ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚଣ୍ଡିଗଡ଼କୁ ମାମଲା ସ୍ଥାନାନ୍ତର କରିବାକୁ ନିବେଦନ
  • ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ
  • ଏପ୍ରିଲ ୨୭ରେ ପରବର୍ତ୍ତୀ ଶୁଣାଣି

ଦେଶକୁ ଦୋହଲାଇ ଦେଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଜମ୍ମୁ-କାଶ୍ମୀର ବାହାରେ ମାମଲା ବିଚାର କରିବା ପାଇଁ ପୀଡ଼ିତା ପରିବାର ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି। ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନେ ଚଣ୍ଡିଗଡ଼କୁ ମାମଲା ସ୍ଥାନାନ୍ତର କରିବାକୁ ଚାହିଁଛନ୍ତି।

ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଏପ୍ରିଲ ୨୭ରେ ମାମଲା ଶୁଣାଣି ହେବ।

“ପୋଲିସ ତଦନ୍ତ ଉପରେ ଆମର ଭରସା ରହିଛି। ପୋଲିସ ଠିକ୍‌ ଭାବେ ତଦନ୍ତ କରୁଛି। କିନ୍ତୁ ଏହି ମାମଲା କଠୁଆ ବାହାରେ କରିବା ପାଇଁ ପୀଡ଼ିତାଙ୍କ ପରିବାର ଚାହୁଁଛନ୍ତି। କଠୁଆରେ ମାମଲାର ଶୁଣାଣି ହେଲେ ପୀଡ଼ିତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ନମିଳିବାର ଆଶଙ୍କା ରହିଛି। ଏଣୁ ମାମଲା ଚଣ୍ଡିଗଡ଼ କୋର୍ଟକୁ ସ୍ଥାନାନ୍ତର କରାଯାଉ”, ସୁପ୍ରିମକୋର୍ଟକୁ କହିଛନ୍ତି ପୀଡ଼ିତା ପରିବାରଙ୍କ ଓକିଲ।

ପୀଡ଼ିତାଙ୍କ ପରିବାର ଏବଂ ଓକିଲ ଦୀପିକା ସିଂ ରାଜାବତଙ୍କ ଜୀବନ ପ୍ରତି ବିପଦ ରହିଥିଲା ପିଟିସନରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଜମ୍ମୁ-କଶ୍ମୀର କରିବାରକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ମାସରେ ପୀଡ଼ିତାଙ୍କୁ ଅପହରଣ କରାଯାଇ କଠୁଆର ଏକ ମନ୍ଦିରରେ ୮ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। ପ୍ରମାଣ ନଷ୍ଟ ପାଇଁ ଆସିଫାଙ୍କୁ ମାରି ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି। ୮ ଜଣ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ଅଛନ୍ତି। ପୀଡ଼ିତା ପରିବାରକୁ ନ୍ୟାୟ ଦେବା ପାଇଁ ଚାରିଆଡ଼େ ଆନ୍ଦୋଳନ ଚାଲିଛି। ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

Comment