କୁ ଚିନ୍ତା ଚେତନା ପକ୍ଷରୁ ରାଷ୍ଟ୍ରୀୟ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଥିଲା। ସାମାଜିକ ସେବା ପାଇଁ ଆଇପିଏସ୍ ଅଖିଳେଶ୍ୱର ସିଂ ଓ ଓପିଏସ୍ ଯତୀନ୍ଦ୍ର କୁମାର ପଣ୍ଡା, ସାହାସିକତା ପାଇଁ ଅଶ୍ୱିନୀ କୁମାର ସିଂହ, କମଳାକାନ୍ତ ଶର୍ମା, ହର୍ଷବର୍ଦ୍ଧନ, ଗ୍ୟାନଦେ ଲାମୁ ଭୁଟିଆ, ଅମରନାଥ ମିଶ୍ର, ଶିକ୍ଷା ପାଇଁ ଡକ୍ଟର ସସ୍ମିତା ରାଣୀ ସାମନ୍ତ, ଓଡ଼ିଶୀ ନୃତ୍ୟ ପାଇଁ ପୂର୍ଣ୍ଣଶ୍ରୀ ରାଉତ, ଅଭିନୟ ପାଇଁ ପ୍ରେମାଞ୍ଜନ ପରିଡା ଓ ଚଳଚ୍ଚିତ୍ର ପାଇଁ ଘନଶ୍ୟାମ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ୫ଜଣଙ୍କୁ ଚିନ୍ତା ଚେତନା ବୈଶାଖି ସମ୍ମାନ ୨୦୧୮ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ସାମାଜିକ ସେବା ପାଇଁ ସାଧନା ମିଶ୍ର, ସାହସିକତା ପାଇଁ ସହିଦ ହୋଇଥିବା ମନୋରଞ୍ଜନ ଲେଙ୍କା, ସହିଦ ପ୍ରଦୀପ କୁମାର ପଣ୍ଡାଙ୍କ ପରିବାର ପୁରସ୍କାର ଗ୍ରହଣ କରିଥିଲେ। ଫାଇନ ଆର୍ଟ ପାଇଁ ଶ୍ରୋତା ପାରେଖ୍, ସାହିତ୍ୟ ପାଇଁ ପ୍ରତିଭା ପରିଡ଼ାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାରଳାରୁ ଆସିଥିବା ଘଣ୍ଟନୃତ୍ୟ, ରଣପା ନୃତ୍ୟ ରବୀନ୍ଦ୍ର ମଣ୍ଡପରେ ପର୍ଯ୍ୟବେସିତ ହୋଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି।
ଏହି ଅବସରରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ‘ଚିନ୍ତା ଓ ଚେତନା’ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ବାସ୍ତବରେ ସ୍ୱାଗତଯୋଗ୍ୟ। ଓଡ଼ିଆ ସଂସ୍କୃତି, ନୃତ୍ୟ, କଳା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଦରକାର।
“ଦୀର୍ଘ ୩୯ ବର୍ଷ ହେବ ‘ଚିନ୍ତା ଓ ଚେତନା’ ଓଡ଼ିଶାର ପରମ୍ପରାକୁ ଆଗକୁ ନେବାକୁ ଚେଷ୍ଟା କରି ଆସିଛି। ଆମେ ପ୍ରତିବର୍ଷ ଏକ ଭାରି ଚୟନ ମାଧ୍ୟମରେ ସମାଜରେ ଖୁବ୍ ଭଲ କାମ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ପୁରସ୍କୃତ କରିଥାଉ”, କହିଛନ୍ତି ଚିନ୍ତା ଓ ଚେତନାର ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାସ।
ତିନିଦିନ ବ୍ୟାପି ଚାଲିବାକୁ ଥିବା ଏହି ମହୋତ୍ସବରେ ‘ଓଡ଼ିଶା ଲାଇଭ୍’ ଡିଜିଟାଲ୍ ମିଡିଆ ପାର୍ଟନର ରହିଛି।


















