ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼କୂଳ ପଞ୍ଚାୟତରେ ଇନ୍ଦିରାଆବାସ ଘୋଟାଲାର ଆଜି ତଦନ୍ତ ଆରମ୍ଭ ହୋଇଛି। ଉକ୍ତ ପଞ୍ଚାୟତରେ ୨୦୧୪-୨୦୧୫ ଆର୍ଥିକ ବର୍ଷରେ ଇନ୍ଦିରା ଆବାସ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।
ଏହି ବ୍ଲକ୍ ବଡ଼କୂଳ ପଞ୍ଚାୟତରେ ୨୨ ହିତାତାଧିକାରୀଙ୍କ ନାମରେ ୩୨ଟି ଇନ୍ଦିରାଆବାସ ଘୋଟାଲା କରାଯାଇଥିବା ଅଭିଯୋଗ ହୋଇଛି। କିଛି ହିତାଧିକାରୀଙ୍କ ନାମରେ ଗୃହ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିବା ବେଳେ ସେହି ପଞ୍ଚାୟତର ମହାକାଳପଡ଼ା ବ୍ଲକରେ କାର୍ଯରତ ଥିବା ପିଅନ ତାଙ୍କ ବାପାଙ୍କ ନାମରେ ଏକାଧିକ ଇନ୍ଦିରାଆବାସ ହଡ଼ପ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅଧିକାର ଆଇନ୍ ଅନୁଯାୟୀ ରଞ୍ଜନ ଦସ ଉକ୍ତ ତଥ୍ୟ ହାସଲ କରିବା ପରେ ଏହି ଘୋଟାଲାର ପରଦାଫାସ ହୋଇଥିଲା। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ପ୍ରାୟ ୨୧ ଲକ୍ଷରୁ ଅଧିକ ଟଙ୍କା ଜାଲ ହିତାଧିକାରୀଙ୍କ ନାମରେ ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅଧିକାର ଅଭିଯାନ ମଞ୍ଚ ପକ୍ଷରୁ ଗତ ୯ ତାରିଖରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଅନଶନ ଦିଆଯିବା ପରେ ଏହାର ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଘୋଟାଲାରେ ସୋମବାର କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ରେକର୍ଡ ରୁମରେ ବିଭିନ ଫାଇଲ୍ ଯାଞ୍ଚ କରିଛନ୍ତି। ବ୍ଲକ୍ ପରିଷରରେ ଭିଜିଲ୍ଲାନ୍ସ ଛାନଭିନ୍ କରିବା କିଛି ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
ଭିଜିଲାନ୍ସ ବିଭାଗ ନିଜ ଆଡୁ ଏହି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ୨୬ଟି ଫାଇଲ୍ ଜବତ କରାଯାଇ ଥିବା ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁ ସୂଚନା ଦେଇଛନ୍ତି।


















