ରବୀନ୍ଦ୍ର ନାରାୟଣ ମିଶ୍ର

ନିଜର, ନିଜ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା ନ କରି ସାଧୁମାନେ ଦିବାରାତ୍ରି ବିଶ୍ୱର ମଙ୍ଗଳ ନିମିତ୍ତ ପ୍ରାର୍ଥନା କରୁଥାନ୍ତି। ନିରପେକ୍ଷ ଭାବରେ ଏଥର କହିଲେ ଦେଖି ଏମାନେ ଦେଶର ମଙ୍ଗଳ ପାଇଁ ସମର୍ପିତ ନା ଦେଶ ପାଇଁ ଏମାନେ ଗୋଟିଏ ଗୋଟିଏ ବୋଝ?
ସେଦିନ ସାଧୁ ମହାରାଜ ରାଜଧାନୀରେ ସତ୍ସଙ୍ଗ କରିବା ଅବସରରେ ମୁଁ ପ୍ରଶ୍ନ କଲି, ‘‘ଜନଗଣନା ହିସାବରୁ ଜଣାଯାଏ ଯେ ବର୍ତ୍ତମାନ ଭାରତରେ ଛପନ ଲକ୍ଷ ସାଧୁ ଅଛନ୍ତି। ସେଥିରୁ ପାଖାପାଖି ସାତଲକ୍ଷ ସାଧୁ ଶାରୀରିକ ଭାବେ ଅକ୍ଷମ। ତେଣୁ ବାକି ରହିଲେ ଆପଣଙ୍କ ଭଳି ଅଣଚାଶ ଲକ୍ଷ କର୍ମଠ ସାଧୁ। ଭାରତରେ ଗାଁ ସଂଖ୍ୟା ହେଲା ସାତଲକ୍ଷ। ଯଦି ଏହି ହିସାବ ଅନୁସାରେ ଗିରିକନ୍ଦରବନାନୀରେ ନ ରହି ପ୍ରତି ଗାଁକୁ ସାତଜଣ ଲେଖାଏଁ ସାଧୁ ନିଜ ନିଜର କର୍ମସ୍ଥଳୀ ରୂପେ ବାଛି ନିଅନ୍ତେ ଓ ଲୋକମାନଙ୍କୁ ସତ୍ୟ, ନ୍ୟାୟ ତଥା ଧର୍ମ ମାର୍ଗରେ ପରିଚାଳନା କରନ୍ତେ, ତେବେ ଭାରତର କେତେ ଆଧ୍ୟାତ୍ମିକ ଉନ୍ନତି ନ ହୁଅନ୍ତା ସତେ। ଆପଣମାନେ ଦେଶର ମଙ୍ଗଳ ପାଇଁ ଏ ପଦକ୍ଷେପ କାହିଁକି ନେଉନାହାନ୍ତି?’’
ପ୍ରଶ୍ନଟି ଶୁଣିବା ମାତ୍ରେ ସେ ହସିହସି ଗଡ଼ିଗଲେ। ତା’ପରେ କହିଲେ, ‘‘ଆଚ୍ଛା, ଏଇ ଛପନଲକ୍ଷ ସାଧୁ କ’ଣ କିଛି ଉପକାର କରୁନାହାନ୍ତି ଦେଶର? ଦେଖନ୍ତୁ, ଏ ଛପନଲକ୍ଷ ଯଦି ଗିରିକନ୍ଦରବନାନୀ ଛାଡ଼ି ସହରମୁହାଁ ହୁଅନ୍ତେ, ତେବେ ଛପନଲକ୍ଷ ଘର ତ ଆଗ ଦରକାର ହୁଅନ୍ତା ସେମାନଙ୍କ ପାଇଁ। ଏବେ ତ ସରକାର ଗୃହହୀନମାନଙ୍କୁ ଇନ୍ଦିରା ଆବାସଟିଏ ଯୋଗାଇ ପାରୁନାହାନ୍ତି। ତା’ଛଡ଼ା ଏମାନେ କାହାରି ଉପରେ ଖାଦ୍ୟବସ୍ତ୍ର ପାଇଁ ନିର୍ଭର କରନ୍ତି ନାହିଁ। ଅଧିକାଂଶ ନିଃବସ୍ତ୍ର ଓ ଆକାଶମୁଖୀ ହୋଇଥାନ୍ତି ଖାଦ୍ୟ ପାଇଁ। ଛପନ ଲକ୍ଷଙ୍କ ପାଇଁ ଖାଦ୍ୟବସ୍ତ୍ର କେଉଁଠୁ ଆସନ୍ତା କହିଲେ? ଏମିତି କେତେକେତେ କଥା ବିଚାର କରନ୍ତୁ। ଗାଁ ଗଣ୍ଡା ସହରକୁ ଚାଲିଆସିଲେ ଏମାନଙ୍କର ନ୍ୟୂନତମ ଆବଶ୍ୟକତା ମେଣ୍ଟଣ କରିବାରେ ଦେଶର କେତେ ମୁଣ୍ଡବ୍ୟଥା ହୁଅନ୍ତା ଭାବିଲେ ଦେଖି। ଏସବୁ ବିଚାର କଲେ ଆପଣଙ୍କ ଭାଷାରେ ଏଇ ନିକମା ସାଧୁମାନେ ଦେଶହିତ ପାଇଁ କ’ଣ କିଛି କରୁନାହାନ୍ତି?’’
ସେ କିଛିକ୍ଷଣ ଚୁପ୍ ହୋଇଯାଇ କହିଲେ, ‘‘ନିଜର, ନିଜ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା ନ କରି ଏମାନେ ଦିବାରାତ୍ରି ବିଶ୍ୱର ମଙ୍ଗଳ ନିମିତ୍ତ ପ୍ରାର୍ଥନା କରୁଥାନ୍ତି। ନିରପେକ୍ଷ ଭାବରେ ଏଥର କହିଲେ ଦେଖି ଏ ସାଧୁମାନେ ଦେଶର ମଙ୍ଗଳ ପାଇଁ ସତତ ସମର୍ପିତ ନା ଦେଶ ପାଇଁ ଏମାନେ ଗୋଟିଏ ଗୋଟିଏ ବୋଝ?
(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍ଭାସ୍ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)













