ରବୀନ୍ଦ୍ର ନାରାୟଣ ମିଶ୍ର

ମାଲବ୍ୟଜୀ ପୁଅକୁ ଲେଖିଲେ ଯେ ସେ ନିଜେ ଯେତେବେଳେ ଋଣଗ୍ରସ୍ତ ହେଉଥିଲେ, ଏହି ଗଜେନ୍ଦ୍ର ସ୍ତୁତି ପଢ଼ି ସେ ବିପଦରୁ ଉଦ୍ଧାର ପାଉଥିଲେ। ପୁଅ ବାପାଙ୍କ କଥାରେ ଶ୍ରଦ୍ଧା ବିଶ୍ୱାସ ରଖି ଗଜେନ୍ଦ୍ର ସ୍ତତି ପାଠକରି ଋଣମୁକ୍ତ ହୋଇଥିଲେ।

ଆଧ୍ୟାତ୍ମିକ ଭାବଧାରା ଖାଲି ଚିନ୍ତନ ପାଇଁ ନୁହେଁ। ବସ୍ତୁବାଦୀ ଏ ସଂସାରର ଯାବତୀୟ ଦୁଃଖ ଦୂର କରିବା ପାଇଁ ମଧ୍ୟ ଆମ ଶାସ୍ତ୍ରରେ ବିଧାନ ଅଛି। ଖାଲି ଯେ ବିଷୟରେ ଉଚିତ ଜ୍ଞାନଲାଭ କରି ତା’କୁ ପ୍ରୟୋଗ କରିପାରିଲେ ହେଲା। ଆଜିର ସଂସାରରେ କିଛି ନା କିଛି କାରଣରୁ ଆମ୍ଭେମାନେ ଋଣଗ୍ରସ୍ତ ହୋଇପଡ଼ୁଥାଇଁ। ଋଣୀ ଲୋକ ଜୀବନରେ ବହୁତ ହନ୍ତସନ୍ତ ହୁଏ। ଏ ଦୁଃଖରୁ ମୁକୁଳିବା ପାଇଁ ମଧ୍ୟ ଆମ ଶାସ୍ତ୍ରରେ ବ୍ୟବସ୍ଥା ଅଛି। ଏହା ବହୁ ପରୀକ୍ଷିତ। ଋଣଗ୍ରସ୍ତମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଏ ବ୍ୟବସ୍ଥାକୁ ଗ୍ରହଣ କଲେ ନିଶ୍ଚିତ ଉପକୃତ ହେବେ।

ପଣ୍ଡିତ ମଦନମୋହନ ମାଲବ୍ୟ ଜୀବନସାରା ଧର୍ମାଶ୍ରୟୀ ଥିଲେ। ଜୀବନର ସମସ୍ତ ବିପଦକୁ ସେ ସାହସର ସହିତ ଶାସ୍ତ୍ରାନୁମୋଦିତ ମାର୍ଗରେ ସମ୍ମୁଖୀନ ହେଉଥିଲେ। ଥରେ ତାଙ୍କର ଗୋଟିଏ ପୁଅ ଋଣଗ୍ରସ୍ତ ହୋଇପଡ଼ି ତାଙ୍କ ସାହାଯ୍ୟ ଭିକ୍ଷା କଲା।

ପୁଅଟି ବୋଧହୁଏ ଆଶା କରିଥିଲା ବାପା ତାଙ୍କର ଶହ ଶହ ଧନୀ ଅନୁଗତ ଭକ୍ତମାନଙ୍କ ମଧ୍ୟରୁ ଜଣକୁ କାହାକୁ କହିଦେଲେ ତା’ ଦୁଃଖ ଦୂର ହୋଇଯିବ। ମାତ୍ର ତାଙ୍କ ନିଜ ପାଇଁ ବା ପରିବାରର କୌଣସି ଲୋକଙ୍କ ପାଇଁ ମଦନମୋହନ ମାଲବ୍ୟ କୌଣସି ଧନୀ ଅନୁଗତଙ୍କଠାରୁ ସାହାଯ୍ୟ ନ ମାଗିବା ଥିଲା ତାଙ୍କର ନୀତି। ତେଣୁ ସେ ଯେଉଁ ଧର୍ମୀୟ ପନ୍ଥା ଗ୍ରହଣ କରି ଜୀବନର ପ୍ରତି ସନ୍ଧିକ୍ଷଣରେ ବିପଦମୁକ୍ତ ହେଉଥିଲେ, ସେହି ପନ୍ଥା ପୁଅକୁ ଅନୁସରଣ କରିବାକୁ କହିଲେ।

ପନ୍ଥାଟି ହେଉଛି ଭାଗବତର ଗଜେନ୍ଦ୍ରମୋକ୍ଷ ଚରିତଟି ପଢ଼ିବା। ଭାଗବତର ଅଷ୍ଟମ ସ୍କନ୍ଧର ତୃତୀୟ ଅଧ୍ୟାୟରେ ଏହାର ଉଲ୍ଲେଖ ଅଛି। ମାଲବ୍ୟଜୀ ପୁଅକୁ ଲେଖିଲେ ଯେ ସେ ନିଜେ ଯେତେବେଳେ ଋଣଗ୍ରସ୍ତ ହେଉଥିଲେ, ଏହି ଗଜେନ୍ଦ୍ର ସ୍ତୁତି ପଢ଼ି ସେ ବିପଦରୁ ଉଦ୍ଧାର ପାଉଥିଲେ। ପୁଅ ବାପାଙ୍କ କଥାରେ ଶ୍ରଦ୍ଧା ବିଶ୍ୱାସ ରଖି ଗଜେନ୍ଦ୍ର ସ୍ତତି ପାଠକରି ଋଣମୁକ୍ତ ହୋଇଥିଲେ।

ପାଠକମାନେ ଯଦି ମୂଳ ସଂସ୍କୃତ ପଢ଼ି ନ ପାରିବେ, ତେବେ ଜଗନ୍ନାଥ ଦାସ ଭାଗବତ ବା ଖାଡ଼ାଙ୍ଗା ଭାଗବତ ପାଠ କଲେ ମଧ୍ୟ ସମାନ ଫଳ ମିଳିବ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment