ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ଷ୍ଟେସନ ନିକଟରେ ଘଟିଛି ଦୁଃଖଦ ଘଟଣା। ମୁମ୍ବାଇ-ହାୱଡା ଏକ୍ସପ୍ରେସ୍ ଧକ୍କାରେ ଚାଲିଯାଇଛି ଚାରି ହାତୀଙ୍କ ଜୀବନ।
କେତେବେଳେ ବିଦ୍ୟୁତ ଆଘାତ ତ ପୁଣି କେତେବେଳେ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଉଥିଲେ ଗଜରାଜ। ହେଲେ ସୋମବାର ଭୋର୍ ସମୟରେ ଟ୍ରେନ୍ ଧକ୍କାରେ ଚାରି ହାତୀଙ୍କର ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ଷ୍ଟେସନ ନିକଟରେ ଚାରିଟି ହାତୀ ରେଳ ଧାରଣା ପାର୍ ହେଉଥିବା ବେଳେ ମୁମ୍ବାଇ-ହାୱଡା ଏକ୍ସପ୍ରେସ୍ ଧକ୍କା ଦେବାରୁ ଏହି ଦୁଃଖଦ ଘଟଣା ଘଟିଛି।
ସୋମବାର ଭୋର୍ ସମୟ। ବାଘଡିହି ରେଞ୍ଜରୁ ଚାଲି ଆସିଥିବା ହାତୀପଲ୍ଲ ରେଳ ଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଆସୁଥିବା ମୁମ୍ବାଇ-ହାୱଡା ଏକ୍ସପ୍ରେସ୍ ଟ୍ରେନ୍ ହାତୀପଲ୍ଲଙ୍କୁ ଦେଇଥିଲା ଧକ୍କା। ଫଳରେ ଚାରିଟି ହାତୀ ତଳେ ଟଳିପଡ଼ିଥିଲେ।
ଗୋଟିଏ ହାତୀୟ ବୟସ ୧୫ ବର୍ଷ ହୋଇଥିବା ବେଳେ ଆଉ ଗୋଟିଏର ୨୫, ଆଉ ଗୋଟିଏର ୫ ଏବଂ ଅନ୍ୟଟି ବର୍ଷକର ହାତୀ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଚାରିଟି ହାତୀଙ୍କ ମୃତ୍ୟୁକୁ ନେଇ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ବାକ୍ ବିତଣ୍ଡା ଚାଲିଛି।
ବାଘଡିହି ଅଞ୍ଚଳ ହେଉଛି ହାତୀଙ୍କ ଚଲାପଥ। ରେଳ ବିଭାଗ ଏହା ଭଲଭାବେ ଜାଣିଛି। ଏନେଇ ଅନେକବାର ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏହି ଅଞ୍ଚଳରେ ୩୦ କିମି ବେଗରେ ଟ୍ରେନ୍ ଯାତାୟାତ କରିବା ସହ ହର୍ଣ୍ଣ ବଜାଇବା ପାଇଁ କୁହାଯାଇଛି। ହେଲେ ରେଳ ବିଭାଗ ଏହାକୁ ମାନୁ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ବନବିଭାଗ ପକ୍ଷରୁ କୁହାଯାଇଛି।
ବର୍ଷକ ଭିତରେ ପ୍ରାୟ ୭ଟି ହାତୀଙ୍କର ଏହି ଅଞ୍ଚଳରେ ପ୍ରାଣ ଗଲାଣି। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ କିମ୍ବା ରେଳ ବିଭାଗ ଚେତୁ ନାହାନ୍ତି। ହାତୀ ଚଳପ୍ରଚଳ ରାସ୍ତା ବୋଲି ବନବିଭାଗ ପକ୍ଷରୁ କୌଣସି ଫଳକ ଲଗାଯାଇ ନାହିଁ। ଏପଟେ ରେଳ ବିଭାଗ ବି ନିୟମ ମାନୁନି। ଏଥିପାଇଁ କାହାକୁ ଦାୟୀ କରାଯିବ ତାକୁନେଇ ଉଠିଛି ପ୍ରଶ୍ନ।








ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ଷ୍ଟେସନ ନିକଟରେ ଘଟିଛି ଦୁଃଖଦ ଘଟଣା। ମୁମ୍ବାଇ-ହାୱଡା ଏକ୍ସପ୍ରେସ୍ ଧକ୍କାରେ ଚାଲିଯାଇଛି ଚାରି ହାତୀଙ୍କ ଜୀବନ।









